ଗାଁ ମାନଙ୍କରେ ମଦକୋଠି ପାଇଁ ଚାଲିଛି ନିଲାମ, ସରକାରଙ୍କ ରାଜସ୍ବ କ୍ଷତି

କେସିଙ୍ଗା ଅଞ୍ଚଳରେ ବୃଦ୍ଧି ପାଉଛି ବେଆଇନ ମଦକୋଠି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): ବହୁଳ ଭାବରେ ମଦ ସେବନ କରୁଥିବା ଭାରତର ପ୍ରଥମ ପାଞ୍ଚଗୋଟି ରାଜ୍ୟ ହେଲା ଛତିଶଗଡ଼ ପାଖାପାଖି ୩୫ ପ୍ରତିଶତ, ତ୍ରିପୁରା ୩୪.୭ ପ୍ରତିଶତ, ପଞ୍ଜାବ ୨୮.୪ ପ୍ରତିଶତ, ଅରୁଣାଚଳ ପ୍ରଦେଶ ୨୮ ପ୍ରତିଶତ ଓ ଗୋଆ ୨୬.୪ ପ୍ରତିଶତ ଅଟେ। ଏହି ସବୁ ରାଜ୍ୟର ପୁରୁଷମାନେ ସର୍ବାଧିକ ମଦ ସେବନ କରିଥା’ନ୍ତି ଓ ଯେଉଁମାନଙ୍କ ହାରାହାରି ବୟସ ୧୮ ବର୍ଷରୁ ୫୦ ବର୍ଷ ଭିତରେ । ସନ୍ତାପର ବିଷୟ ଏହି କି ଯେ, କିଛି ବର୍ଷ ଭିତରେ ଆମ ଓଡ଼ିଶା ପ୍ରଦେଶ ବି ଏହି ତାଲିକାରେ ଆସିବା ଅସମ୍ଭବ ନୁହେଁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରଟି ଯଦିଓ ଜନସଂଖ୍ୟା ତୁଳନାରେ ଖୁବ୍ ଛୋଟ ହୋଇଥିଲେ ସୁଦ୍ଧା ସହରରେ ୩ ଗୋଟି ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନ, ଦୁଇ ଗୋଟି ବାର ଏବଂ ଗୋଟିଏ ଦେଶୀ ମଦଭାଟି ସହ ଦୁଇ ଗୋଟି ଶାଖା ଦୋକାନ ରହିଛି। ଯେଉଁ ଦୋକାନମାନଙ୍କରେ ଚଢ଼ା ଦାମରେ ଅପମିଶ୍ରିତ ନକଲି ମଦ ବିକ୍ରିହେବା, ଗ୍ରାହକଙ୍କୁ ବିଲ ପ୍ରଦାନ ନକରିବା, ବାରରେ ପାଣି ମିଶା ମଦ ପରସାଯିବା ଓ ଦେଶୀ ମଦଭାଟିରେ ୟୁରିଆଯୁକ୍ତ ମଦ ଖୋଲାଖୋଲି ଭାବରେ ବିକ୍ରି ହେବା ଏକ ଚିନ୍ତାଜନକ ବିଷୟ ଅଟେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ତତସହିତ ବେଆଇନ ମଦ କୋଠି ସବୁ ଖୋଲି ଖୁଚୁରା ଭାବରେ ସହରର ପ୍ରାୟ ପ୍ରତି ୱାର୍ଡରେ ଦେଶୀ-ବିଦେଶୀ ମଦ ଚଢ଼ା ଦାମରେ ବିକ୍ରି ହୋଇ ସହରକୁ ଏକ ଅଶାନ୍ତ ପରିବେଶ ପ୍ରଦାନ କରିବାରେ ଖୁବ୍ ସାହାଯ୍ୟ କରୁଛି ବୋଲି ଅଭିଯୋଗ ହେଉଛି । ଏମିତିକି ବିଦ୍ୟାଳୟ ପାଖାପାଖି ଥିବା ବିଭିନ୍ନ ୱାର୍ଡରେ ବେଧଡ଼କ ମଦ ବିକ୍ରି ହେଉଥିବା ନେଇ ଅଭିଯୋଗ ହେଉଛି। ସେହିପରି ଗ୍ରାମାଞ୍ଚଳରେ ମଧ୍ୟ ତାହାର ସମାନ ସ୍ଥିତି ରହିଛି । ବର୍ତମାନ ବିଭିନ୍ନ ଗାଁ ମାନଙ୍କରେ ମଦ କୋଠିକୁ ନେଇ ନିଲାମ ମଧ୍ୟ ହେଉଥିବା ଜଣାପଡିଛି । ଏକ ବର୍ଷ ଧାର୍ଯ୍ୟ ପାଇଁ ଲକ୍ଷାଧିକ ଟଙ୍କାରେ ଗାଁ ମାନଙ୍କରେ ନିଲାମ କରାଯାଉଛି । ବେନିୟମ ମଦ ବିକ୍ରି ବିଷୟକୁ ନେଇ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇଆସୁଥିଲେ ସୁଦ୍ଧା ସମ୍ପୃକ୍ତ ବିଭାଗୀୟ କତ୍ତୃପକ୍ଷ କିମ୍ବା ପୁଲିସ ଦ୍ୱାରା ଏଯାଏଁ କୌଣସି ଉଚିତ କାର୍ଯ୍ୟାନୁଷ୍ଠାନ ହେଉନଥିବା ପରିଲକ୍ଷିତ ହେଉଛି । ଉଚିତ୍ କାର୍ଯ୍ୟାନୁଷ୍ଠାନ ନହେବା ଫଳରେ ଦିନକୁ ଦିନ ସହର ତଥା ଗାଁ ମାନଙ୍କରେ ବେନିୟମ ମଦ କୋଟି ସହ ମଦୁଆ ମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସେହିପରି ବେନିୟମ ମଦକୋଠି ହେଉଥିବା ଫଳରେ ସରକାରଙ୍କ ରାଜସ୍ବ ମଧ୍ୟ କ୍ଷତି ହେଉଥିବା ଅଭିଯୋଗ ହେଉଛି । ଏନେଇ କେସିଙ୍ଗା ସ୍ଥିତ ଅବକାରୀ ବିଭାଗର ଅଧିକାରୀ ଡି ଖମାରୀଙ୍କ ପ୍ରତିକ୍ରିୟା ନେବାରୁ ବିଦେଶୀ ମଦ ଦୋକାନ ମାନଙ୍କରେ ଚଢା ଦରରେ ବିକ୍ରୀ ହେଉଥିବା ନେଇ କୈାଣସି ଅଭିଯୋଗ ନଥିବା ବେଳେ ଦୋକାନୀ ମାନେ ଗ୍ରାହକଙ୍କୁ ବିଲ୍ ନଦେବା ଅଭିଯୋଗ ଉପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ସେହିପରି ଗାଁ ମାନଙ୍କରେ ହେଉଥିବା ମଦକୋଠି ନିଲାମ ବେଆଇନ ଏବଂ ଏଥିପାଇଁ ଗ୍ରାମବାସୀ ସଚେତନ ହୋଇ ବେନିୟମ ମଦକୋଠିକୁ ବନ୍ଦ କରିବା କଥା ବୋଲି ଶ୍ରୀ ଖମାରୀ କହିବା ସହ ବେନିୟମ ମଦ କୋଠି ଉପରେ ଚଢାଉ କରାଯାଇ କେଶ୍ ହେଉଛି ବୋଲି ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.