ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଚଳିତ ମାସ ଆସନ୍ତା ୧୪ତାରିଖରେ ଓଡିଆଙ୍କ ନବବର୍ଷ,ମହାବୀର ଜୟନ୍ତି ତଥା ବିଷୁବ ପଣା ସଂକ୍ରାନ୍ତି ସହ ସମ୍ବିଧାନ ପ୍ରଣୟତା ଡଃ.ବାବା ସାହେବ ଭୀମାରାଓ ଅମେଦକରଙ୍କ ଜୟନ୍ତି ରହିଛି । ତେବେ ରାୟଗଡା ସହରର ଜିସିଡି ହାଇସ୍କୁଲ ଖେଳ ପଡିଆରେ ଏହି ଜୟନ୍ତିଗୁଡିକ ପାଳନ ନିମନ୍ତେ ଦୁଇ କମିଟି ମଧ୍ୟରେ ତିକ୍ତତା ଦେଖାଦେଇଛି । ଏ ନେଇ ଆଜି ବିଷୁବ ବନ୍ଧୁ ମିଳନ ଉତ୍ସବ କମିଟି ପକ୍ଷରୁ ଜିସିଡି ହାଇସ୍କୁଲ ପଡିଆ ଠାରେ ମହାବୀର ଜୟନ୍ତି ତଥା ଓଡିଆ ନବ ବର୍ଷ ପାଳନ ଉପଲକ୍ଷେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଆଦିବାସୀ ଦଳିତ ମହାସଂଘ ଏହାକୁ ସମର୍ଥନ କରିଛି । କିନ୍ତୁ ଜିସିଡି ହାଇସ୍କୁଲ ପଡିଆରେ ଡଃ. ଅମ୍ବେଦକରଙ୍କ ୧୩୨ତମ ଜୟନ୍ତି ପାଳନ କରିବାକୁ ଅମ୍ବେଦକର ଜୟନ୍ତି ପାଳନ କମିଟି ପକ୍ଷରୁ ଅନୁମତି ମଗାଯାଇଥିଲେ ମଧ୍ୟ ଜିଲ୍ଳାପାଳ ସିଧାସଳଖ ମନା କରି ଦେଇଥିବାରୁ ବିଷୁବ ପଣା ସଂକ୍ରାନ୍ତି ଠାରୁ ସମ୍ବିଧାନ ପ୍ରଣୟେତା ଡଃ.ଅମ୍ବେଦକରଙ୍କ ଜୟନ୍ତି ଅଧିକ ଗୁରୁତ୍ୱ ବହନ କରୁନାହିଁ କି ଏବଂ ଜିଲ୍ଳାପାଳ ବିଷୁବ ବନ୍ଧୁ ମିଳନ ଉତ୍ସବ କମିଟିକୁ ଲିଖିତ ଅନୁମତି ପତ୍ର ପ୍ରଦାନ କରିଛନ୍ତି କି ବୋଲି ଆଜି ସ୍ଥାନୀୟ ତେଜସ୍ୱୀ ହୋଟେଲ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ଅମ୍ବେଦକର ଜୟନ୍ତି ପାଳନ କମିଟି ଆବାହକ ତଥା ସଭାପତି ଗଙ୍ଗାଧର ପୁଆଲା । ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପୁଆଲା ପ୍ରକାଶ କରିଛନ୍ତି ଯେ, ଗତ ମାର୍ଚ୍ଚ ୩୧ତାରିଖରେ ଆଦିବାସୀ ସମାଜ ତରଫରୁ ସମ୍ବିଧାନ ନିର୍ମାତା ଭାରତରତ୍ନ ବାବା ସାହେବ ଡଃ. ଭୀମାରାଓ ଅମ୍ବେଦକରଙ୍କ ୧୩୨ତମ ଜିଲ୍ଳାସ୍ତରୀୟ ଜନ୍ମ ଜୟନ୍ତି ପାଳନ ନିମନ୍ତେ ଜିସିଡି ହାଇସ୍କୁଲ ପଡିଆରେ କରିବାକୁ ଅନୁମତି ମାଗିଥିଲେ । ଅମ୍ବେଦକର ଜୟନ୍ତି ଅନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଠାରୁ ଅଧିକ ଗୁରୁତ୍ୱ ଓ କୃତି ବୋଲି ଶ୍ରୀ ପୁଆଲା ପ୍ରକାଶ କରିିବା ସହ ଏହି ଜୟନ୍ତି ପାଳନରେ ଆଦିବାସୀ, ଦଳିତ, ପଛୁଆ ବର୍ଗ ଓ ସଂଖ୍ୟାଲଘୁ ଏବଂ ଅନ୍ୟ ବର୍ଗର ଲୋକମାନଙ୍କ ସମ୍ବେଦନ ରହିଅଛି । କିନ୍ତୁ ଜିଲ୍ଳାପାଳ ଉକ୍ତ ସ୍ଥାନକୁ ଅନ୍ୟ ଏକ ଅନୁଷ୍ଠାନର କାର୍ଯ୍ୟକ୍ରମ ନିମନ୍ତେ ପ୍ରଦାନ କରାଯାଇଥିବା କହିଥିଲେ । କୈାଣସି ଜାତି, ଧର୍ମର କାର୍ଯ୍ୟକ୍ରମକୁ ନେଇ କୈାଣସି ବ୍ୟକ୍ତି ବିଶେଷଙ୍କୁ ଆମର ବିରୋଧ କରିବାର ଉଦ୍ଦେଶ୍ୟ ନ ଥିବା ସହ ରାୟଗଡାରେ ବର୍ଷ ବର୍ଷ ଧରି ଗଢି ଉଠିଥିବା ଭାଇଚାରାକୁ ଆମେ ପ୍ରାଥମିକତା ଦେଇ ଆସୁଛୁ ତେଣୁ ଏହା ଆଇନଗତ ଆନ୍ଦୋଳନ ବୋଲି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପୁଆଲା ପ୍ରକାଶ କରିଛନ୍ତି । ଏଥିସହ ବିଷୁବ ବନ୍ଧୁ ମିଳନ ଉତ୍ସବ କମିଟି ତରଫରୁ ୨ଦିନ ଧରି ସେଠାରେ ମେଲୋଡି କାର୍ଯ୍ୟକ୍ରମ କରିବାକୁ ଯାଉଥିବା ବେଳେ ଏହାକଣ ଅମ୍ବେଦକର ଜୟନ୍ତି ଅପେକ୍ଷା ଅଧିକ ଗୁରୁତ୍ୱ ବହନ କରୁଛି କି ବୋଲି ଜିଲ୍ଳାପାଳଙ୍କୁ ପ୍ରଶ୍ନ କରିଛନ୍ତି । ଏଥି ନିମନ୍ତେ ସଂପୃକ୍ତ ଅନୁଷ୍ଠାନକୁ ଜିଲ୍ଳାପାଳ ଲିଖିତ ଅନୁମତି ପ୍ରଦାନ କରିଛନ୍ତି କି ଏବଂ ଅନୁମତି ପତ୍ର ନେଇ ଉତ୍ସବ କମିଟି ଭୂମି ପୂଜନ କରିଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ।
ଯଦି ଜିସିଡି ହାଇସ୍କୁଲ ପଡିଆରେ ଅନୁମତି ଦିଆ ନ ଗଲେ ତହସିଲ ଛକ ଠାରେ ଥିବା ଅମ୍ବେଦକର ପ୍ରତିମୂର୍ତି ନିକଟରେ ନିର୍ଦ୍ଧାରିତ ସମସ୍ତ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଫଳରେ ରାସ୍ତା ଅବରୋଧ ହେବ । ଯାହା ପାଇଁ ଜୟନ୍ତି ପାଳନ କମିଟି ଦାୟୀ ରହିବ ନାହିଁ ବୋଲି ପ୍ରଶାସନକୁ ଶ୍ରୀ ପୁଆଲା ଚେତାବନୀ ଦେଇଥିବା ବେଳେ ଜିସିଡି ହାଇସ୍କୁଲ ପଡିଆ ଠାରେ ବିଷୁବ ବନ୍ଧୁ ମିଳନ ଉତ୍ସବକୁ ନେଇ ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ କିଛି ଲୋକଙ୍କୁ ମୋଟା ଅଙ୍କ ଦେଇ ଉତ୍ସବକୁ ଭଣ୍ଡୁର କରିବାକୁ ଚେଷ୍ଠା କରୁଛନ୍ତି ବୋଲି ପୂର୍ତ ବଙ୍ଗଳା ଠାରେ ଆଦିବାସୀ ଦଳିତ ମହାସଂଘର ସାମ୍ବାଦିକ ସମ୍ମିଳନୀରେ ବସନ୍ତ ଉଲାକା ପ୍ରକାଶ କରିଛନ୍ତି । ରାୟଗଡା ଏକ ଭାଇଚାରାର ସହର । ଆଉ ଏହି ଭାଇଚାରାକୁ ବଜାୟ ରଖିବା ପାଇଁ ସମସ୍ତ ଓଡିଆ ଭାଇଭଉଣୀମାନଙ୍କ ସହ ସମସ୍ତ ବର୍ଗର ଲୋକେ ଏକଜୁଟ୍ ହୋଇ ଏହି ଉତ୍ସବକୁ ଧୁମଧାମରେ ପାଳନ କରିବାକୁ ଯାଉଥିବା ବେଳେ କିଛି ଗୋଷ୍ଠୀ ଏହାକୁ ସହ୍ୟ କରି ନ ପାରି ଭଣ୍ଡୁର କରିବାକୁ ଚେଷ୍ଠା କରି ଭାଇଚାରାକୁ ନଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି । ତେବେ ଏହି ଭାଇଚାରାକୁ କେହି ବି ଭାଙ୍ଗି ପାରିବେ ନାହିଁ ବୋଲି ଶ୍ରୀ ଉଲାକା କହିବା ସହ ଡଃ.ଅମ୍ବେଦକର ଜୟନ୍ତି ପ୍ରତି ଆମର ମଧ୍ୟ ସମ୍ମାନ ରହିଛି । ଆମେ ମଧ୍ୟ ଏହାକୁ ପାଳନ କରି ଆସୁଛୁ । ତେବେ ରାୟଗଡା ସହରରେ ଅନେକ ସ୍ଥାନ ଖାଲି ପଡିଥିବା ବେଳେ ଅମ୍ବେଦକର ଜୟନ୍ତି ପାଳନ କମିଟି କାହିଁକି ଅନ୍ୟତ୍ର ନ ଯାଇ କେବଳ ଜିସିଡି ହାଇସ୍କୁଲ ପଡିଆ ଠାରେ ହିଁ କରିବାକୁ ଚାହୁଁଛନ୍ତି ଏବଂ ବିଷୁବ ବନ୍ଧୁ ମିଳନ ଉତ୍ସବକୁ ନେଇ ନୀତି ନିୟମ ବାହାର କରୁଛନ୍ତି ତାହା ସହରରେ ଏକ ଅଶାନ୍ତ ପରିବେଶ ସୃଷ୍ଟି କରୁଛି ବୋଲି ଶ୍ରୀ ଉଲାକା ପ୍ରକାଶ କରିଛନ୍ତି । ଏଥିସହ ଅମ୍ବେଦକର ଜୟନ୍ତି ପାଳନ କମିଟି କାର୍ଯ୍ୟକର୍ତାଙ୍କୁ ଏକତ୍ର ଭାବେ ମିଳିମିଶି ସମସ୍ତ କାର୍ଯ୍ୟକ୍ରମ ପାଳନ କରିବାକୁ ଆହ୍ୱାନ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଆପଲସ୍ୱାମୀ କାଡ୍ରକା, ନରେନ୍ଦ୍ର ନାୟକ, ଧନୀରାମ ନାୟକ, ରାଉଲ ମାଝି ଓ ଅନ୍ୟମାନେ ଉପସ୍ଥିତ ରହିଥିବା ବେଳେ ହୋଟେଲ ତେଜସ୍ୱୀ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡଃ.ଅମ୍ବେଦକର ଜୟନ୍ତି ପାଳନ କମିଟିର ଉପସଭାପତି ହରପ୍ରସାଦ ହେପ୍ରୁକା, ପ୍ରତାପ ପୁଆଲା, କାର୍ଯ୍ୟକାରୀ ସଭାପତି ତାମାରାଓ ବିଡିକା, ସୁବାଷ ବିଡିକା, ଉପଦେଷ୍ଠା ତ୍ରିନାଥ ବିଭର, ସନ୍ଧ୍ୟା ପୁଲାକାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।