“ଅବ୍ୟକ୍ତର ଅଭିବ୍ୟକ୍ତି ଓ ଅବସୋସ ହିଁ କବି ଚନ୍ଦ୍ର କୁମାର ମହାନ୍ତିଙ୍କ କବିତାର ନିର୍ଯ୍ୟାସ”

● ୬ଷ୍ଠ କବି ଚନ୍ଦ୍ର କୁମାର ମହାନ୍ତି ସ୍ମୃତି ଉତ୍ସବ ଅନୁଷ୍ଠିତ

● ସ୍ମୃତି ପୁରସ୍କାର ପାଇଲେ ଅଙ୍ଗୁରବାଳା ପରିଡା ଓ ମନୋଜ ମେହେର

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଅବ୍ୟକ୍ତର ଅଭିବ୍ୟକ୍ତି ହିଁ କବିର ଉପଜୀବ୍ୟ। ଗୋଟିଏ ଅବସୋସରୁ ଆସୁଥିବା ଅଭିବ୍ୟକ୍ତିକୁ କବି ଚନ୍ଦ୍ର କୁମାର ମହାନ୍ତି ନିଜ କବିତାରେ ସଜାଇ ବ୍ୟକ୍ତ କରିଛନ୍ତି ବୋଲି ସ୍ଥାନୀୟ ଆତିଥ୍ୟ ଭବନ ପ୍ରେକ୍ଷାଳୟରେ ଅନୁଷ୍ଠିତ ୬ଷ୍ଠ ସ୍ମୃତି ସମାରୋହରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

Omkar Vasthu
Omkar Vasthu

କବି ଚନ୍ଦ୍ର କୁମାର ମହାନ୍ତି ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଯୋଗ ଦେଇ ଅତିଥିମାନେ କହିଲେ ଯେ, ଚନ୍ଦ୍ର ମହାନ୍ତିଙ୍କ କବିତାର ମୁଖ୍ୟ ବିଭବ ହେଉଛି ପାରାଡକ୍ସ ବା ବିରୋଧାଭାସ। ଯାହା ଭିତରେ ଥାଏ ଅସୀମ ଆଲୋକବାଦୀ ସଂକଳ୍ପ ଓ ଦାୟବଦ୍ଧତା। ଅବଚେତନ ଓ ଅଚେତନ ମନକୁ ପାଥେୟ କରି କବି ସ୍ଵର୍ଗତ ମହାନ୍ତି ଅନେକ ଅବ୍ୟକ୍ତକୁ ବ୍ୟକ୍ତ କରିବାରେ ସଫଳ ହୋଇଛନ୍ତି ବୋଲି ଅତିଥି କହିଥିଲେ।

Pearl dental clinic
Near Ashish Medical Store, Bhawanipatna

ସ୍ମୃତି ସଂସଦର ସଭାପତି ବିଶିଷ୍ଟ ଲେଖକ ଡକ୍ଟର ସୁବାସ ଚନ୍ଦ୍ର ପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଆସରକୁ କବିଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ଵଳନ ଓ ପୁଷ୍ପାର୍ଘ୍ୟ ପ୍ରଦାନ କରି ଉଦଘାଟନ କରିଥିଲେ ବରେଣ୍ୟ ଅତିଥି ଉପ ଆରକ୍ଷୀ ଅଧୀକ୍ଷକ ତଥା ସୁଖ୍ୟାତ ପ୍ରାବନ୍ଧିକ ଚନ୍ଦ୍ର ଶେଖର ହୋତା, ସୁଖ୍ୟାତ ଆଲୋଚକ ତଥା ଲେଖକ ଡକ୍ଟର ସନ୍ତୋଷ କୁମାର ନାୟକ, ଆଓ ନେକ୍ସଷ୍ଟ ଓ୍ଵେବ୍ ଚ୍ୟାନେଲର ସିଇଓ କୌଶିକ ଦାସ ପ୍ରମୁଖ।

Udyog Nursery
Udyogi Nursery

ପ୍ରାରମ୍ଭରେ କବିଙ୍କ ପୁତ୍ର ଉତ୍ପଳ ମହାନ୍ତି ମଞ୍ଚ ଆହ୍ଵାନ କରିବା ପରେ ଆବାହକ ତଥା ପୁରସ୍କାର କମିଟିର ମୁଖ୍ୟ କୃଷ୍ଣ କୁମାର ମହାନ୍ତି ପ୍ରାକ୍ ଭାଷ ରଖିଥିଲେ। କବି ପ୍ରଶାନ୍ତ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ।

ମୁଖ୍ୟ ଅତିଥି ଚନ୍ଦ୍ରଶେଖର ହୋତା କବିତାର ଭାଷା ଉପରେ ବକ୍ତବ୍ୟ ରଖି କବିତା ଭାଷାକୁ ଭାଙ୍ଗେ ଏବଂ ନିଜେ ନୂଆ ଏକ ଭାଷା ହୋଇଯାଏ ବୋଲି କହିଥିଲେ। ପ୍ରତିଟି କାଳଖଣ୍ଡରେ କବି କବିତାର ଭାଷାକୁ ଗଢେ ପୁଣି ଭାଙ୍ଗେ। ଏହାକୁ ସେ ସାପଶିଡିର ଖେଳ ଓ ସ୍ଵାମୀସ୍ତ୍ରୀ ସମ୍ପର୍କ ସହିତ ତୁଳନା କରି କବିତା ଭାଷାର ବନ୍ଧନକୁ ଭାଙ୍ଗେ ବୋଲି କହିଥିଲେ।

ସେହିପରି ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଫକୀରମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ଡକ୍ଟର ସନ୍ତୋଷ କୁମାର ନାୟକ କବି ଚନ୍ଦ୍ର କୁମାର ମହାନ୍ତିଙ୍କ କବିତା ସମଗ୍ରର ଏକ ସଂକ୍ଷିପ୍ତ ଆକଳନ କରି କହିଥିଲେ ଯେ କବି ସ୍ଵର୍ଗତ ମହାନ୍ତିଙ୍କର ପ୍ରତ୍ୟେକଟି କବିତା ପରସ୍ପର ସହିତ ସମ୍ପର୍କିତ।

ଅନ୍ୟତମ ବକ୍ତା ଆଓ ଚ୍ୟାନେଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ କୌଶିକ ଦାସ ଆଗାମୀ ଦିନରେ ସାହିତ୍ୟ କିପରି କ୍ଲାଉଡ୍ ଷ୍ଟୋର୍ ରେ ଗଚ୍ଛିତ ହୋଇ ସମଗ୍ର ବିଶ୍ଵବାସୀଙ୍କ ପାଖରେ ପହଞ୍ଚି ପାରିବ ସେ ଦିଗରେ ଓ୍ଵେବ୍ ଥ୍ରୀ କାର୍ଯ୍ୟ ଆରମ୍ଭ କରିଥିବା ସୂଚନା ଦେବା ସହ କଣ୍ଟେଣ୍ଟକୁ କିପରି ବର୍ଷ ବର୍ଷ ଧରି ଅକ୍ଷତ ଭାବେ ରଖିହେବ, ସେ ସମୟ ଆସିଛି ବୋଲି କହିଥିଲେ।

ଏହି ଅବସରରେ ୨୦୨୨ ମସିହା ପାଇଁ କବି ଅଙ୍ଗୁରବାଳା ପରିଡା ଏବଂ ୨୦୨୩ ମସିହା ପାଇଁ କବି ମନୋଜ କୁମାର ମେହେରଙ୍କୁ ଚନ୍ଦ୍ର କୁମାର ମହାନ୍ତି କବିତା ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କୃତ ପ୍ରତିଭା ଏହି ସମ୍ମାନ ପାଇ ନିଜକୁ ଗୌରବାନ୍ଵିତ ମନେ କରୁଛନ୍ତି ବୋଲି ସେମାନଙ୍କ ପ୍ରତିକ୍ରିୟା ବକ୍ତବ୍ୟରେ କହିଥିଲେ।

ଶେଷରେ ଉତ୍ପଳ ମହାନ୍ତି ଦିବଂଗତ କବିଙ୍କ ଏକ କବିତା ଆବୃତ୍ତି କରିଥିଲେ। ମାନପତ୍ର ପାଠ କରିଥିଲେ ଡକ୍ଟର ତ୍ରିଲୋଚନ ସାହୁ। ଧନ୍ୟବାଦ ଅର୍ପଣ କରିଥିଲେ ରଞ୍ଜନ ବାଗ। ଏହି ଉତ୍ସବରେ ସହରର ବହୁ ବୁଦ୍ଧିଜୀବୀ, ଲେଖକ, ପାଠକ, ସାମ୍ବାଦିକ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.