ବାଲେଶ୍ୱରର ହାଇଲ୍ୟାଣ୍ଡ ଆଗ୍ରୋ ଫୁଡ୍‌ ଦୁବାଇରେ ପାଇଲା ଆନ୍ତର୍ଜାତୀୟ ସମ୍ମାନ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱରର ପ୍ରତିଷ୍ଠିତ ସାମୁଦ୍ରିକ ଖାଦ୍ୟ ରପ୍ତାନିକାରୀ କମ୍ପାନୀ ‘ହାଇଲ୍ୟାଣ୍ଡ ଆଗ୍ରୋ ଫୁଡ୍ ପ୍ରାଇଭେଟ୍ ଲିମିଟେଡ୍’ ପୁଣି ଏକ ଗୌରବ ଅର୍ଜନ କରିଛି। ଦୁବାଇ ଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ କମ୍ପାନୀକୁ ସମ୍ମାନଜନକ ‘ସ୍ଥାୟୀ ଉତ୍ପାଦନ ଏବଂ ରପ୍ତାନି ଉତ୍କର୍ଷତା ପୁରସ୍କାର-୨୦୨୫’ ପ୍ରଦାନ କରାଯାଇଛି।ବିଶ୍ୱସ୍ତରୀୟ ଗଣମାଧ୍ୟମ ‘ଗଲ୍ଫ ନ୍ୟୁଜ୍’ ଏବଂ ‘ବିଙ୍ଗ୍ ସି’ର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ‘ସ୍ଥାୟୀତ୍ୱ ଉତ୍କର୍ଷତା ପୁରସ୍କାର’ କାର୍ଯ୍ୟକ୍ରମରେ ବିଶ୍ୱର ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀ ମଧ୍ୟରୁ ହାଇଲ୍ୟାଣ୍ଡ ଆଗ୍ରୋ ଫୁଡ୍‌କୁ ଶ୍ରେଷ୍ଠ ବିବେଚିତ କରାଯାଇଛି। ଦୁବାଇର ସଷ୍ଟେନେବୁଲ୍ ସିଟି ସ୍ଥିତ ସଷ୍ଟେନେବିଲିଟି ଏଜୁକେଶନ ଆଣ୍ଡ୍ ଏମପାୱାରମେଣ୍ଟ୍ ଇନଷ୍ଟିଚ୍ୟୁଟ୍‌ରେ ଅନୁଷ୍ଠିତ ଏହି ଉତ୍ସବରେ ଏମିରେଟସ୍ ଏନଭାଇରନ୍‌ମେଣ୍ଟାଲ୍ ଗ୍ରୁପ୍‌ର ସହ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ଡକ୍ଟର ହବିବା ଅଲ୍ ମାରାଶି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କମ୍ପାନୀକୁ ସମ୍ମାନିତ କରିଥିଲେ। ପରିବେଶର ସୁରକ୍ଷା ସହ ସ୍ଥାୟୀ ଓ ଦାୟିତ୍ୱସମ୍ପନ୍ନ ଉତ୍ପାଦନ ପ୍ରଣାଳୀ ଏବଂ ସାମୁଦ୍ରିକ ଖାଦ୍ୟ (ସି-ଫୁଡ୍) ରପ୍ତାନି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କମ୍ପାନୀକୁ ଏହି ବିରଳ ସମ୍ମାନ ମିଳିଥିବା ଜଣାପଡିଛି। ଗଲ୍ଫ ନ୍ୟୁଜ୍‌ର ସିଇଓ ବିଜୟ ବାଘେଲା ତାଙ୍କ ସ୍ୱାଗତ ଭାଷଣରେ ପରିବେଶ ପରିବର୍ତ୍ତନର ନେତୃତ୍ୱ ନେଉଥିବା ଏବଂ ଆଗାମୀ ପିଢ଼ି ପାଇଁ ଏକ ଭଲ ଭବିଷ୍ୟତ ଗଢ଼ୁଥିବା ସଂସ୍ଥାଗୁଡ଼ିକୁ ସମ୍ମାନିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ପୁରସ୍କାର ପାଇଁ ୧୦୦ରୁ ଅଧିକ ଆନ୍ତର୍ଜାତୀୟ କମ୍ପାନୀର ନାମାଙ୍କନ ମଧ୍ୟରୁ ବାଲେଶ୍ୱରର ହାଇଲ୍ୟାଣ୍ଡ୍ ଆଗ୍ରୋ ଫୁଡ୍ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ସୂଚନାଯୋଗ୍ୟ ଯେ, ହାଇଲ୍ୟାଣ୍ଡ ଆଗ୍ରୋ ଫୁଡ୍ ଦୀର୍ଘ ଦିନ ଧରି ଗୁଣାତ୍ମକ ମାନ ବଜାୟ ରଖି ବିଦେଶକୁ ସାମୁଦ୍ରିକ ଖାଦ୍ୟ ରପ୍ତାନି କରି ଆସୁଛି। ସଂଯୁକ୍ତ ଆରବ ଏମିରେଟସ୍ ର ସ୍ଥାୟୀ ବିକାଶ ଲକ୍ଷ୍ୟ ସହ ତାଳ ମିଳାଇ କମ୍ପାନୀ ଯେଉଁ ଦାୟିତ୍ୱସମ୍ପନ୍ନ ବ୍ୟବସାୟିକ ଶୈଳୀ ଆପଣାଇଛି, ତାହାକୁ ଏହି ସମାରୋହରେ ପ୍ରଶଂସା କରାଯାଇଛି। ହାଇଲ୍ୟାଣ୍ଡ ଆଗ୍ରୋ ଫୁଡ୍ ର ଏହି ଅନ୍ତର୍ଜାତୀୟ ସଫଳତା ପାଇଁ ବାଲେଶ୍ୱର ଶିଳ୍ପ ଜଗତରେ ଖୁସିର ଲହରି ଖେଳିଯାଇଛି ଏବଂ ବିଭିନ୍ନ ମହଲରୁ କମ୍ପାନୀକୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.