ବିବାଦର ଅନ୍ତ, ଖୁସି ବ୍ୟକ୍ତ କଲେ ଅଞ୍ଚଳର ଜନସାଧାରଣ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ଶାନ୍ତପୁର ଗ୍ରାମ ପଞ୍ଚାୟତରେ ରହିଥିବା ଛତିକୁଡା ଛକରେ ବହୁ ବାଦ ବିବାଦ ପରେ ଆରମ୍ଭ ହୋଇଛି ସୌନ୍ଦର୍ଯ୍ୟ କରଣ କାମ । ଗତ ସୋମବାର ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଓ ସ୍ଥାନୀୟ ବ୍ୟବସାୟୀ, ସମାଜସେବୀଙ୍କ ଉପସ୍ଥିତିରେ ଜେସିବି ମେସିନ ଯୋଗେ ଖୋଳାଖୋଳି ଆରମ୍ଭ କରିଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ନର୍ଲାର ପ୍ରବେଶ ଦ୍ୱାର କୁହାଯାଉଥିବା ଛତିକୁଡ଼ା ଛକରେ ସବୁ ବେଳେ ବଡ ବଡ ଟ୍ରକ ଗୁଡିକ ଏଠି ସେଠି ପାର୍କିଂ କରିବା ଫଳରେ ଛକଟି ଜାମ ହୋଇ ପଡୁଥିଲା । ଛକର କେନ୍ଦ୍ର ସ୍ଥଳ ଲାଇଟ ପୋଷ୍ଟ ତଳେ ସୌନ୍ଦର୍ଯ୍ୟ କରଣ ନିମନ୍ତେ ମିନି ପାର୍କ ପାଇଁ ପିଡବ୍ଲୁଡି ବିଭାଗ ଯୋଜନା କଲା । ହେଲେ ଛକର କେନ୍ଦ୍ରସ୍ଥଳରେ ପାର୍କ ପାଇଁ ଅଧିକ ଜାଗା ବିଭାଗ ଅକ୍ତିଆର କରିବାରୁ ବିରୋଧ କରିଥିଲେ ଛତିକୁଡ଼ା ଛକର ବ୍ୟବସାୟୀ ଓ ସ୍ଥାନୀୟ ଜନସାଧାରଣ ।
ପିଡବ୍ଲୁଡି ବିଭାଗ ଓ ଜନସାଧାରଣଙ୍କ ମଧ୍ୟରେ ଏନେଇ ଟଣାଓଟରା ମଧ୍ୟ ଚାଲିଲା । ଲୋକଙ୍କ ଦାବୀ ସୌନ୍ଦର୍ଯ୍ୟ କରଣ ହେଉ ହେଲେ ପାର୍କିଂ ପାଇଁ ମଧ୍ୟ ଜାଗା ରହୁ । ଛକର କେନ୍ଦ୍ରସ୍ଥଳ ସୌନ୍ଦର୍ଯ୍ୟ କରଣ ପାଇଁ ଅଧିକ ଜାଗା ବିଭାଗ ଅକ୍ତିଆର କରିବାରୁ ଛତିକୁଡାର ସ୍ଥାନୀୟ ଲୋକେ ଆପତ୍ତି କରିବା ସହ ଶାନ୍ତପୁରର ତତ୍କାଳୀନ ସରପଞ୍ଚ ଟିକେଧର ସାହୁଙ୍କ ନେତୃତ୍ୱରେ କଳାହାଣ୍ଡିରେ ପଞ୍ଚାୟତିରାଜ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବା ଦିନ ଫେବୃୟାରୀ ୧୭ ରେ ଛତିକୁଡାର କେନ୍ଦ୍ର ସ୍ଥଳ ଲାଇଟ ପୋଷ୍ଟ ତଳେ ଗଣଧାରଣାରେ ବସିଲେ । ସକାଳ ହେଲେ ଫେବୃୟାରୀ ୧୮ ନର୍ଲାରେ ନିର୍ବାଚନ । ନର୍ଲା ଡିଏସପିଙ୍କ ନେତୃତ୍ୱରେ ନର୍ଲା ପୋଲିସ ଟିମ ଯାଇ ଘଟଣା ସ୍ଥଳରେ ପହଞ୍ଚି ବିଡବ୍ଲୁଡି ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ମାଧ୍ୟମରେ ନିର୍ବାହୀ ଯନ୍ତ୍ରୀଙ୍କ ସହ ଆଲୋଚନା କରି ଲୋକଙ୍କୁ ବୁଝାସୁଝା କରି ଗଣଧାରଣାକୁ ବନ୍ଦ କରିଦେଲେ । ନିର୍ବାହୀ ଅଧିକାରୀ କଥାଦେଲେ ନିର୍ବାଚନ ସରିଯିବା ପରେ ଜନସାଧାରଣଙ୍କ ଦାବୀ ଅନୁଯାୟୀ ସୌନ୍ଦର୍ଯ୍ୟ କରଣ ହେବା ସାଙ୍ଗକୁ ପାର୍କିଂ ପାଇଁ ମଧ୍ୟ ଜାଗା ଛାଡି ଦିଆଯିବ ବୋଲି । ମୁଖ୍ୟ ରାସ୍ତାରୁ ୧୨ ଫୁଟ ଲେଖାଏଁ ପାର୍କିଂ ପାଇଁ ଜାଗା ଛାଡି ତିନିକୋଣିଆ ଛୋଟିଆ କାନ୍ଥ ଦେଇ ସୌନ୍ଦର୍ଯ୍ୟ କରଣ ପାଇଁ ଲେ ଆଉଟ ଦେଇଥିଲେ । ସୋମବାର ଶାନ୍ତପୁରର ପୂର୍ବତନ ସରପଞ୍ଚ ଟିକେଧର ସାହୁ, ଟଙ୍କଧର ମେହେର (ହାକିମ), ଖୁଲୁରାମ ସାହୁଙ୍କ ଉପସ୍ଥିତିର ପିଡବ୍ଲୁଡି ବିଭାଗ କନିଷ୍ଠ ଯନ୍ତ୍ରୀ ସୁରେନ ବାବୁ ଛକରେ ସୌନ୍ଦର୍ଯ୍ୟ କରଣ କାମ ଆରମ୍ଭ କରିଛନ୍ତି । ସ୍ଥାନୀୟ ଜନସାଧାରଣ ଓ ଛକର ବ୍ୟବସାୟୀଙ୍କ ଦାବୀ ଅନୁଯାୟୀ ଛତିକୁଡ଼ା ଛକରେ ସୌନ୍ଦର୍ଯ୍ୟ କରଣ କାମ ହେଉଥିବାରୁ ସ୍ଥାନୀୟ ବ୍ୟବସାୟୀ ଓ ଜନସାଧାରଣ ଖୁସିବ୍ୟକ୍ତ କରିବା ସହ ବିଡବ୍ଲୁଡି ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।
ଏଠାରେ ପ୍ରକାଶ ଯୋଗ୍ୟ ଯେ, ଭବାନୀପାଟଣା ପର୍ଯ୍ୟନ୍ତ ୧୬ କି.ମି. ରାଜ୍ୟ ରାଜପଥ ଅତୀବ ଶୋଚନୀୟ ହୋଇପଡିଥିଲା ଗତ ୬ ମାସ ତଳେ ପର୍ଯ୍ୟାୟ କ୍ରମେ ବିଡବ୍ଲୁ ବିଭାଗ ତରଫରୁ ରାସ୍ତା ନିର୍ମାଣ ସରିଯାଇଛି । ନର୍ଲାର ପ୍ରବେଶ ଦ୍ୱାର କୁହାଯାଉଥିବା ପ୍ରମୁଖ ଛକ ଛତିକୁଡା ଛକ ଭବାନୀପାଟଣାରୁ ରାୟଗଡା ଓ ଆନ୍ଧ୍ର ପ୍ରଦେଶକୁ ସଂଯୋଗ କରୁଥିବା ବେଳେ ଭବାନୀପାଟଣାରୁ ଛତିକୁଡା ଛକ ଦେଇ ନର୍ଲା ପଟେ ଭୁବନେଶ୍ୱର ଯାଇଛି ରାଜ୍ୟ ରାଜପଥ । ଛତିକୁଡା ଛକରେ ଆନ୍ଧ୍ର ପ୍ରଦେଶରୁ ଆସୁଥିବା ମାଲ ବୋଝେଇ ଭାରିଯାନ (ଟ୍ରକ) ସବୁ ଓ ଏପଟେ କଲିକତାରୁ ସମ୍ବଲପୁର ଦେଇ ଆନ୍ଧ୍ର ଯାଉଥିବା ଭାରିଯାନ ଗୁଡିକ ଛତିକୁଡା ଛକରେ ରହଣୀ କରି ଢାବା ଗୁଡିକରେ ଖାନା ପିନା କରିଥାନ୍ତି । ଫଳରେ ଶହ ଶହ ଟ୍ରକ ରହୁଥିବା ଯୋଗୁଁ ସବୁବେଳେ ଟ୍ରାଫିକ ସମସ୍ୟା ଦେଖାଦେଇଥାଏ । ଛତିକୁଡା ଛକରେ ରାସ୍ତା କାମ ବେଳେ ପିଡବ୍ଲୁଡି ବିଭାଗ ତରଫରୁ ରାସ୍ତା ପ୍ରଶସ୍ତି କରଣ କରାଗଲା । ହେଲେ ବାସ୍ତବିକ ରାସ୍ତା ଯେତେ ପ୍ରଶସ୍ତି ରହିବା କଥା ରହିଲା ନାହିଁ । ଯାହାକୁ ନେଇ ସ୍ଥାନୀୟ ବ୍ୟବସାୟୀ ଓ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଜମାଟ ବାନ୍ଧିଲା । ଅନ୍ୟପକ୍ଷେ ଛକର କେନ୍ଦ୍ର ସ୍ଥଳୀରେ ସୌନ୍ଦର୍ଯ୍ୟ କରଣ କରିବା ପାଇଁ ଛୋଟ ଛୋଟ କାନ୍ଥ ଦେଇ ସିମେଣ୍ଟ କାମ କରାଯିବା ପାଇଁ ବିଭାଗ ଉଦ୍ୟମ ଆରମ୍ଭ କଲା । ହେଲେ ଲୋକେ ଦାବୀ କଲେ ସୋନ୍ଦର୍ଯ୍ୟ କରଣ ପାଇଁ ଏତେ ଗୁଡିଏ ଜାଗା ଅକ୍ତିଆର କରାନଯାଉ । ନିଜ ଜିଦ ରେ ଅଟଳ ରହିଲା ପିଡବ୍ଲୁଡି ବିଭାଗ । ଏହାକୁ ନେଇ ଚାଲିଲା ଟଣାଓଟରା । ଲୋକେ ବାଧ୍ୟ ହୋଇ ଛକରେ ଧାରଣା ଦେଇଥିଲେ । ତେବେ ଗତ ସୋମବାର ଛକରେ ସୌନ୍ଦର୍ଯ୍ୟ କରଣ କାମ ଆରମ୍ଭ ହୋଇଥିବାରୁ ଲୋକେ ଖୁସି ବ୍ୟକ୍ତ କରିଛନ୍ତି ।