ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ଅଞ୍ଚଳରେ ବିଷୁବ ସଂକ୍ରାନ୍ତିର ତେର ଦିନ ପୂର୍ବରୁ କାମନା ଦଣ୍ଡ ଯାତ୍ରା ଅନୁଷ୍ଠିତ ହୁଏ । ପ୍ରାରମ୍ଭରେ ଦଣ୍ଡକୁ ଜୀବନ ଦାନ, ତେର ଭୋକ୍ତାଙ୍କ ପଇତା ଧାରଣ ସହ ଶିବ ମନ୍ଦିରରୁ ଆଜ୍ଞା ନେଇ ଏହି ଯାତ୍ରା ଆରମ୍ଭ ହୁଏ । ତେର ଦିନ ଯାକ ମାନସିକଧାରୀଙ୍କ ଦୁଆର ସମ୍ମୁଖରେ ଧୂଳି ଦଣ୍ଡ, ପରେ ନିକଟସ୍ଥ ଜଳାଶୟରେ ପାଣି ଦଣ୍ଡ ଓ ସନ୍ଧ୍ୟାରେ ଅଗ୍ନି ଦଣ୍ଡ ସହ ଦାତାଙ୍କ ଘର ସମ୍ମୁଖ ରେ ଶିବ ଶିବାଙ୍କୁ ସ୍ଥାପନ କରି ସାରା ରାତ୍ର ଦଣ୍ଡ ନାଟ ପରିବେଷଣ କରାଯାଏ । ବାବା, ଶିବ ପାର୍ବତୀ, ଚଢ଼େୟା ଚଢ଼େୟାଣୀ, ଶବର, ବୀଣା କାର, କର୍ଣ୍ଣ ଦାନୀ ଚରିତ୍ର ଭଳି ବିଭିନ୍ନ ସୁଆଙ୍ଗ ଅନୁଷ୍ଠିତ ହେଇଥାଏ । ଚଳିତ ବର୍ଷ ଏହି ବ୍ଲକରେ ୬ ଗୋଟି ଦଣ୍ଡ ଦଳ ଯଥା, ତଳ ସାଗର ପଡା, ବୁରାଟ, ସିର୍କିହେକୁ, ପଣ୍ଡକାମାଳ (କଲୋନୀ ପଡା), ଶୁଣ୍ଢୀ ପଡା ,ବମକ ଦଳ ବିଭିନ୍ନ ଗ୍ରାମରେ ଦଣ୍ଡ ଯାତ୍ରା ପରିବେଷଣ କରୁଛନ୍ତି । ତଳ ସାଗର ପଡା ଓ ଶୁଣ୍ଢୀ ପଡା ଦଳ ଭବାନୀ ପାଟଣା ଠାରେ ମଧ୍ୟ ଯାତ୍ରା କରିଥିବା ବେଳେ ଅନ୍ୟ ଦଳ ଗୁଡ଼ିକ ମ.ରାମପୁର, କର୍ଲାମୁଣ୍ଡା, ନର୍ଲା, ଆଦି ବ୍ଲକ ବିଭିନ୍ନ ଗ୍ରାମରେ ଏହି ଯାତ୍ରା କରୁଥିବା ଦେଖା ଯାଇଛି । ତେବେ ୧୨ ତାରିଖରେ ପାଞ୍ଚ ଶମ୍ଭୁଙ୍କ ମିଳନ କାର୍ଯ୍ୟକ୍ରମ ମ.ରାମପୁର ବସ୍ ଷ୍ଟାଣ୍ଡ ଠାରେ ହେବା ନେଇ ପ୍ରସ୍ତୁତି ଜୋର୍ ଧରିଛି । ତତ୍ ପାଶ୍ଚାତ ୧୩ ତାରିଖରେ ମେରୁ ପୂଜା ସହ, ୧୪ ତାରିଖରେ ପଣା ସଂକ୍ରାନ୍ତି ପାଳନ ପୂର୍ବକ ଏହି ଯାତ୍ରା ସମାପନ ହେବ।





