ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅଞ୍ଚଳରେ ଛେଳି, ମେଣ୍ଡା, ଗାଈ ଓ ମଇଁଷି ଭଳି ଅନେକ ଗୃହପାଳିତ ପଶୁ ଦିନକୁ ଦିନ ଚୋରି ବୃଦ୍ଧି ପାଉଥିବା ବେଳେ ଶନିବାର ବିଳମ୍ବିତ ରାତିରେ ୨ ଜଣ ମଇଁଷି ଚୋର ସମେତ ଗୋଟିଏ ବାଇକ (ଓଡି ୦୮ଏଚ ୪୫୪୩) ଓ ଗୋଟିଏ ସ୍କୁଟି (କେଏ ୫୫ ଇବି ୮୫୨୫) ଅଟକ ରଖିଥିବା ବେଳେ ୨ ଜଣ ଫେରାର ମାରିଥିବା ଜଣା ପଡିଛି। ସୂଚନାଯୋଗ୍ୟ ଲାଞ୍ଜିଗଡ଼ ବ୍ଲକ ବେନଗାଁ ପଞ୍ଚାୟତ ଅନ୍ତର୍ଗତ ପେଙ୍ଗଶୁର ଗାଁର ବିଶ୍ୱମ୍ବର ନାଗ ଓ ରାୟଗଡା ଜିଲ୍ଲା ମୁନିଗୁଡ଼ା ବ୍ଲକ ଡେପାଗୁଡ଼ାର ପଦ୍ମନ କନ୍ଦପାନ ଶନିବାର ବିଳମ୍ବିତ ରାତିରେ ବେନଗାଁ ପଞ୍ଚାୟତ ଘୋଡାପୋଖରୀ ଗାଁର ପିଲି ମାଝୀଙ୍କ ଗୁହାଳରୁ ୨ଟି ମଇଁଷିକୁ ନେଇଁ ଚୋରାଚାଲାଣ କରୁଥିବା ପିଲି ମାଝୀ ଜାଣିବାପରେ ଘୋଡ଼ାପୋଖରୀ ବେତିଆପଡ଼ା ତିନି ଛକ ନିକଟରେ ପିଲି ମାଝୀ ଓ ଗ୍ରାମବାସୀ ପହଞ୍ଚି ଚୋର ମାନଙ୍କୁ କାବୁ କରିଥିବା ବେଳେ ମୁନିଗୁଡ଼ା ବ୍ଲକ ବୋରିଖାଳର ସୋମନାଥ ମାଝୀ ଓ ଖଗେଶ୍ୱର ନାଗ ଘଟଣା ସ୍ଥଳରୁ ଫେରାର ମାରିଥିଲେ। ଆଉ ଦୁଇ ଯୁବକ ବିଶ୍ବମ୍ବର, ପଦ୍ମନ ଓ ଦୁଇ ବାଇକକୁ ଗାଁକୁ ଆଣି ରାତି ସାରା ଅଟକ ରଖିବା ପରେ ଖବର ପାଇ ଘଟଣାସ୍ଥଳରେ ବେନଗାଁ ସରପଞ୍ଚ ପୁରାଣା ମାଝୀ ପହଞ୍ଚି ବୁଝାସୁଝା କଲା ପରେ ମଧ୍ୟ ସମାଧାନ ହୋଇ ନଥିଲା। ପରେ ଏ ସମ୍ପର୍କରେ ବିଜେପୁର ପୋଲିସ ଖବର ପାଇ ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ୟାମ କୁଲସିକା ନେତୃତ୍ୱରେ ପୋଲିସ ବାହିନୀ ରବିବାର ସକାଳେ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଜଣ ଚୋର ଓ ୨ଟି ଗାଡ଼ି ଥାନାକୁ ନେଇଁ ଅଟକ ରଖି ପଚରା ଉଚରା କରି ତଦନ୍ତ କରୁଥିବା ଜଣାପଡିଛି। ତେବେ ବିଗତ ଦିନରୁ ବିଜେପୁର ଅଞ୍ଚଳରେ ଛେଳି, ମେଣ୍ଡା, ଗାଈ ଓ ପୋଡ଼ ଭଳି ଗୃହ ପାଳିତ ପଶୁ ଚୋରା ଚାଲାଣ ହେଉଥିବା ବେଳେ ଏହି ଅଞ୍ଚଳରୁ ହାରାହାରି ୨୫ ଜଣଙ୍କର ୭୮ ଗୋଟି ଗୃହପାଳିତ ପଶୁ ନିଖୋଜ ହୋଇଥିବା ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି। ଏହି ଅଭିଯୋଗକୁ ଆଧାର କରି ବିଜେପୁର ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ କୁଲସିକା ଘଟଣାକୁ ଦୃଷ୍ଟିରେ ରଖି ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି।