ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଓଡ଼ିଶାର ରାଜଧାନୀ ଭୁବନେଶ୍ବର ସହିତ ଦକ୍ଷିଣ ଓଡ଼ିଶା, ଆନ୍ଧ୍ରପ୍ରଦେଶର ବିଜୟନଗରମ୍, ବିଶାଖାପାଟଣାକୁ ସିଧାସଳଖ ଯୋଡ଼ିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ଜୁନାଗଡ଼ରୋଡ଼- ଭୁବନେଶ୍ବର ଏକ୍ସପ୍ରେସ୍ ଟ୍ରେନ । ତେବେ ମହାମାରୀ କରୋନା ଆସିବା ପରଠାରୁ ଏହି ଟ୍ରେନର ଯାତାୟତରେ କଟକଣା ଲାଗିବା ଭଳି ଏହାର ରହଣୀସ୍ଥଳଗୁଡ଼ିକ ମଧ୍ୟ ପରିବର୍ତ୍ତନ କରାଯାଇଛି । ଯାହାଦ୍ବାରା ଏଇ ଟ୍ରେନ୍ ଉପରେ ନିର୍ଭର କରୁଥିବା ହଜାର ହଜାର ଲୋକେ ଏବେ ନିରାଶ ହୋଇପଡ଼ିଛନ୍ତି । ଏପରିକି କଳାହାଣ୍ଡି ଜିଲ୍ଲାର ଜୁନାଗଡ଼, ଭବାନୀପାଟଣା, ଦେପୁର, ରାମଚନ୍ଦ୍ରପୁର ସମେତ ଜିଲ୍ଲାର ଗୁରୁତ୍ବପୂର୍ଣ୍ଣ ଲାଞ୍ଜିଗଡ଼ରୋଡ଼ ରେଳ ଜଙ୍କସନ୍ ଠାରେ ଏଇ ଟ୍ରେନର ରହଣୀସ୍ଥଳ ଥିଲା । ତେବେ କୋଭିଡ଼ ପରିସ୍ଥିତି ସମୟରୁ କେବଳ ଜୁନାଗଡ଼ ଓ ଭବାନୀପାଟଣାରେ ରହଣୀ ଥିବାବେଳେ ଲାଞ୍ଜିଗଡ଼ରୋଡ଼ ଜଙ୍କସନ୍ ସମେତ ଦେପୁର ଓ ରାମଚନ୍ଦ୍ରପୁର ପାସେଞ୍ଜର ହଲ୍ଟଠାରେ ଟ୍ରେନ୍ ରହଣୀକୁ ବାତିଲ କରିଦିଆଯାଇଛି । ଫଳରେ ଏଇ ରହଣୀସ୍ଥଳ ଉପରେ ନିର୍ଭର କରୁଥିବା ଯାତ୍ରୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏପରି ପରିସ୍ଥିତିରେ ଦୁଇଟି ପାସେଞ୍ଜର ହଲ୍ଟ ବ୍ୟତୀତ ଲାଞ୍ଜିଗଡ଼ରୋଡ଼ ରେଳ ଜଙ୍କସନରେ ବହୁ ଲୋକେ ନିର୍ଭରଶୀଳ ଥିବାରୁ ଏଠାରେ ଜୁନାଗଡ଼ରୋଡ଼-ଭୁବନେଶ୍ବର ଏବଂ ଭୁବନେଶ୍ବର-ଜୁନାଗଡ଼ରୋଡ଼ ଏକ୍ସପ୍ରେସ୍ ଟ୍ରେନର ରହଣୀ ପାଇଁ ଦାବି ଜୋର ଧରିଛି । ପୂର୍ବରୁ ରେଳ ବିଭାଗ ପକ୍ଷରୁ ପ୍ରତିଶ୍ରୁତି ଦେଇଥିଲେ ବି ଏହାକୁ କାର୍ଯ୍ୟକାରୀ କରାଯାଉନାହିଁ । ଏହାକୁ ନେଇ ଅଞ୍ଚଳରେ ଜନଅସନ୍ତୋଷ ବୃଦ୍ଧି ପାଉଥିବାବେଳେ ଏନେଇ ଅଞ୍ଚଳବାସୀଙ୍କ ତରଫରୁ ପୁଣି ଏକ ଦାବିପତ୍ର ସମ୍ବଲପୁର ରେଳ ମଣ୍ଡଳ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଲାଞ୍ଜିଗଡ଼ରୋଡ଼ ରେଳ ଷ୍ଟେସନ ପରିଚାଳକ ପରମାନନ୍ଦ ସେଠୀଙ୍କୁ ପ୍ରଦାନ କରାଯାଇଛି । ଲାଞ୍ଜିଗଡ଼ରୋଡ଼ ସରପଞ୍ଚ ସୁଶ୍ରୀ ମମତା ଶବର, ସମିତିସଦସ୍ୟା ମୁକ୍ତା ଭୋଇ, ପୂର୍ବତନ ସରପଞ୍ଚ ଟଙ୍କଧର ମାଝୀ, ବିଜେଡ଼ି ଜୋନ ସଭାପତି ଚନ୍ଦ୍ରଶେଖର ମହାପାତ୍ର, ସୌମ୍ୟରଞ୍ଜନ ପାତ୍ର, ମିଲନ କୁମାର ମହାପାତ୍ର, ସୈାରଭ ପାତ୍ରଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଷ୍ଟେସନ ପରିଚାଳକଙ୍କୁ ସାକ୍ଷାତ କରି ଏଇ ଦାବିପତ୍ର ପ୍ରଦାନ କରିଥିଲେ । ଏଇ ଅବସରରେ ସମାଜସେବୀ ଗୋପାଳ ଦାସ ମହାନନ୍ଦ, ନିଲେଶ କୁମାର ନାଗ ଏବଂ ଲାଞ୍ଜିଗଡ଼ରୋଡ଼ ଅଞ୍ଚଳବାସୀ ପ୍ରମୁଖ ଉପସ୍ଥିତ ଥିଲେ ।