ଦୁର୍ଘଟଣା ପ୍ରବଣ ପୁରୁଣା ଜିଲ୍ଲାପାଳ ଅଫିସ ଚାରି ଛକ: ପ୍ରଶସ୍ଥିକରଣ ସହ ସୁବ୍ୟବସ୍ଥିତ ପାଇଁ ଦାବୀ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ଦେଇ ଯାଇଥିବା ବଲାଙ୍ଗୀର – ଖୋର୍ଦ୍ଧା ଜାତୀୟ ରାଜପଥର ସଦର ମହକୁମା ସ୍ଥିତ ପ୍ରାଣ କେନ୍ଦ୍ର କୁହାଯାଉଥିବା ପୁରୁଣା ଜିଲ୍ଲାପାଳ ଅଫିସ ତଥା ବର୍ତ୍ତମାନ ତହସିଲ ଅଫିସ ଚାରି ଛକରେ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଉଥିବା ଦେଖାଯାଇଛି। ନୀତି ଦିନ ଛୋଟ ବଡ ଦୁର୍ଘଟଣା ଘଟୁଥିବା ବେଳେ ପୂର୍ବରୁ ଏହି ଛକରେ ଅନେକ ଜୀବନ ମଧ୍ୟ ଗଲାଣି। ଦୁର୍ଘଟଣାରେ ଅନେକ ଲୋକ ଆହତ ତଥା ଗାଡି ମଟର ସହିତ ଲୋକଙ୍କ ଧନ ଜୀବନ କ୍ଷତିଗ୍ରସ୍ତ ହେଉଥିବା ଦେଖାଯାଇଛି। କିନ୍ତୁ ସହରର ମଧ୍ୟ ଭାଗ ତଥା ଏପଟେ ଆଞ୍ଚଳିକ ପରିବହନ ବିଭାଗ ଓ ସେପଟେ ଉପଜିଲ୍ଲାପାଳ କାର୍ଯ୍ୟାଳୟରୁ ମାତ୍ର ୨୦୦ ମିଟର ନିକଟ ରେ ଥିବା ସହରର ଏହି ପ୍ରମୁଖ ଛକରେ ପ୍ରତିଦିନ ଦୁର୍ଘଟଣା ଘଟୁଥିବା ବିଷୟ ଜିଲ୍ଲା ପ୍ରଶାସନର ଏଥି ପ୍ରତି ଦୃଷ୍ଟି ନ ପଡ଼ିବା ସହରବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଗତକାଲି ରାତି ୮ ଟା ବେଳେ ଏହି ଛକରେ କଚେରି ଛକରୁ ପଟାଭାଡିକୁ ସ୍କୁଟିରେ ଝିଅକୁ ଟିଉସନ୍ ରୁ ନେଇ ଫେରୁଥିବା ମା ଝିଅଙ୍କୁ ଏକ ଦ୍ରୁତଗାମୀ ବୋଲେରୋ ନଂ ଓଡି ୩୧ଡି- ୨୮୮୨ ଜୋରରେ ଧକ୍କା ଦେଇଥିଲା। କିନ୍ତୁ ମାଙ୍କ ଉପସ୍ଥିତ ବୁଦ୍ଧି ବଳରେ ସ୍କୁଟିକୁ ଡାହାଣ ପଟକୁ ହଠାତ୍ ମୋଡ଼ି ଦେବାରୁ ପଛପଟୁ ଧକ୍କା ଦେଇଥିଲା ବୋଲେରୋ। ଝିଅଟି ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ଅଚେତ୍ ହୋଇ ଯାଇଥିବା ବେଳେ ସ୍କୁଟି ଚାଳକ ମା ମଧ୍ୟ ନିକଟ ଡ୍ରେନ୍ କୁ ଛିଟିକି ପଡିଥିଲେ ଏବଂ ଅଳ୍ପକେ ବଞ୍ଚିଯାଇଥିଲେ ଉଭୟ ମା ଓ ଝିଅ। ଏଠି ପ୍ରଶ୍ନ ଉଠେ ଯେ ଶରଧାପାଲି ନିକଟରେ ଗଢ଼ି ଉଠୁଥିବା ରାଜ୍ୟର ଜଣେ ପୁରୁଣା ଟାଣୁଆ ନେତାଙ୍କ ଏହି ଇଥାନଲ ଫ୍ୟାକ୍ଟ୍ରିର କର୍ମଚାରୀ ପ୍ରଚୂର ମଦ୍ୟ ପାନ କରି ସହରରେ କିଭଳି ବେପରୁଆ ଭାବରେ ଗାଡ଼ି ଚଳାଉ ଥିଲେ ଏବଂ ଲୋକଙ୍କ ଜୀବନ ସହିତ ଖେଳ ଖେଳିଥିଲେ ତାହାକୁ ସହର ବାସୀ ନିନ୍ଦା କରିଛନ୍ତି। ଏବଂ ଏହି ବେପରୁଆ ଗାଡ଼ି ଚାଳକ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ଏହି ଛକ ସମେତ ସହରର ପ୍ରତ୍ୟେକ ଛକ ରେ ଟ୍ରାଫିକ ବ୍ୟବସ୍ଥାକୁ କଡା କଡି କରିବାକୁ ଦାବୀ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.