ଯୁବ ସାମ୍ବାଦିକ ମହମ୍ମଦ ଅସଲମଙ୍କ ଦ୍ବିତୀୟ ପୁଣ୍ୟତିଥି ପାଳନ

ସୁନୀଲ ଧଙ୍ଗଡାମାଝୀ, ସମିକ୍ଷା ପ୍ରହରାଜ ଓ ଶୁଭମ ମହାଖୁଡଙ୍କୁ ମହମ୍ମଦ ଅସଲମ ସ୍ମୃତି ସମ୍ମାନ ପ୍ରଦାନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ସ୍ଥିତ ଅମଲା ଭବନଠାରେ ଦିବଂଗତ ଯୁବ ସାମ୍ବାଦିକ ମହମ୍ମଦ ଅସଲମଙ୍କ ଦ୍ବିତୀୟ ପୁଣ୍ୟତିଥି ଅବସରରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଉମାଶଙ୍କର କର, ସମାଜସେବୀ ଭାରତ ଭୂଷଣ ଠାକୁର, ଭବାନୀପାଟଣା ମସଜିଦ କମିଟି ସଂପାଦକ ସେକ୍ ସଲିମ୍, ଭବାନୀପାଟଣା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ଼ଃ ଅଜୟ କୁମାର ମିଶ୍ର, ନାଟ୍ୟକାର ତଥା ଶିକ୍ଷାବିତ୍ ଡ଼ଃ ଉମେଶ ଚନ୍ଦ୍ର ସତପଥି, ବଣିକ ସଂଘ ସଭାପତି ବିଜୟ କୁମାର ସାହୁ, ବରିଷ୍ଠ ଆଇନଜୀବୀ ଭବେନ୍ଦ୍ର କୁମାର ପଣ୍ଡା, ସମାଜସେବୀ ସନ୍ତୋଷ କୁମାର ମୁଣ୍ଡ, ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗି ପ୍ରମୁଖ ମଞ୍ଚାସୀନ ଥିଲେ। ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମହାପାତ୍ରଙ୍କ ସଂଯୋଜନାରେ ଅତିଥିବୃନ୍ଦ ଓ ଉପସ୍ଥିତ ବୁଦ୍ଧିଜୀବୀମାନେ ସ୍ବର୍ଗତ ଅସଲମଙ୍କ ସ୍ମୃତି ଚାରଣ କରିଥିଲେ। ସଭା ଆରମ୍ଭରେ ଦିବଂଗତ ଯୁବ ସାମ୍ବାଦିକ ମହମ୍ମଦ ଅସଲମଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ କ୍ୟାଣ୍ଡେଲ ପ୍ରଜ୍ବଳନ କରାଯାଇଥିଲା। ଏହି ଅବସରରେ ଓଡ଼ିଆ ବାର୍ତ୍ତା ସଂପାଦକ ସୁନୀଲ କୁମାର ଧଙ୍ଗଡାମାଝୀ, ଏନସିସିର ୟୁଥ ଏକ୍ସଚେଞ୍ଜ କାର୍ଯ୍ୟକ୍ରମରେ କାର୍ଗିଜସ୍ଥାନ ଗସ୍ତ କରିଥିବା ଯୁବ ପ୍ରତିଭା ଶୁଭମ ମହାକୁଡ ଓ ସାମ୍ବାଦିକତା କ୍ଷେତ୍ରରେ ଯୁବ ପ୍ରତିଭା ସମୀକ୍ଷା ପ୍ରହରାଜଙ୍କୁ ମହମ୍ମଦ ଅସଲମ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ସ୍ମୃତି ସଭାରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତର ସାମ୍ବାଦିକ, ନାଟ୍ୟକାର, ସମାଜସେବୀ, ନେତୃ ସ୍ଥାନୀୟ ବ୍ୟକ୍ତି, ଆଇନଜୀବୀ, ଗବେଷକ, କବି, ଲେଖକ, ସାହିତ୍ୟିକ, ଶିକ୍ଷାବିତ୍ ସମେତ ବିଭିନ୍ନ ବର୍ଗର ଜନସାଧାରଣ ଉପସ୍ଥିତ ଥିଲେ। ସାମ୍ବାଦିକ ରଜନୀ ମିଶ୍ର, ଅଜିତ ସିଂ, ତାପସ ମହାନ୍ତି, ବିକାଶ ଷଡ଼ଙ୍ଗୀ, ଦୁଃଖିଶ୍ୟାମ ପଧାନ, ଶୁଭମ ରୋହିଲା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.