ଭଗବାନ୍ ଶ୍ରୀକୃଷ୍ଣ ‘ଶ୍ରୀମଦ୍ଭଗବଦ୍ଗୀତା’ର ଦଶମ ଅଧ୍ୟାୟ, ‘ବିଭୂତିଯୋଗ’ରେ କହିଛନ୍ତି- ମୁଁ ଋତୁମାନଙ୍କ ମଧ୍ୟରେ କୁସୁମାକର ବା ବସନ୍ତ। ଏହି ଋତୁର ଅନ୍ୟନାମ ମଧ୍ୟ ‘ମଧୁଋତୁ’ ଓ ‘ମାଧବଋତୁ’। କାରଣ, ବସନ୍ତଋତୁ ଯେଉଁ ଦୁଇମାସ- ଫାଲଗୁନ ଓ ଚୈତ୍ରକୁ ନେଇ ହୋଇଛି, ତାହାର ଅନ୍ୟ ନାମ ‘ମଧୁମାସ’ ଓ ‘ମାଧବମାସ’। ଏହା ଏକ ବୈଦିକ ଭାବଧାରା। ‘ଅଥର୍ବ ବେଦ’ର ‘ପୃଥ୍ୱୀସୂକ୍ତ’ରେ ଆମ ଦେଶ ଭାରତବର୍ଷରେ ଅନୁଭୂତ ଛଅଋତୁର ବର୍ଣ୍ଣନା ମିଳେ। ସେହି ଛଅଋତୁଙ୍କୁ ସେଥିରେ ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶିଶିର ଓ ବସନ୍ତ ନାମ ଦିଆଯାଇଛି। ‘ଶୁକ୍ଳ ଯଜୁର୍ବେଦ’ର ‘ମାଧ୍ୟନ୍ଦନ ସଂହିତା’ରେ କିଂଚିତ୍ ଭିନ୍ନ ଭାବରେ ଏହି ଋତୁମାନଙ୍କର ବର୍ଣ୍ଣନା ଅଛି। ତାହା ଅନୁସାରେ- ଶୁକ୍ର ଓ ଶୁଚି ଦୁଇମାସ ହେଉଛି ଗ୍ରୀଷ୍ମଋତୁ। ସେହିପରି, ନଭଃ ଓ ନଭସ୍ୟ ଦୁଇମାସ ବର୍ଷା, ଈଶ ଓ ଉର୍ଜା ଦୁଇମାସ ଶରତ, ସହ ଓ ସହସ୍ୟ ଦୁଇମାସ ହେମନ୍ତ, ତପଃ ଓ ତପସ୍ୟ ଦୁଇ ମାସ ଶୀତ ଏବଂ ମଧୁ ଓ ମାଧବ ଦୁଇମାସ ବସନ୍ତ ଋତୁ। ବସନ୍ତ ଋତୁର ଏହି ‘ମଧୁ’ ଓ ‘ମାଧବ’ ଦୁଇମାସ ସହିତ ‘ମହୁ’ ଓ ‘ଫୁଲ’ର ସଂପର୍କ ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି- ଆମର ପାରମ୍ପରିକ ବିଶ୍ୱାସରେ ଏସବୁର ସ୍ରଷ୍ଟା ସେହି ପରମ ସତ୍ୟ- ପରମାତ୍ମା ପରଂବ୍ରହ୍ମ। କାରଣ ‘ଋତୁ’ ଶବ୍ଦର ସୃଷ୍ଟି ସଂସ୍କୃତ ‘ଋତମ୍’ରୁ ଏବଂ ‘ଋତମ୍’ର ଅର୍ଥ ସତ୍ୟ। ଏହା ହେଉଛି ସେହି ସତ୍ୟ- ଯାହାର ନିର୍ଦ୍ଦେଶରେ ଏହି ସଚରାଚର ଜଗତ ନିୟନ୍ତ୍ରିତ ହେଉଛି। ଭାରତୀୟ ସାହିତ୍ୟରେ ବସନ୍ତକୁ ନେଇ ଅସଂଖ୍ୟ କାବ୍ୟ କବିତା ରଚିତ ହୋଇଛି।
ବସନ୍ତଋତୁରେ ଯେଉଁ ସୁବାସିତ ଓ ଶୀତଳ ପବନ ବହେ- ତାହା ମଳୟଗିରିରୁ ଚନ୍ଦନର ସୁବାସ ଓ ଶୀତଳତା ନେଇ ବହିଥାଏ।ମଳୟ ପବନର ନାଆଁ ଆସିଛି ‘ମଳୟଗିରି’ରୁ। ‘ମଳୟ’ ନାମକ ଏହି ପର୍ବତ ‘ସପ୍ତ କୁଳାଚଳ’ ବା ସାତଟି କୁଳପର୍ବତଙ୍କର ଅନ୍ତର୍ଭୁକ୍ତ। ଏହି ସାତ କୁଳପର୍ବତ ପୁରାଣପ୍ରସିଦ୍ଧ। ‘ଶ୍ରୀମଦ୍ଭାଗବତ’ରେ ଥିବା ବର୍ଣ୍ଣନା ଅନୁସାରେ- ମଳୟ ପର୍ବତ ଚନ୍ଦନ ବୃକ୍ଷରେ ପରିପୂର୍ଣ୍ଣ। ସେହି ପର୍ବତରୁ ସବୁବେଳେ ଚନ୍ଦନର ସୁବାସ ଚହଟୁଥାଏ। ତେଣୁ ତାହାର ଅନ୍ୟନାମ ‘ଚନ୍ଦନାଦ୍ରି’। ସେଥିପାଇଁ ମଳୟପର୍ବତ ଭଗବାନ ବିଷ୍ଣୁଙ୍କର ଖୁବ୍ ପ୍ରିୟ। ସେଠାରେ ମଧ୍ୟ ମନୁ ଓ ଅଗସ୍ତି ମୁନି ତପସ୍ୟା କରିଥିଲେ।