ରାସ୍ତା କାଦୁଅ କରୁଛି ଧାନକଟା ମେସିନ୍ ଓ ଟ୍ରାକ୍ଟର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକର ତୁନଗାଁ-ଚିକିଲି ରାସ୍ତାରେ କିଛି ଟ୍ରାକ୍ଟର ଓ ଧାନ କଟା ମେସିନ୍ (ହାରବେଷ୍ଟର) ମାଲିକ ନିଜର ସ୍ୱାର୍ଥ ସାଧନ ପାଇଁ ଧାନ କାଟା ଓ କ୍ଷେତ୍ରରେ କାଦୁଅ କରି ସାରିବା ପରେ ଗାଡ଼ି ସଫା ନକରି ବେଧଡକ ଭାବେ ରାସ୍ତା ଉପରେ ଗଡ଼ାଇ କାଦୁଅ କରି ଛାଡ଼ି ଦେଇଛନ୍ତି। ଯାହା ଫଳରେ ଲୋକେ ରାସ୍ତାରେ ଯିବା ଆସିବା କରିବା ସମୟରେ ନାହିଁ ନଥିବା ଅସୁବିଧା ଭୋଗିବା ସହ ଦୁର୍ଘଟଣାର ଶିକାର ମଧ୍ୟ ହେଉଛନ୍ତି। ଗତ ରବି ଧାନ ଚାଷ ସମୟରେ ତୁନଗାଁ-ଚିକିଲି ରାସ୍ତାରେ ଟ୍ରାକ୍ଟର ଓ ହାରବେଷ୍ଟର ମେସିନ ଗୁଡ଼ିକ କ୍ଷେତରେ କାମ ସାରିବା ପରେ କାଦୁଅ ସଫା ନକରି ଗାଡି ଗୁଡ଼ିକ ରାସ୍ତାରେ ଗଡ଼ାଇ ଥିବାରୁ କାଦୁଅ ପଡ଼ି ସୁଖି ଯାଇଛି। ଯାହା ଫଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ଏହି ପିଚୁ ରାସ୍ତାଟି ବର୍ତ୍ତମାନ ମାଟି ରାସ୍ତା ପରି ମନେହୋଇଛି। ଏବେ ବର୍ଷା ଆରମ୍ଭ ହୋଇଥିବାବେଳେ ରାସ୍ତା ସାରା କାଦୁଅ ପଚ୍ ପଚ୍ ହୋଇ ସାଇକେଲ କି ବାଇକ୍ ଗଡିବା ତ’ ଦୂରର କଥା ପଦଚଲା ମଧ୍ୟ କଷ୍ଟ କର ହୋଇପଡିଛି। ଏଣେ ଯିବା ଆସିବା କରିବା ସମୟରେ ସାମାନ୍ୟ ଅସାବଧାନତା ହେଲେ ଦୁର୍ଘଟଣା ଘଟିବା ଏକ ପ୍ରକାର ଥୟ। ରାସ୍ତାରେ କାଦୁଅ କରିଥିବା ଗାଡ଼ି ମାଲିକ ମାନଙ୍କୁ ସ୍ଥାନୀୟ ଲୋକେ ଅନେକ ଥର ମନା କରିଥିଲେ ମଧ୍ୟ କେହି କଥା ମାନି ନଥିଲେ। ବର୍ତ୍ତମାନ ଏହି ରାସ୍ତାରେ କାଦୁଅ ଜମି ରହିଥିବାରୁ ଦୈନିକ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ନଜିର ରହିଛି। ଏହି ରାସ୍ତା ତୁନଗାଁଠାରୁ ଚିକିଲି ଭାୟା ଗମ୍ଭାରୀଗୁଡା ଦେଇ କୋକସରାକୁ ସଂଯୋଗ କରୁଛି। ଯଦି କୈାଣସି କାମ ପାଇଁ ତୁନଗାଁ, ଧନସାରା ଓ କାଶୀବାହାଲ ଅଞ୍ଚଳର ଲୋକେ କୋକସରା ଆସିବାକୁ ହେଲେ ୮.କିମି ବଦଳରେ ୧୫ କିଲୋମିଟର ଦୂର ବୁଲି ଯିବାକୁ ପଡୁଥିବା ପ୍ରକାଶ କରିଛନ୍ତି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ରାସ୍ତାରେ କାଦୁଅ କରୁଥିବା ଗାଡ଼ି ମାଲିକ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବୀ ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.