ବାଇକ ଦୁର୍ଘଟଣାରେ ଚାଲିଗଲା ବାଲସିଙ୍ଗା ପିଇଟିଙ୍କ ଜୀବନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ବାଲସିଙ୍ଗା ହାଇସ୍କୁଲ ର ଶାରୀରିକ ଶିକ୍ଷକ (ପିଇଟି) ଜତିଲାଲ ନାଏକ (୩୫) ଭବାନୀପାଟଣାରୁ ନିଜଘର ତୁଳାପଡ଼ା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଭିରକାପଡ଼ା (କୁସୁମପଡା)ଫେରୁଥିବା ସମୟରେ ବଳରାମପୁର ଛକ ନିକଟରେ ବାଇକ ଦୁର୍ଘଟଣାରେ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ଖବରରୁ ଜଣାପଡ଼ିଛି ମୃତ ପିଇଟି ଶିକ୍ଷକ ମଙ୍ଗଳବାର ସକାଳୁ ଘରୁ ବାହାରି ନିଜ ଏନଫିଲ୍ଡ କ୍ଲାସିକ ବୁଲେଟ ବାଇକ ଓଡି ୦୮- ଏଚ ୯୫୯୫ ରେ ଭବାନୀପାଟଣା ଯାଇଥିଲେ। କାମସାରି ଅପରାହ୍ନ ୪.୩୦ରେ ଫେରୁଥିବା ବେଳେ ବଳରାମପୁର ଛକ ନିକଟରେ ଦୁଇଜଣ ପିଲା ହଠାତ ରାସ୍ତା ମଝିକୁ ଚାଲି ଆସିବାରୁ ସେମାନଙ୍କୁ ବଞ୍ଚାଇବାକୁ ଯାଇ ସଡନ ବ୍ରେକ ମାରିବାରୁ ରାସ୍ତା କଡ଼କୁ ଛିଟିକି ପଡି ଗୁରୁତର ହୋଇଥିଲେ। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ମୃତ ଜତିଲାଲ ଫେରିବା ସମୟରେ ତାଙ୍କ ବାଇକରେ ଆଉ ଦୁଇଜଣ ବ୍ୟକ୍ତି ବସିଥିବା ମଧ୍ୟ ଶୁଣିବାକୁ ମିଳୁଛି। ହେଲେ ସେ ବ୍ୟକ୍ତି ଦୁଇଜଣ କିଏ ତାହା ଏଯାଏଁ ଜଣାପଡିନି। ଭବାନୀପାଟଣା ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ବାଇକ ଟିକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠେଇଥିବା ବେଳେ ତଦନ୍ତ ଜାରି ରହିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି। ଜତିଲାଲଙ୍କ ମୃତ୍ୟୁକୁ ବାଲସିଙ୍ଗା ହାଇସ୍କୁଲ ହେଡମାଷ୍ଟର ଓ ଷ୍ଟାଫ ଦୁର୍ଭାଗ୍ୟ ଜନକ ବୋଲି କହିବା ସହ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ସେହିଭଳି ନର୍ଲା ବିଧାୟିକା ମନୋରମା ମହାନ୍ତି, ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ବାଲସିଙ୍ଗା ସରପଞ୍ଚ ପୂଜା ସାରିନୋଭା ସ୍ୱାଇଁ ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.