ରେଲୱେ କାମ ବେଳେ ଅଘଟଣ
କଳାହାଣ୍ଡି,୧୩/୫ : ଆଜି ଏକ ଦୂଃଖଦ ଖବର ଆମର ହସ୍ତଗତ ହୋଇଛି । ପେଟ ପାଟଣା ପାଇଁ ଛତିଶଗଡ ରାଜ୍ୟ ଜଗଦଲପୁରରୁ କଳାହାଣ୍ଡି ଆସି ରେଲବାଇରେ ମଜୁରିଆ କାମ କରୁଥିବା ଜଣେ ଯୁବକର ମୃତ୍ୟୁ ଘଟିଛି । ଏହି ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯିବା ସହ ମୃତକଙ୍କ ପରିବାରକୁ ଗଭିର ସମବେଦନା ଜଣାଇଛନ୍ତି ରୁପ୍ରାରୋଡ ଓ କାଣ୍ଡେଲରୋଡ ଅଞ୍ଚଳ ବାସୀ । ପ୍ରାପ୍ତ ସୂଚନାରୁ ପ୍ରକାଶଯେ ଜଗଦଲପୁର ଅଞ୍ଚଳର ୯ ଜଣ ଯୁବକ କଳାହାଣ୍ଡି ଜିଲ୍ଲାର ନର୍ଲା,ରୁପ୍ରାରୋଡ, କାଣ୍ଡେଲ, କେସିଙ୍ଗା ପ୍ରଭୃତି ରେଳ ଷ୍ଟେସନ ଗୁଡିକର ଉନ୍ନୟନ କାମ ସହ ତୃତୀୟ ଲାଇନ କାମରେ ନିୟୋଜିତ ଥିଲେ । ପ୍ରତିଦିନ ପରି ଏମାନେ ସ୍ଥାନୀୟ ଶ୍ରମିକ ମାନଙ୍କ ସହ ମିଶି ରୁପ୍ରାରୋଡ – କାଣ୍ଡେଲ ରୋଡ ରେଳ ଷ୍ଟସନ ମଝିରେ ଥିବା ତଥା ଧରଣିପଦର ପାଖ ବଲବସପୁର ରେଳ ଲାଇନ ତଳେ ପୋଲ ବିଛାଉଥିଲେ । ଜେଟିସି କମ୍ପାନୀ ଅଧିନରେ ଏହି ଶ୍ରମିକ ମାନେ କାମ କରୁଥିଲେ । ଆଜି ରେଳ ଲାଇନ ତଳେ ପୋଲ ଲଗାଯାଉଥିବା କାମ ଚାଲିଥିବା ବେଳେ ଠିକାଦାର ଏବଂ ଉପସ୍ଥିତ ଏଇଏନ୍, ଏଡିଇ ପ୍ରମୁଖ ଅଧିକୀରୀ ମାଟି କାଢିବା ପାଇଁ ରେଳ ଲାଇନ ତଳକୁ ଯିବାପାଇଁ ତିନିଜଣ ଶ୍ରମିକଙ୍କୁ ପଠାଇଥିଲେ ।
ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ
ସେଥି ମଧ୍ୟରୁ ଜବଦଲପୁରରୁ ଆସିଥିବା ମଜୁରିଆ ରମେଶ କୋୟାମ, ସ୍ଥାନୀୟ ବୁଢିପଦର ଗ୍ରାମର ଶ୍ରମିକ ମାର୍କଣ୍ଡ ବାଗ ଓ ଅନ୍ୟଜଣେ ସୁରେଶ ବାଗ ପ୍ରାୟ ୫ ଫୁଟ ତଳକୁ ମାଟି କାଢିବା କାମ କରୁଥିବାଲେ । ଏହି ସମୟରେ ରେଳ ଲାଇନ ଉପରେ ଜେସିବି ମେସିନ୍ ଗେଠି ଫିଲିଙ୍ଗ କରୁଥିଲା । ରେଳ ଲାଇନ ଉପରେ ଓଜନିଆ ମେସିନ ଥିବାରୁ ମାଟି ଅତଡା ଖସିବା ଫଳରେ ଭିତରେ କାମ କରୁଥିବା ଶ୍ରମିକ ରମେଶ କୋୟାମ ମାଟି ଅତଡା ତଳେ ପୋତି ହୋଇ ମୃତ୍ୟୁ ବରଣ କରିଥିଲେ । ରମେଶ ଘଟଣା ସ୍ତଳରେ ମୃତ୍ୟୁ ବରଣ କରିଥିବା ବେଳେ ସ୍ଥାନୀୟ ବୁଢୀପଦର ଗ୍ରାମର ଦୁଇଜଣ ଶ୍ରମିକଙ୍କୁ ପାଖରେ ଥିବା ବ୍ୟକ୍ତି ମାନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତ୍ତି ଯାଇଥିଲେ । ଶ୍ରମିକ ମାର୍କଣ୍ଡ ବାଗଙ୍କ ନାକ ପର୍ଯ୍ୟନ୍ତ ମାଟି ପୋତି ହୋଇଯାଇଥିବା ବେଳେ ତାଙ୍କୁ ରାକ୍ସି ଗ୍ରାମର ଶ୍ରମିକ ମାନେ ଉଦ୍ଧାର କରିଥିବା ଜଣାଯାଇଛି । ଏହି ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ନର୍ଲା ଡାକ୍ତରଖାନା ଆଣି ଚିକିତ୍ସା କରାଯାଉଥିବା ଜଣାପଡିଛି । ଉପସ୍ଥିତ ରେଳବାଇ ଅଧିକାରୀ ଏଡିଇ ଶ୍ରୀ ସାହା ଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ଏପରି ଦୁର୍ଘଟଣା ଘଟି ଜଣେ ନୀରିହ ଶ୍ରମିକର ଅକାଳ ବିୟୋଗ ଘଟିଥିବା ସାଧାରଣରେ ଆଲୋଚନା ହେଉଛି ।
ହଜାଯାଉଛି ମାନବିକତା !
ମୃତ ରମେଶ ଜବଦଲପୁର ଦେଓପାରା ର ସମତୁ କୋୟାମଙ୍କ ପୁଅ ବୋଲି ରମେଶର ଶବ ପାଖରେ ଜଗି ବସିଥିବା ତାର ଦୁଇ ଭଉଣୀ ପ୍ରକାଶ କରିଛନ୍ତି । ଜେଟିସି କମ୍ପାନୀ ରାୟଗଡାର ମାଲିକ ନବୀନ ଗୋଲାନୀଙ୍କୁ ମୃତ ଶ୍ରମିକର ବ୍ୟବସ୍ଥା କଣ କରୁଛନ୍ତି, କ୍ଷତିପୁରଣ ବାବଦକୁ କଣ ବ୍ୟବସ୍ଥା କରୁଛନ୍ତି ବୋଲି ପଚାରିବାକୁ ଚେଷ୍ଟା କରିବାରୁ ସେ ତୁରନ୍ତ ତାଙ୍କର ମୋବାଇଲ ସ୍ୱିଚ୍ ଅଫ୍ କରିଦେଇଥିଲେ। ରେଳବାଇ କାମ ତଦାରଖ କରୁଥିବା ଏଡିଇ ଶ୍ରୀ ସାହାଙ୍କ ମତାମତ ନେବାରୁ ସୁରକ୍ଷା ବ୍ୟବସ୍ଥା କଡାକଡି ରହିଥିବା ସତ୍ୱେ ଏଭଳି ଦୁର୍ଘଟଣା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ଶ୍ରମିକ ରମେଶଙ୍କ ମୃତ୍ୟୁ ପରେ ଜିଆରପି ଟିଟିଲାଗଡକୁ ସୂଚୀତ କରା ଯାଇଥିଲା । ଶବ ବ୍ୟବଚ୍ଛେଦ ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ପରେ ପରିବାରକୁ ଶବ ହସ୍ତାନ୍ତର କରାଯିବ ଏବଂ ରେଳବାଇ ପକ୍ଷରୁ ଯାହା ଯେମିତି କ୍ଷତିପୁରଣ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି ଏଡିଇ । ମୃତ ଶ୍ରମିକଙ୍କ ଶବକୁ ନିକଟରେ ତାଙ୍କ ଭଉଣୀଙ୍କ ବୁକୁଫଟା କ୍ରନ୍ଦନରେ ସ୍ଥବ୍ଧ ହୋଇ ଯାଇଥିଲା ଏହି ଅଞ୍ଚଳ । ମୂକ ଦର୍ଶକ ସାଜି ସମସ୍ତେ ଦେଖୁଥିଲେ ଏହି ଦୃଷ୍ୟ । ପ୍ରଚଣ୍ଡ ରୌଦ୍ର ତାପରେ ଶବ ପଡିରହିଥିଲା ଏକ ଗଛ ତଳେ। ମୃତ ଶ୍ରମିକଙ୍କ ସଂପର୍କିୟଙ୍କ କ୍ରନ୍ଦନ ସୁଣିବାକୁ ସତେ ଯେପରି କାହାରି ପାଖରେ ସମୟ ନଥିଲା ଜଣା ପଡୁଥିଲା ସତେଅବା ମଣିଷ ପଣିଆର ଅବକ୍ଷୟ ହୋଇଛି । ଏହା ଏକ ବିରାଟ ପ୍ରଶ୍ନବାଚୀ ନେଇ ଠିଆ ହୋଇଥିବା ବେଳେ ସାଖି ରହିଥିଲା କେବଳ ବଳବସପୁର-ଧରଣୀପଡାର ମହାଜନ ବୁଢାର ଆମ୍ବ ବଗିଚା । ଏପରି ଭାବେ ପେଟ ପାଟଣା ପାଇଁ ପରଦେଶି ସାଜିଥିବା ଏକ ଯୁବକର ଦୂଃଖଦ ଅନ୍ତ ହୋଇଥିଲା ।
For latest news & updates, click on bell button and subscribe to notifications.
Like us on Facebook👇
Subscribe us on Youtube👇
Join our whatsapp group👇