ପଶ୍ଚିମାଞ୍ଚଳ କୃଷିଜିବୀ ସମାଜରେ ମାଉଲୀ ଉପାସନା : ଏକ ବିହଙ୍ଗାବଳୋକନ

ସୁନୀଲ କୁମାର ଧଙ୍ଗଡାମାଝୀ

Omkar Vasthu
Omkar Vasthu

ଆର୍ଯ୍ୟ ମାନଙ୍କ ଆଗମନ ପୂର୍ବରୁ ଭାରତ ବର୍ଷର ଅନେକ ସ୍ଥାନରେ ପ୍ରକୃତି ଉପାସନା କରାଯାଉଥିଲା । ପ୍ରାଚୀନ ଅରଣ୍ୟ ବାସୀ ସମାଜ ଯେତେବେଳେ କୃଷିଜିବୀ ସମାଜରେ ରୁପାନ୍ତରିତ ହେଲା ସେହି ସମୟଠାରୁ ଅନେକ ଅରଣ୍ୟ ଦେବା ଦେବୀ କୃଷି ଦେବତାରେ ରୁପାନ୍ତରିତ ହୋଇଛନ୍ତି । ବିବର୍ତ୍ତନର ଧାରାରେ ଉପାସନା ପଦ୍ଧତ୍ତି କେତେକାଂଶରେ ପ୍ରଭାବିତ ହୋଇଛି ତେବେ ଆଜି ମଧ୍ୟ ପଶ୍ଚିମ ଓଡିଶାର ପ୍ରାୟ ପ୍ରତ୍ୟେକ ଗ୍ରାମରେ ପ୍ରାଚୀନ ଧାରା ଅନୁସାରେ ଦେବା ଦେବୀ ମାନଙ୍କ ଉପାସନା ହୋଇ ଆସୁଛି । ପ୍ରାଚୀନ ଧାରାର ବିଭିନ୍ନ ଦେବତା ମଧ୍ୟରୁ ମାଉଲୀ ବା ମାଏଲୀ ଦେବୀ ଧରଣି ଦେବୀଙ୍କ ପରି ଏକ ପ୍ରାଚୀନ ଦେବତା ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଆଦିବାସୀ ସଂସ୍କୃତିର ଏହି ଦେବୀ ଆଜି ଜାତି ବର୍ଣ୍ଣ ନିର୍ବିଶେଷରେ ସମସ୍ତ କୃଷକଙ୍କ ଦ୍ବାରା ଆରାଧିତ ହୋଇ ଆସୁଛନ୍ତି । ଦେବୀ ମାଉଲୀ କୃଷି କ୍ଷେତ୍ରର ରକ୍ଷାକର୍ତ୍ତି ଦେବୀ । ଦେବୀଙ୍କୁ ଚାଷୀ ମାନେ ନିଜ ନିଜ ଚାଷ ଜମିର ହୁଡାରେ ସ୍ଥାପନା କରି ପୂଜାର୍ଚନା କରିଥାନ୍ତି । ମାଉଲୀ ଦେବୀ ଅନେକ ପ୍ରକାର ଯଥା ; ମିରଚୁ ମାଏଲୀ, ଧନ ମାଏଲୀ, ରକତ୍ ମାଏଲୀ, ଘଙ୍ଗୋ ମାଏଲୀ, ବୁଢୀ ମାଉଲୀ, ଠୁଟି ମାଏଲୀ, କାମନା ମାଏଲୀ, ସନ୍ଧି ମାଏଲି, ଜଲ୍ ମାଏଲୀ, ଥଲ୍ ମାଏଲୀ ଇତ୍ୟାଦି । ସ୍ଥାନାନୁପାତରେ ମାଉଲୀ ଦେବୀ ଆହୁରୀ ଅନେକ ନାମରେ ନାମିତ ହୋଇଥାନ୍ତି । ଉଦାହରଣ ସ୍ବରୂପ ପୋଡଛାପର ନାମକ କ୍ଷେତ ହୁଡାରେ ଅବସ୍ଥାପିତ ମାଉଲୀ “ପୋଡ୍ ଛାପରେନ୍” ନାମରେ ଖ୍ୟାତ । ଲୋକ ଗୀତ ଢାପ୍ ରେ –

ଜୁଆର୍ ଗୋ ମାଁ ପୋଡଛାପରେନ୍ ବନ୍ଦନା କରୁଚେଁ ତକେ
ସଭା ଜନମାନେ ବସି ସୁଣୁଛନ୍ତି ପଦ କହିଦେବୁ ମୋତେ
ଜୁଆର୍ ମାଁ
ଆଗୋ ମାଏଲୀ ବୁଡି ଜୁଆର୍ ମାଁ
ତୋର ପାହାଁ ତଲେ ଯାଉଚେ ଗଡି ଜୁଆର୍ ମାଁ
ଆଗୋ ମାଏଲୀ ବୁଡି ଜୁଆର ମାଁ….. ।।

ଲୋକକଥା ରେ ଘଙ୍ଗୋ ମାଏଲୀ

ଅନେକ ଯୁଗ ତଳର କଥା କନ୍ଧ ବୁଢାଟିଏ ଜମିରେ କୋଠର ପରିଶ୍ରମ କରି ଚାଷ ବାସ କରୁଥାଏ । ବୁଢାର ଡୁଲିରେ ସୁନା କେଣ୍ଡା ପରା ଧାନ ଫଲିଥାଏ । ବୁଢା ଖେତ ହୁଡାରେ ମାଏଲୀ ଦେବୀଙ୍କୁ ସ୍ଥାପନା କରି ଉପାସନା କରି ଆସୁଥାଏ । ଗୋଟିଏ ଅନ୍ଧକାର ରାତିରେ ଦଳେ ଚୋର କନ୍ଧ ବୁଢାର ଖେତରେ ପସି ଧାନ କାଟିବାକୁ ଲାଗିଲେ । ସେହି ଖେତରେ ତ ମାଉଲୀ ବୁଢି ରହିଛି ସେ କନ୍ଧ ବୁଢାକୁ ସ୍ବପ୍ନରେ କହିଲେ – “ତୁଇ ଅଚିନ୍ତାରେ ସୁଇଚୁ ସେଫାଲେ ତର୍ ଖେତେ ଚୋର୍ ସମିକରି ଧାନ କାଟି ନେଉଚତ୍ । ହେଲେ ତୁଇ ବ୍ୟସ୍ତ ନାଇଁ ହ ସେମାନେ ଜେନତା କରି କାଟୁଥିଲେ ସେନତାକରି ଏକା ରହିଚତ୍ । ଯାଇକରି ଦେଖ୍ । “
ବୁଢା ଭୋର୍ ରୁ ଖେତକୁ ଧାଇଁଲା । ଖେତରେ ପହଞ୍ଚି ସେ ଦେଖିଲା ପାଞ୍ଚ ଜଣ ଚୋର ଘଙ୍ଗୋ ହୋଇ ଧାନ କାଟୁଥିବା ଅବସ୍ଥାରେ ହିଁ ରହିଛନ୍ତି । କନ୍ଧ ବୁଢା ଗାଁର ସିଆନ୍ ମାନଙ୍କୁ ଡାକି ଆଣି ଦେଖାଇଲେ । ଚୋର ମାନେ ଶାସ୍ତି ପାଇଲେ । ଦେବୀ ମାଏଲୀ ଚୋର ମାନଙ୍କୁ ଘଙ୍ଗୋ କରି ରଖିଥିବାରୁ ସେହି ଦିନ ଠାରୁ ଘଙ୍ଗୋ ମାଏଲୀ ନାମରେ ଖ୍ୟାତ ହେଲେ ।

ଉପାସନା ପଦ୍ଧତ୍ତ୍ତି

ଦେବୀ ମାଏଲୀ କେବେ ଠାରୁ ଏହି ମାଟିରେ ପୂଜା ପାଉଛନ୍ତି ସେ ବିଷୟରେ ଅନୁଦ୍ଧ୍ୟାନ କରିବା ଏକ ଦୂରୁହ ବ୍ୟାପାର । ଏହା ସହ ଏହି ଦେବତାଙ୍କୁ କେତେକ ଶାକ୍ତ ଧର୍ମ ଧାରାର ଦେବୀ ବୋଲି ମତପ୍ରକାଶ କରୁଥିବାବେଳେ ଜନ ମାନସରେ ସେ ଏକ ପ୍ରାଚୀନ ଆର୍ଯ୍ୟୋତର ଦେବୀ ଭାବେ ଉପାସିତ ହୋଇ ଆସୁଛନ୍ତି । ମାଉଲୀ କଳାହାଣ୍ଡି ବଲାଂଗିର ସମେତ ପଶ୍ଚିମ ଓଡିଶାର ପ୍ରାୟ ପ୍ରତ୍ୟେକ ଗ୍ରାମର ଗ୍ରାମଦେବୀ ଭାବେ ଆରାଧିତା । ଏହି ଦେବତାଙ୍କ ଉପାସନା ପାଇଁ ମନ୍ତ୍ର ତନ୍ତ୍ରର ଆବଶ୍ୟକତା ପଡିନଥାଏ । ଦେବୀଙ୍କୁ ମଦ୍ୟ ଓ ବଳୀ ପ୍ରଦାନ କରାଯାଇଥାଏ ।

ଚୋରୋ

ଶସ୍ୟ ଅମଳ ପୂର୍ବରୁ କିମ୍ବା ପରେ ମାଉଲୀ ଦେବୀଙ୍କ ପାଖରେ ଚୋରୋ ପ୍ରଦାନ କରାଯାଇଥାଏ । ଯେଉଁ ଦିନ ଚୋରୋ ପ୍ରଦାନ କରାଯାଇଥାଏ । ସେହି ଦିନ ମାଉଲୀଙ୍କ ଆସ୍ଥାନକୁ ଭଲଭାବେ ସଫା କରି । ଗାଇର ଗୋବରରେ ଲିପା ଯାଇଥାଏ । ଚାଷୀ ଏହା ପୂର୍ବରୁ ଗାଁର ଗୌନ୍ତିଆ, ଜାନୀ, ଝାଙ୍କର, ଗଣା ସମେତ ନିଜର ଅଂଶି ବଂଶି ତଥା ବନ୍ଧୁ ମାନଙ୍କୁ ଡାକିଥାନ୍ତି । ଏହି ଦିନ ମାଉଲୀ ଦେବୀ ସହ ଡଙ୍ଗର ବୁଡା ଓ ଅନ୍ୟାନ୍ୟ ଦେବା ଦେବୀଙ୍କୁ ମଧ୍ୟ ପୂଜା କରାଯାଇଥାଏ ।

ଗାଁର ଗୌନ୍ତିଆ କିମ୍ବା ଜାନୀ ସପ୍ତ ମୁରୁଜ (ଇଟା ଗୁଣ୍ଡ, ଚାଉଳ ଗୁଣ୍ଡ, ପତ୍ର ଗୁଣ୍ଡ, କଳା ଗୁଣ୍ଡ ଇତ୍ୟାଦି ) ଦ୍ବାରା ଯନ୍ତ୍ର ମଣ୍ଡଳ କାଟି ଦେବୀ ଆବାହନ କରିଥାନ୍ତି । ଦେବୀଙ୍କ ସହ ଡଙ୍ଗର ବୁଡା, ଠେଙ୍ଗା (ସ୍ଥାନାନୁପାତରେ ଅନ୍ୟ ଦେବା ଦେବୀ ମଧ୍ୟ ହୋଇଥାନ୍ତି) ଙ୍କୁ ମଧ୍ୟ ପୂଜା କରାଯାଇଥାଏ । ଦେବୀ ଦେବତାଙ୍କ ଉଦ୍ଦେଶ୍ୟରେ ମଦ୍ ଥିପାଇବା ପରେ କୁକୁଡା, ବତକ, ଗଡରା ଆଦି ବଳି ପକାଯାଇଥାଏ । ବର୍ଷ ଯାକ ଖରା ତରା ସହି ଦେବୀ କୃଷି କ୍ଷେତ୍ରର ରକ୍ଷା କରିଥିବାରୁ ଚାଷି ଦେବୀ ମାଏଲୀଙ୍କ ପ୍ରତି କୃତଜ୍ଞତା ଜଣାଇ ସାଷ୍ଟାଙ୍ଗ ପ୍ରଣିପାତ କରିଥାଏ । ଏହା ପରେ ବଳି ପଡିଥିବା ସବୁ ସାମଗ୍ରୀକୁ ସେହି ଖେତ ହୁଡାରେ ହିଁ ରୋଷେଇ କରି ଉପସ୍ଥିତ ସମସ୍ତ ପୁରୁଷ ପ୍ରସାଦ ଜ୍ଞାନରେ ଭକ୍ଷଣ କରିଥାନ୍ତି । ଏହି ବଳି ପ୍ରସାଦକୁ ନାରୀ ମାନେ ଖାଇବା ମନା । ଯଦି କୌଣସି ନାରୀ ଏହାକୁ ଭକ୍ଷଣ କରେ ତେବେ ସେ ବନ୍ଧ୍ୟା ହୋଇଯିବାର ବିଶ୍ବାସ ରହିଛି ।

 

ପରିଶେଷରେ ଏତିକି କୁହାଯାଇ ପାରେଯେ ଦେବୀ ମାଉଲୀ ଆଦିମ ସମାଜର ଦେବତା । ପ୍ରାଚୀନ କାଳରୁ ଆଜି ଜାଏଁ ପରଂପରା ଅନୁକ୍ରମରେ ଦେବୀଙ୍କ ପୂଜା ଉପାସନା ହୋଇଆସୁଛି । ଗଭିର ନିଷ୍ଠା ସହକାରେ ଚାଷୀ ଦେବିଙ୍କ ଆରଧନା କରିବା ସହ ଦେବୀଙ୍କ ପ୍ରତି ପ୍ରଗାଢ ଭକ୍ତି ରଖିଆସିଛି।

 

ସୁନୀଲ କୁମାର ଧଙ୍ଗଡାମାଝୀ

Editor odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.