ଯାଦବ, କନ୍ଧ ଓ ଡମ୍ବ ସଂସ୍କୃତି ର ସମନ୍ବୟରେ ଦେବଗିରିର ରଥଯାତ୍ରା

ସାରା ବିଶ୍ବର ଏକ ବୈଚିତ୍ରମୟ ଦେବତା ଶ୍ରୀଜଗନ୍ନାଥ । ସବୁ ମତ ସବୁ ପଥ ତାଙ୍କ ଠାରୁ ଆରମ୍ଭ ହୋଇ ତାଙ୍କ ଶରିରରେ ବିଳିନ ହୋଇଯାଆନ୍ତି । ମହା ପ୍ରଭୂ ଶ୍ରୀକ୍ଷେତ୍ର ବ୍ୟତିରେକ ଓଡିଶାର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରଂପରା ଅନୁସାରେ ଆରାଧିତ ହୋଇ ଆସୁଛନ୍ତି । ଭୂମିପୁତ୍ର ଆଦିବାସୀ କନ୍ଧଙ୍କ ମାଟି କଳାହାଣ୍ଡିରେ ମଧ୍ୟ ପୁରୁଷୋତ୍ତମ ଲିଳା ଖେଳା କରିଆସୁଛନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ସବୁ ନିର୍ମିତ ହେବାସହ ରଥଯାତ୍ରା ଅନୁଷ୍ଠିତ ହୋଇଆସିଛି । ସେହି ଅନୁକ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢିପଦର ଠାରେ ଥିବା ଦେବଗିରିରେ ମହାପ୍ରଭୂ ଦଧିବାମନଙ୍କ ରଥଯାତ୍ରା ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରେ । ଏହି ରଥଯାତ୍ରାରେ ଯାଦବ, କନ୍ଧ ଓ ଡମ୍ବ ସଂସ୍କୃତିର ଝଳକ ଦେଖିବାକୁ ମିଳେ ।

(କ୍ଲକ କରି ଦେଖନ୍ତୁ ଭିଡିଓ 👆)

ପ୍ରାଚୀନ ମହାକାନ୍ତାର ସଭ୍ୟତାର ରାଜଧାନୀ ଅସୁରଗଡର ପ୍ରତିରକ୍ଷା ଘାଟି ତଥା ସାଂସ୍କୃତିକ ଓ ଧାର୍ମିକ ପୀଠସ୍ଥଳୀ ଦେବଗିରି ଏକ ପ୍ରତିଷ୍ଠିତ ପୁରାତନ ସଭ୍ୟତାର ଅଂଶ ବିଶେଷ ଭାବେ ଆଜି ମଧ୍ୟ ପ୍ରାଚୀନ ସଂସ୍କୃତି ପରଂପରାର ଧ୍ବଜା ଧାରି ଭାବେ ଦଣ୍ଡାୟମାନ । ଖ୍ରୀ:ପୂ: ୩୦୦ ରୁ ଖ୍ରୀ:ବ୍ଦ: ୫ମ ଶତାବ୍ଦୀ ପର୍ଯ୍ୟନ୍ତ ଗତିଶିଳ ଦେବଗିରି କାଳର କରାଳ ଗ୍ରାସରେ ବିଳିନ ହେବାପରେ କଳାହାଣ୍ଡିର ନାଗବଂଶୀ ମହାରାଜ ମାନଙ୍କ ପୃଷ୍ଠ ପୋଷକତାରେ ଦେବଗିରିର ପୁନରୁତ୍ଥାନ ହେଲା ଓ ୧୮୮୨ ମସିହାରେ ଦେବଗିରି ମଠ ପ୍ରତିଷ୍ଠା ହେଲା । ମଠର ପ୍ରଥମ ମହନ୍ତ ଦିନବନ୍ଧୁ ଦାସଙ୍କ ସମୟରୁ ମଠର ସେବାପୂଜା, ନିତିକାନ୍ତି ଓ ଜାନିଯାତ୍ରାରେ ଯାଦବ, କନ୍ଧ ଓ ଡମ୍ବ ମାନଙ୍କ ଭୂମିକା ରହି ଆସିଲା । ମହନ୍ତ ଦିନବନ୍ଧୁ ଦାସ ମଠର ନିତିକାନ୍ତିରେ ଲୋକ ସଂସ୍କୃତିକୁ ଅଙ୍ଗାଙ୍ଗି ଭାବେ ଜଡିତ କରିଦେଲେ । ଦିନବନ୍ଧୁ ଦାସଙ୍କ ପରେ ଯାଦବ ସଂପ୍ରଦାୟର କୃପାସିନ୍ଧୁ ଦାସ ମଠର ମହନ୍ତ ହେଲେ ସେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ମଠର ପୂଜକ ତଥା ମହନ୍ତ ପଦରେ ରହି ଆସିଥିଲେ । ତାଙ୍କ ଅନ୍ତେ ତାଙ୍କ ପୂତ୍ର ଦୂର୍ବାଦଳ ଦାସ ମଠର ସେବାୟତ ଭାବେ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକରି ଆସୁଛନ୍ତି ।

ଦେଶ ସ୍ବାଧୀନ ହେବା ପରେ ମଠ ଓଡିଶା ହିନ୍ଦୁ ଦେବୋତ୍ତର ବିଭାଗ ଅଧିନକୁ ଗଲା । ସେହି ସମୟ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ମଠରେ ଯେତେ ଟ୍ରଷ୍ଟିକ ନିଯୁକ୍ତ ହୋଇଛନ୍ତି ସମସ୍ତେ ଯାଦବ । ବୁଢିପଦର ଗାଁର ଗୌନ୍ତିଆ କନ୍ଧ ସଂପ୍ରଦାୟର ହୋଇଥିବା ବେଳେ ସେ ଦେବଗିରିର ମହାଦେବ, ଦଧିବାମନଜୀଉ ଓ ଚଣ୍ଡି ଦେବୀଙ୍କ ଆଦ୍ୟ ସେବକ ଭାବେ ପରିଗଣିତ ହୋଇ ସେବା କାର୍ଯ୍ୟ କରିଥାନ୍ତି । ରଥଯାତ୍ରା ସମୟରେ ମଧ୍ୟ କନ୍ଧ ଗୌନ୍ତିଆଙ୍କ ମୂଖ୍ୟ ଭୂମିକା ରହିଥାଏ । ହରିଜନ (ଡମ୍ବ) ସଂପ୍ରଦାୟ ମଠର ପ୍ରତ୍ୟେକଟି କାର୍ଯ୍ୟ ସହ ସଂପୃକ୍ତ । ବୁଢିପଦର ଗ୍ରାମର ଅନିତି ଦୂରରେ କର୍ମେ ଗାଁରେ ଗଡଜାତ ଅମଳ ସମୟରୁ ଗୌନ୍ତିଆ ନାହାନ୍ତି । ଦେବଗିରି ମଠର ଆରଦ୍ଧ୍ୟ ଦେବତା ଦଧିବାମନ ଜୀଉ ଏହି ଗାଁର ଗୌନ୍ତିଆ ଜମି ପ୍ରାପ୍ତ । ଠାକୁରଙ୍କ ୨୨ ଏକର ଜମିରେ ଏହି ଗାଁର ହରିଜନ ସଂପ୍ରଦାୟର ବ୍ୟକ୍ତି ମାନେ ଚାଷ କରି ଭଗବାନଙ୍କୁ ଚାଉଳ ଯୋଗାଇ ଦେଇଥାନ୍ତି । ରଥଯାତ୍ରା ସମୟରେ ସଂକିର୍ତ୍ତନ୍ୟ, ଘଣ୍ଟବାଦ୍ୟ ହେଉଥିଲେ ମଧ୍ୟ ଡମ୍ ବଜା ନିହାତି ଦରକାର କାରଣ ଅସୁର ରାଜ୍ୟ ଅସୁରଗଡର ସାଂସ୍କୃତିକ ପୀଠସ୍ଥଳୀ ଦେବଗିରି ଭିତରେ ରହିଛନ୍ତି ଶ୍ରୀଜଗନ୍ନାଥ । ଏପରି ବିବିଧ ସଂସ୍କୃତିର ସମନ୍ବୟ ସ୍ଥଳୀ ଭାବେ ଦେବଗିରି ସବୁ ସଂପ୍ରଦାୟ ମଧ୍ୟରେ ଉତ୍ତମ ସଂପର୍କର ସେତୁ ଭାବେ ଶୈବ, ବୈଷ୍ଣବ, ଶାକ୍ତ, ସୌର ଓ ଗାଣପତ୍ୟ ଧର୍ମର ସମନ୍ବୟ ପୀଠ ସର୍ବଧର୍ମ, ସର୍ବ ସଂପ୍ରଦାୟ ସମନ୍ବୟର ପୀଠ ଭାବେ ତା’ର ବିଜୟ ବାନା ଉଡାଇ ଆସିଛି ।

 

ବ୍ୟୁରୋ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.