ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାରର ଗୀତାମୃତ ପଠନ ଶ୍ରବଣ କାର୍ଯ୍ୟକ୍ରମ ପଣା ସଂକ୍ରାନ୍ତି ଦିନ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କର ପୌରହିତ୍ୟରେ ଆଭାସୀ ମାଧ୍ୟମରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସମ୍ପାଦିକା ପ୍ରଣତି ମହାପାତ୍ର ସମସ୍ତଙ୍କୁ ସୁସ୍ଵାଗତ ଓ ନୂତନ ବର୍ଷ ସମସ୍ତଙ୍କୁ ଆନନ୍ଦମୟ ହେବାର ଶୁଭେଚ୍ଛା କରିବା ସହ ଅଧ୍ୟାପକ ପ୍ରଦୀପ୍ତ କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ତଥା ବିଶିଷ୍ଟ ପ୍ରବଚକ, ଆଲୋଚକ ପଣ୍ଡିତଜୀ ଡାକ୍ତର ଦୀପଙ୍କର ମିଶ୍ର, ବାରିପଦାଙ୍କର ଦୀକ୍ଷାନ୍ତ ଆଲୋଚନା ତଥା ବକ୍ତବ୍ୟରେ ସମସ୍ତେ ମନ୍ତ୍ରମୁଗ୍ଧ ହୋଇ ଶ୍ରୀମଦ୍ ଭଗବଦ୍ ଗୀତାର ଦ୍ବିତୀୟ ଅଧ୍ୟାୟ, ସାଂଖ୍ୟଯୋଗର ଏକଷଠିତମ ଶ୍ଲୋକରୁ ବାସ୍ତରିତମ ଶ୍ଲୋକ ପର୍ଯ୍ୟନ୍ତ ଦଶଟି ଶ୍ଲୋକର ବ୍ୟାଖ୍ୟା ଶ୍ରବଣ କରି ପ୍ରୀତ ହୋଇଥିଲେ । ଯେଉଁମାନେ ଗୀତା ଶ୍ରବଣ କରନ୍ତି ସେମାନେ ମହାନ କାରଣ ଗୀତା ଶ୍ରବଣ କରିଥିଲେ ଭଗବାନଙ୍କ ଶ୍ରୀମୁଖରୁ ଦ୍ବିତୀୟ ପାଣ୍ଡବ ଅର୍ଜୁନ । ଗୀତା ଆଲୋଚନା ନୁହେଁ, ଅନ୍ଧାରରୁ ଆଲୋକ ଆଡକୁ ଅଗ୍ରସର ହେବାର ସୁଗମ ପଥ।ସମତ୍ଵ ଭାବ ସହିତ ବୁଦ୍ଧି ଯୁକ୍ତ ହୋଇ କାର୍ଯ୍ୟ କରିବା, ଗୀତା ପ୍ରବୃତ୍ତି ଓ ନିବୃତ୍ତି ଭାବର ଶିକ୍ଷା ଦିଏ । ଇନ୍ଦ୍ରିୟ ମାନଙ୍କୁ ବଶକରି ସ୍ଥିତପ୍ରଜ୍ଞ ହେବା ଉଚିତ ବୋଲି ପ୍ରବଚକ ମହାଶୟ ସାଙ୍ଖ୍ୟଯୋଗର ବାରଟି ଶ୍ଲୋକର ମହତ୍ ବ୍ୟାଖ୍ୟାରେ ବର୍ଣ୍ଣନା କରିଥିଲେ, ନିଷ୍କାମ ତଥା ନିରହଙ୍କାରୀ ହେବାକୁ ପରାମର୍ଶ ଦେବା ସହ ଗୀତାର ପ୍ରତ୍ୟେକ ଶବ୍ଦ ନିଜ ତଥା ସମାଜର ପ୍ରତ୍ୟେକଙ୍କର କାର୍ଯ୍ୟରେ ଲଗାଇବାକୁ କହିଥିଲେ ।ଡ଼ ପ୍ରିୟମ୍ବଦା ସାମଲ, ବନଲକ୍ଷ୍ମୀ ମହାନ୍ତି, ରଞ୍ଜନ କୁମାର ମହାନ୍ତି, ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ପୃଷ୍ଟି, ପ୍ରତିମା ଶତପଥୀ ଦଶଟି ଶ୍ଲୋକ ପାଠ କରିବା ସହ ଅନ୍ଵୟ ମଧ୍ୟ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାର ସାରସ୍ଵତ ଗୀତାମୃତ ପ୍ରେମୀ ଯୋଗ ଦେଇ ଏ ମହତ୍ ବାଣୀ ସାହିତ୍ୟିକ କବି ବନ୍ଧୁ ପରିବାରର ଏ କାର୍ଯ୍ୟକ୍ରମ ମାଧ୍ୟମରେ ନିଆରା ଶ୍ରବଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ସଂଯୁକ୍ତା ରାଉତ ମହୋଦୟା ସାଂଖ୍ୟଯୋଗର ବାରଟି ଶ୍ଲୋକର ଚୁମ୍ବକରେ ସାରତତ୍ତ୍ଵ ବର୍ଣ୍ଣନା କରି କହିଥିଲେ ସାଧକ ମନରେ ଥିବା ସକଳ କାମନା ତ୍ୟାଗ କରି ନିଜ ଆତ୍ମାକୁ ସଞ୍ଜତ୍ କରି ଆତ୍ମଜ୍ଞାନରେ ନିଷ୍ଠା ରଖି ସନ୍ତୋଷ ଲାଭ କଲେ ସ୍ଥିତପ୍ରଜ୍ଞ ହୁଏ ।ଶେଷରେ ସଭାପତିଙ୍କ ଅନୁମୋଦନ କ୍ରମେ ଗୀତାରାଣୀ ପୁରୀ ଶାନ୍ତିପାଠ ସହ କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ ।





