ତ୍ରି-ଦିବସୀୟ ଜିଲ୍ଲା ସ୍ତରୀୟ  ଯୁବ ରେଡକ୍ରସ ଶିବିର ଉଦଯାପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ମଦନପୁର ରାମପୁର ମହାବିଦ୍ୟାଳୟରେ ଚାଲିଥିବା ତ୍ରି-ଦିବସୀୟ ଜିଲ୍ଲାସ୍ତରୀୟ ଯୁବରେଡକ୍ରସ ଶିବିର ଉଦଯାପିତ ହୋଇଯାଇଛି। ଅଧ୍ୟକ୍ଷ ସୁଧାଂଶୁ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ସଭାରେ ନର୍ଲା ବିଧାୟକ ଭୁପେନ୍ଦ୍ର ସିଂ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିବିରରେ ଲାଭ କରିଥିବା ଶିକ୍ଷା ଓ ତାଲିମ ଅନୁଭୂତିକୁ ନିଜ ଜୀବନରେ ଲଗାଇ ପାରିଲେ ଜଣେ ଭଲ ମଣିଷ ହେବା ସହ ଅନ୍ୟମାନଙ୍କର ସାହାଯ୍ୟରେ ଆସିପାରିବ ବୋଲି ମତବ୍ୟକ୍ତ କରିଥିଲେ। ପରିଚାଳନା ପରିଷଦର ସଭାପତି ଭାଗବତ ଘିବେଲା ମଞ୍ଚାସୀନ ଥିବାବେଳେ ଜିଲ୍ଲା ସଂଯୋଜକ ଶାନ୍ତନୁ କୁମାର ପରିଡା ଶିବିରର ବିବରଣୀ ପଠନ କରିଥିଲେ। ସ୍ଵେଚ୍ଛାସେବୀ ଭକ୍ତିଲତା ସାହୁ ଓ ତରୁଣ ନାଏକ ଶିବିରର ଅନୁଭୂତି ବର୍ଣ୍ଣନା କରିଥିଲେ। ଶିବିରରେ ଆୟୋଜିତ ପ୍ରବନ୍ଧ, ତର୍କ, ନୃତ୍ୟ, ଚିତ୍ରାଙ୍କନ, ଗୀତ,ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ସ୍ବେଚ୍ଛାସେବୀମାନଙ୍କୁ ଉତ୍କର୍ଷ ପ୍ରମାଣପତ୍ର ସହ ପୁରସ୍କୃତ କରାଯାଇଥିଲା। ଜିଲ୍ଲା ଆବାହକ ସଂପାଦକ ସଂଜିବ କୁମାର ସାହୁ ପୁରସ୍କାର ବିତରଣର ସଂଯୋଜନା କରିଥିଲେ। ଏହି ଅବସରରେ  ୨୦୧୯-୨୦ ଶିକ୍ଷା ବର୍ଷ ପାଇଁ ରାଜ୍ୟର ଶ୍ରେଷ୍ଠ ପରାମର୍ଶଦାତା ଭାବେ ମନୋନୀତ ମୋହନ ଚରଣ ବିଷିଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ। ଶିବିରର ଶ୍ରେଷ୍ଠ ସ୍ଵେଚ୍ଛାସେବୀ ଭାବେ ମନୋନୀତ ଅରଜିତ ବେହେରା ଓ ରିତିକା ନାୟକଙ୍କୁ ପୁରସ୍କୃତ କରା ଯାଇଥିଲା। ଯୁବ ରେଡକ୍ରସ ପରାମର୍ଶଦାତା ପ୍ରକାଶ ଚନ୍ଦ୍ର ସେଠୀ ଧନ୍ୟବାଦ ଅର୍ପଣ କରିଥିଲାବେଳେ ପରାମର୍ଶଦାତା ଡକ୍ଟର ଅଜିତ କୁମାର ବେହେରା ମଞ୍ଚ ପରିଚାଳନା କରିଥିଲେ। ଦ୍ବିତୀୟ ଦିବସରେ ଆୟୋଜିତ ରକ୍ତଦାନ ଶିବିରରେ ମୋଟ ୪୪ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ଶିବିରରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରୁ ୧୭୮ ଶିବିରାର୍ଥୀ ଅଂଶଗ୍ରହଣ କରିଥିଲେ। ପ୍ରତିଦିନ ସଂଧ୍ୟାରେ ଆୟୋଜିତ ସାସ୍କୃତିକ କାର୍ଯ୍ୟକ୍ରମରେ ଜନପ୍ରିୟ କଣ୍ଠଶିଳ୍ପୀ ସର୍ବେଶ୍ବର ଭୋଇ, ବ୍ୟଙ୍ଗ କବି କୈଳାସ ସାହୁ, ସନ୍ତୋଷ ଦୁବେ, ସୁଶାନ୍ତ ମିଶ୍ର ଏବଂ ସ୍ବେଚ୍ଛାସେବୀମାନେ ଅଂଶଗ୍ରହଣ କରିଥିଲେ। ଏହି ଶିବିରକୁ ବିଭିନ୍ନ ଦିବସରେ ଅତିଥି ଓ ସାଧନ ବ୍ୟକ୍ତିତ୍ୱ ଭାବେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ରାଜ୍ୟ ସଂଯୋଜକ ଗୋପାଳ କୃଷ୍ଣ ମିଶ୍ର, ବରିଷ୍ଠ ପରାମର୍ଶଦାତା ବି ଗୋବିନ୍ଦ ରାଓ, ରାଜ୍ୟ କନିଷ୍ଠ ରେଡକ୍ରସ ଅଧିକାରୀ ଲକ୍ଷ୍ମଣ କୁମାର ସ୍ବାଇଁ, ଆଞ୍ଚଳିକ ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟ, ଜିଲ୍ଲା ରକ୍ତ ଭଣ୍ଡାର ଅଧିକାରୀ ଡା. ଜୟନ୍ତୀବାଳା ନାୟକ, ସ୍ଥାନୀୟ ଅଗ୍ନିଶମ ବାହିନୀ ଓ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷକମାନେ ଯୋଗ ଦେଇଥିଲେ। ଯୁବଶକ୍ତି ହେଉଛି ଦେଶର ଅସଲ ସମ୍ପତ୍ତି। ସେମାନଙ୍କର ନେତୃତ୍ୱର ବିକାଶ ଓ ଅନ୍ତରାୟ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲ। ଏଥିରେ ଆଲୋଚକ ଭାବେ ଡକ୍ଟର ଅଜିତ କୁମାର ବେହେରା, ଡକ୍ଟର ରାଜେଶ କୁମାର ସାହୁ, ମାନସ ରଞ୍ଜନ ପଣ୍ଡା ଓ ଭୂପେନ ମହାନନ୍ଦ ଅଂଶଗ୍ରହଣ କରିଥିଲେ। ପ୍ରଭାତରେ ଯୋଗ ଶିବିର ଆୟୋଜନ କରାଯିବା ସହ ମହାବିଦ୍ୟାଳୟ ପରିସର ଏବଂ ସ୍ଥାନୀୟ ବସଷ୍ଟାଣ୍ଡ ସଫେଇ ସହ ଶିବିରାର୍ଥୀମାନେ ସଚେତନତା ରାଲିରେ ସହର ପରିକ୍ରମା କରିଥିଲେ। ଏହି ଶିବିର ପରିଚାଳନାରେ ଆଧ୍ୟାପକ କୈଳାସ ଚନ୍ଦ୍ର ପତି, ରାମଚନ୍ଦ୍ର ପ୍ରହରାଜ, ସାମନ୍ତ ମାଝୀ, ଲକ୍ଷ୍ମୀଧର ବଞ୍ଜରା, ଜୟନ୍ତ ନାଏକ, ପ୍ରତାପ ପାଣିଗ୍ରାହୀ, ପରମେଶ୍ଵର ସାହୁ, ପ୍ରଦୀପ ସିଂ, ପ୍ରିୟମ୍ବଦା ମହାକୁଡ଼, ଆଶା ପ୍ରିୟଦର୍ଶିନୀ ଷଢଙ୍ଗୀ, ସୁପ୍ରଭା ନାୟକ, ନରସିଂହ ଭୋଇ, ଦ୍ରୋଣ ମାଝୀଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.