ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ସୋମବାର କୋକସରା ବ୍ଲକ ଗସ୍ତରେ ଆସି ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ବ୍ଳକସ୍ତରୀୟ ଜନଶୁଣାଣି ଶିବିରରେ ଯୋଗଦେଇଥିଲେ। ପ୍ରଥମେ ଜିଲ୍ଲାପାଳ ରେଡ୍ଡୀ କୋକସରା ବ୍ଳକ କାର୍ଯ୍ୟାଳୟକୁ ପହଞ୍ଚିବା ପରେ ମାଝୀଗୁଡା, ଫୁପଗାଁ, କାଶିବାହାଲ ଓ ଧନସରା ଠାରେ ଚାଲିଥିବା ୫ଟି ରୂପାନ୍ତରିତ ସ୍କୁଲ ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ମୁଖ୍ୟ ବିକାଶ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ କଳାହାଣ୍ଡି ପାୱାର ସଚିନ ପ୍ରକାଶ, ଧର୍ମଗଡ ଉପଜିଲ୍ଲାପାଳ ବେଦ ଭୂଷଣ, କୋକସରା ବିଡିଓ ଉତ୍ତମ କୁମାର ବାଗ, ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସହକାରୀ ଯନ୍ତ୍ରୀ ଗୋବିନ୍ଦ ବଲ୍ଲଭ ମହାରଣା ପ୍ରମୁଖ ଉପସ୍ଥିତ ରହିଥିଲେ। ପରେ ସେଠାରୁ ବ୍ଳକ କାର୍ଯ୍ୟାଳୟକୁ ଫେରି ସାମୟିକ ଭାବେ ଜିଲ୍ଲାପାଳ ଜନଶୁଣାଣି ଶିବିରରେ ଯୋଗଦେଇଥିଲେ। ଏହି ଶିବିରରେ ବିଭିନ୍ନ ପଞ୍ଚାୟତରୁ ୧୬୪ଟି ଅଭିଯୋଗ ଆସିଥିବାବେଳେ ଅଭିଯୋଗର ଶୁଣାଣି କରି ଏହା ଉପରେ ଆବଶକ୍ୟ ପଦକ୍ଷେପ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଅଭିଯୋଗ ଶୁଣାଣୀ ଶିବିରରେ ଜମିବାଡ଼ି ପଟ୍ଟା, ବାର୍ଦ୍ଧକ୍ୟ ଭତ୍ତା, ଡ୍ରେନେଜ ବ୍ୟବସ୍ଥା, ପଡ଼ିଏସ, ଆବାସ ଗୃହ ଭଲି ଅନେକ ସମସ୍ୟା ନେଇ ଲୋକେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅଭିଯୋଗ ଗୁଡ଼ିକ ଶୁଣିବା ପରେ ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ରେଡ୍ଡୀ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ ପଟେଲ, ଧର୍ମଗଡ ଉପ ଜିଲ୍ଲାପାଳ ବେଦଭୂଷଣ, ମୁଖ୍ୟ ବିକାଶ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ କଳାହାଣ୍ଡି ପାୱାର ସଚିନ ପ୍ରକାଶ, ଜିଲ୍ଲା ଯୋଗାଣ ଅଧିକାରୀ ପବିତ୍ର ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ବନ ବିଭାଗ, ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ, ଗ୍ରାମ୍ୟ ଉନ୍ନୟନ ବିଭାଗ, ପୁର୍ତ୍ତ ବିଭାଗ ସମେତ ବିଭିନ୍ନ ବିଭାଗ ରୁ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଜନଶୁଣାଣି ଶିବିର ସମାପ୍ତ ପରେ ଜିଲ୍ଲାପାଳ ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରା ପରିଦର୍ଶନ କରିଥିଲେ। ଏବଂ ସେଠାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିବା ସହ ପର୍ଯ୍ୟଟନ ସ୍ଥଳୀ କୁ ସ୍ବଚ୍ଛତା ରଖିବା ଉପରେ ଗୁରୁତ୍ବ ଦେବାକୁ କହିଥିବା ଜଣାପଡିଛି।