ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡିର ଆମ୍ବ ଦୁବାଇ ଯିବା ପରେ ଏବେ ପୁଣି କଳାହାଣ୍ଡି ଜିଲ୍ଲା ମ.ରାମପୁରରୁ ଭେଣ୍ଡି ଓ ପୋଟଳ ଦୁବାଇ ଯିବା ଜିଲ୍ଲାର କୃଷକ ମାନଙ୍କ ମନରେ ଆଣିଦେଇଛି ଅସରନ୍ତି ଖୁସି। ସୂଚନା ମୁତାବକ ନାବାର୍ଡ ସହାୟତାରେ ପରିଚାଳିତ ଉତେଇ ଭେଲି କୃଷକ ଉତ୍ପାଦ କାମ୍ପାନୀ ତରଫରୁ ଓଡ଼ିଶା ଉଦ୍ୟାନ ବିଭାଗ ସହଯୋଗରେ ଏହି କମ୍ପାନୀର ସଦସ୍ୟଙ୍କ ପାଖରୁ ପାଞ୍ଚ କୁଇଣ୍ଟାଲ ପଚାଶ କେଜି ଭେଣ୍ଡି ଓ ଏକ କୁଇଣ୍ଟାଲ ପଚାଶ କେଜି ପୋଟଳ ପାଲାଡିଆମ କଂସୁଲ୍ଟାନସୀ ଏଜେଂସି ଦ୍ଵାରା ଦୁବାଇ ରପ୍ତାନୀ କରାଯାଇଛି। ଏହି ରପ୍ତାନୀ ପରେ ଚାଷୀ ମହଲରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ତେବେ ଆଗାମୀ ଦିନରେ ଆହୁରି ଅନ୍ୟ ସମସ୍ତ ପନିପରିବା ଚାଷ କରି ବିଦେଶକୁ ରପ୍ତାନୀ କରି ଚାଷୀଙ୍କୁ ଆହୁରି ରୋଜଗାର କ୍ଷମ କରାଯିବ ବୋଲି ଏହି କୃଷକ ଉତ୍ପାଦ କମ୍ପାନୀର ପରିଚାଳନା ନିର୍ଦେଶକ ଶ୍ରୀକାନ୍ତ ହୋତା ଏବଂ ନିର୍ଦେଶକ ସଦସ୍ୟ ପ୍ରକାଶ କୁମାର ତ୍ରିପାଠୀ ପ୍ରକାଶ କରିଛନ୍ତି। ଏହା ସହିତ ଆଗାମୀ ଦିନ ଗୁଡ଼ିକ ରେ ଚାଷୀ ମାନଙ୍କୁ ଉନ୍ନତ ଚାଷ ପ୍ରଣାଳୀ ଉପରେ ବିଶେଷ ତାଲିମ ପ୍ରଦାନ କରାଯାଇ ତାଙ୍କୁ ସମ୍ପୂର୍ଣ୍ଣ ସକ୍ଷମ କରାଯିବ ବୋଲି ଉତେଇ ଭେଲି କୃଷକ ଉତ୍ପାଦ କମ୍ପାନୀର ସିଇଓ ମହାଶ୍ୱେତା ସାହୁ କହିଛନ୍ତି। ଏହି କୃଷକ ଉତ୍ପାଦ କମ୍ପାନୀଟି ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ମହାଶକ୍ତି ଫାଉଣ୍ଡେସନ ଦ୍ବାରା ପରିଚାଳିତ ହେଉଥିବା ଜଣାଯାଇଛି। ତେବେ ଆଗାମୀ ଦିନରେ ଯଦି କଳାହାଣ୍ଡି ଅଞ୍ଚଳ ରେ କୃଷି ଉତ୍ପାଦ ବିଦେଶକୁ ରପ୍ତାନୀ ବଢେ, ଏହି ଅଞ୍ଚଳ ଚାଷ କ୍ଷେତ୍ରରେ ଆହୁରି ସମୃଦ୍ଧ ଶାଳୀ ହୋଇ ପାରିବ ବୋଲି ମହାଶକ୍ତି ଫାଉଣ୍ଡେସନର ପରିଚାଳନା ନିର୍ଦେଶକ ଯୁଗଳ କିଶୋର ପଟ୍ଟନାୟକ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।