ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ କାଉଡୋଳା- ଲଡୁଗାଁ ମୁଖ୍ୟ ରାସ୍ତାର ବୁଲାଣି ନିକଟରେ ସୋମବାର ଭାରସାମ୍ୟ ହରାଇ ଏକ ଅଟୋ ଓଲଟି ପଡ଼ିଥିଲା। ଏଥିରେ ଜଣେ ଗୁରୁତର ହୋଇଥିବା ବେଳେ ୮ଜଣ ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ, ଚୋରନି ଦୁଆର ଗ୍ରାମରୁ ଦଶାହକାର୍ଯ୍ୟରେ ଯୋଗ ଦେବାପାଇଁ ଧନଶୁଲି ଗ୍ରାମକୁ ଏକ ଅଟୋ ଯୋଗେ ଯାଉଥିବାବେଳେ କାଉଡୋଳା, ଲଡୁଗାଁ ମୁଖ୍ୟ ରାସ୍ତାର କୁସୁମଖୁଣ୍ଟି ବୁଲାଣି ନିକଟରେ ଭାରସାମ୍ୟ ହରାଇ ଓଟୋଟି ଓଲଟି ପଡିଥିଲା। ଫଲରେ ଅଟୋରେ ବସିଥିବା ନବରଙ୍ଗପୁର ଜିଲ୍ଲା ମୈଦଲପୁରର ସୋମନାଥ ନାଏକ(୪୫), ଅନିରୁଦ୍ଧ ପାଲପୁରିଆ(୭୦), ସତ୍ରୁଘନ ପାଲପୁରିଆ(୭୦), ଆମପାଣି ଥାନା ଗତୋମୁଣ୍ଡା ପଞ୍ଚାୟତ ଚେରନିଦୁଆର ଗ୍ରାମର ଆଲ୍ଲାଦିନ ସୁରପାଲ(୫୦), ସୂର୍ଯ୍ୟ ବାଗ(୬୦), ଗାୟତ୍ରୀ ବାଗ(୫୦), ନାବାଳକ ରୁଦ୍ର ମାଝୀ ଓ ଅହଲ୍ୟା ମାଝୀ ଗୁରୁତର ହୋଇଥିଲେ। ଖବର ପାଇ ଆମପାଣି ଓ କୋକସରା ପୋଲିସ ସମେତ କୋକସରା ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ସ୍ଥାନୀୟ ଲୋକମାନଙ୍କ ସାହାଯ୍ୟରେ ଆହତ ମାନଙ୍କୁ ଉଦ୍ଧାର କରି କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ସତ୍ରୁଘନ ପାଲପୁରିଆ ଅଧିକ ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣାକୁ ସ୍ଥାନାନ୍ତର କରିଥିବା ଜଣାପଡିଛି। ଏନେଇ ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।