ମ.ରାମପୁରରେ ଶ୍ରୀ ରାମଲୀଳା ମହୋତ୍ସବ ପ୍ରସ୍ତୁତି ଚୂଡାନ୍ତ: ମନ ମୋହିବ ଆଦ୍ୟ କାଣ୍ଡରୁ ଲଙ୍କା କାଣ୍ଡ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଶ୍ରୀ ଶ୍ରୀ ରାମ ଜୀଉ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅପ୍ରେଲ ସାତ ତାରିଖ ରୁ ଏଗାର ତାରିଖ ଯାଏଁ ମ.ରାମପୁରରେ ଚାଲିବ ଶ୍ରୀ ରାମଲୀଳା ମହୋତ୍ସବ । ଓଡ଼ିଶା ପ୍ରସିଦ୍ଧ ଏହି ରାମଲୀଳା ମହୋତ୍ସବରେ ଆଦ୍ୟ କାଣ୍ଡ, ଅଯୋଧ୍ୟା କାଣ୍ଡ, ଆରଣ୍ୟକ କାଣ୍ଡ, କିଷ୍କିନ୍ଧ୍ୟା କାଣ୍ଡ, ସୁନ୍ଦରା କାଣ୍ଡ ଓ ଲଙ୍କା କାଣ୍ଡ ମଞ୍ଚସ୍ଥ ହେବ। ପ୍ରତ୍ୟହ ରାତ୍ର ୯ ଘଣ୍ଟା ସମୟରେ ମ.ରାମପୁର ପାଇକ ପଡା ସ୍ଥିତ ରାମ ମନ୍ଦିର ପରିସରରେ ରାମଲୀଳା ମହୋତ୍ସବ ହେବା ନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବା କହିଛନ୍ତି ସଭାପତି ଜିବେଶ୍ କୁମାର ପଣ୍ଡା ଓ ସମ୍ପାଦକ ବୀରେନ୍ଦ୍ର ରଥ । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅତ୍ୟାଧୁନିକ ମଞ୍ଚ, ଶବ୍ଦ ଧ୍ଵନୀ, ଓ ଆଲୋକ ବ୍ୟବସ୍ଥା ସହ ବରିଷ୍ଠ ସଙ୍ଗୀତ ନିର୍ଦେଶକ ମହେଶ୍ୱର ସାହୁ (ଭୁବନେଶ୍ୱର)ଙ୍କ ସଙ୍ଗୀତ ନିର୍ଦ୍ଦେଶନା ଏବଂ ବରିଷ୍ଠ କଣ୍ଠ ଶିଳ୍ପୀ ସନ୍ତୋଷ କୁମାର ଦୁବେ ଏବଂ ସାଥୀଙ୍କ ସଙ୍ଗୀତ ପରିବେଷଣ ସମସ୍ତଙ୍କୁ ଆକର୍ଷିତ କରିବ । ଏଥର ରାମଲୀଳା ମହୋତ୍ସବରେ ଶ୍ରୀ ରାମ ଭୂମିକାରେ ଅମନ ରାୟଗୁରୁ, ଲକ୍ଷ୍ମଣ ଭୂମିକା ରେ ଶାଶ୍ଵତ କୁମାର ଦଣ୍ଡିଆ, ସୀତା : ବିପ୍ର ମାଝୀ, ରାବଣ: ସାଇ ପ୍ରସାଦ ମହାରଣାଙ୍କ ସମେତ ଅନେକ ଅଭିଜ୍ଞ କଳାକାର ଅଭିନୟ କରିବେ ବୋଲି ରାମ ଲୀଳା ନାଟକର ଲେଖକ ଓ ନିର୍ଦେଶକ ପ୍ରାଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ ସୂଚନା ପ୍ରଦାନ କରିଛନ୍ତି । ନୂତନ କଳାକାରଙ୍କ ଯୋଗ ଦାନ ଏହି ମହୋତ୍ସବର ଅନ୍ୟ ଏକ ଆକର୍ଷଣ ବୋଲି ସାଂସ୍କୃତିକ ସମ୍ପାଦକ ଶ୍ରୀପତି ପଟ୍ଟନାୟକ ଓ ଜୟନ୍ତ କୁମାର ନାୟକ ମତ ବ୍ୟକ୍ତ କରିଛନ୍ତି । ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିଲ୍ଲା ତଥା ଜିଲ୍ଲା ବାହାରୁ ବିଭିନ୍ନ ପ୍ରତିଭାବାନ କଳାକାରଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବ ଏବଂ ଅନେକ ଦର୍ଶକଙ୍କ ସମାଗମକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମ ପରିଚାଳନାର ସୁବନ୍ଦୋବସ୍ତ କରାଯାଉଛି ବୋଲି ଉପସଭାପତି ଲଳିତ ମହାଳିକ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.