ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସ୍ଥିତ ଲକ୍ଷ୍ମୀ ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସ ପକ୍ଷରୁ ଅଷ୍ଟମ ବାର୍ଷିକ ଉତ୍ସବ ‘ଦି ହାରଭେଷ୍ଟ-୨୦୨୬-୨୭’ ଶନିବାର ଦିନ ମହାଆଡ଼ମ୍ବରରେ ଆୟୋଜିତ ହୋଇଥିଲା। ଭବାନୀପାଟଣା ସ୍ଥିତ ବିକାଶ ୱିଜଡମ୍ ପାର୍କ ପରିସରରେ ଆୟୋଜିତ ଏହି ଉତ୍ସବରେ ଶିକ୍ଷା, ସଂସ୍କୃତି ଓ ଛାତ୍ରଛାତ୍ରୀଙ୍କ ପ୍ରତିଭାର ଅପୂର୍ବ ସମନ୍ୱୟ ପରିଲକ୍ଷିତ ହୋଇଥିଲା।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଡ. ଜୟଦେବ ସରଙ୍ଗୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଆରକ୍ଷୀ ଅଧୀକ୍ଷକ ନାଗରାଜ ଦେବରକୋଣ୍ଡା ଯୋଗଦେଇଥିଲେ। ଏଥିସହ ଲକ୍ଷ୍ମୀ ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସର ଅଧ୍ୟକ୍ଷ ଡି. ନାଗେଶ୍ୱର ରାଓଙ୍କ ଉପସ୍ଥିତି ଉତ୍ସବକୁ ଗରିମାମୟ କରିଥିଲା। କାର୍ଯ୍ୟକ୍ରମର ଆରମ୍ଭରେ ମଙ୍ଗଳ ଦୀପ ପ୍ରଜ୍ୱଳନ କରାଯାଇଥିଲା। ଏହାପରେ ଲକ୍ଷ୍ମୀ ବିକାଶ ଗ୍ରୁପ୍ର ମୁଖ୍ୟ ଏକାଡେମିକ୍ ଅଧିକାରୀ ଡି. ପଦ୍ମିନୀ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ସ୍ୱାଗତ ଅଭିଭାଷଣ ରଖିଥିଲେ। ପରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସମ୍ବଲପୁରୀ ନୃତ୍ୟ ସହ ବଲିଉଡ୍ ନୃତ୍ୟ, ଭରତନାଟ୍ୟମ୍, ଲୋଟସ୍ ଓ ଭାଙ୍ଗଡ଼ା ଭଳି ବିଭିନ୍ନ ଆକର୍ଷଣୀୟ ସାଂସ୍କୃତିକ ପରିବେଷଣ କରାଯାଇଥିଲା। ଏହି ଅବସରରେ ବିକାଶ ଡିଗ୍ରୀ କଲେଜର ଅଧ୍ୟକ୍ଷ ଡ. ଆଦିତ୍ୟ ପଟ୍ଟନାୟକ, ବିକାଶ କଲେଜ ଅଫ୍ ଆଇଟି ଆଣ୍ଡ ମ୍ୟାନେଜମେଣ୍ଟର ଅଧ୍ୟକ୍ଷ ଡ. ସୁଦୀପ୍ତ ଜେନା, ବିକାଶ ହାୟର ସେକେଣ୍ଡାରୀ ସ୍କୁଲର ମୁଖ୍ୟ ପ୍ରଶାସକ ତଥା ଅଧ୍ୟକ୍ଷ ଜୁବରାଜ ନାୟକ,ବିକାଶ ନର୍ସିଂ କଲେଜର ଅଧ୍ୟକ୍ଷ ଡ.ଏସ୍.ଗୋପୀନାଥ ଏବଂ ବିକାଶ ରେସିଡେନ୍ସିଆଲ୍ ସ୍କୁଲର ଅଧ୍ୟକ୍ଷା ଆରତୀ ମିଶ୍ର ନିଜ ନିଜ ଅନୁଷ୍ଠାନର ବାର୍ଷିକ ଶୈକ୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ଏଥିସହ ବିଦ୍ୟାଳୟର ହେଡ୍ ବୟ ଓ ହେଡ୍ ଗାର୍ଲ ଛାତ୍ର ପରିଷଦର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ଉତ୍ସବରେ ଅଧ୍ୟକ୍ଷ ଡି. ନାଗେଶ୍ୱର ରାଓ ଅଭିଭାଷଣ ରଖିଥିବା ବେଳେ ମୁଖ୍ୟ ଅତିଥି ଡ. ଜୟଦେବ ସରଙ୍ଗୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହ ଶୃଙ୍ଖଳା, ନିଷ୍ଠା ଓ ନିରନ୍ତର ପରିଶ୍ରମ ମାଧ୍ୟମରେ ଜୀବନରେ ସଫଳତା ହାସଲ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ପାରା ବ୍ୟାଡମିଣ୍ଟନ୍ ଖେଳାଳି ଅଜୟ କୁମାର ପ୍ରଧାନଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯିବା ସହ ଉପସ୍ଥିତ ବିଶିଷ୍ଟ ଅତିଥିମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଏଥିସହ ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଶେଷରେ ଲକ୍ଷ୍ମୀ ବିକାଶ ଗ୍ରୁପ୍ର ମୁଖ୍ୟ ଏକାଡେମିକ୍ ଅଧିକାରୀ ଶ୍ରୀମତୀ ଡି. ବିଜୟା ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ ନୃତ୍ୟ ପରିବେଷଣ ସହ ଉତ୍ସବର ସମାପନ ହୋଇଥିଲା। ଏହି ବାର୍ଷିକ ଉତ୍ସବ ଶିକ୍ଷା ସହିତ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭା, ସୃଜନଶୀଳତା ଓ ସାଂସ୍କୃତିକ ଚେତନାର ବିକାଶ ପାଇଁ ଏକ ଉତ୍କୃଷ୍ଟ ମଞ୍ଚ ସାଜିଥିଲା।





