ଓଡ଼ିଆ ବାର୍ତ୍ତା/ ଗୁଣୁପୁର (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା ଗୁଣପୁର ପୋଲିସକୁ ଏକ ବଡ ଧରଣର ସଫଳତା ମିଳିଛି । ଗୋଖାଦ୍ୟ ବୋଝେଇ ଟ୍ରକରେ ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଟ୍ରକରୁ ୮୫୦ କିଲୋ ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ଚୋରା ଚାଲାଣରେ ସଂପୃକ୍ତ ଥିବା ଅଭିଯୋଗରେ ଟ୍ରକ ଚାଳକ ଓ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ଉତ୍ତର ପ୍ରଦେଶ ଆଲିଗଡ ଜିଲ୍ଲାର ଅନିଲ କୁମାର ଓ ହରିଶ କୁମାର ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବିଶେଷ ସୁତ୍ରରୁ ଖବର ପାଇ ଗୁଣପୁର ପୋଲିସ ଆଦର୍ଶ ଥାନା ନିକଟ ଦେଇ ଯାଉଥିବା ଏକ ୧୪ ଚକିଆ ଟ୍ରକ ଉପରେ ଚଢାଉ କରିଥିଲା । ଚଢାଉ ସମୟରେ ଟ୍ରକରେ ଗୋଖାଦ୍ୟ ସହ ୨୯ ଗୋଟି ଜରି ବସ୍ତାରେ ଗଞ୍ଜେଇ ରହିଥିବାର ଜାଣିବାକୁ ପାଇଥିଲେ ପୋଲିସ । ପରେ ସମସ୍ତ ଗଞ୍ଜେଇ ବସ୍ତାକୁ ପୋଲିସ ଜବତ କରି ମାଜିଷ୍ଟେଟଙ୍କ ଉପସ୍ଥିତିରେ ଓଜନ କରିବା ସମୟରେ ୮୫୦ କିଲୋ ବୋଲି ଜାଣିବାକୁ ପାଇଥିଲେ । ଜବତ ଗଞ୍ଜେଇ ସବୁ ବେଆଇନ ଭାବେ ରାୟଗଡା ଓ ଗଜପତି ଜିଲ୍ଲା ସୀମାନ୍ତ ଅଂଚଳରୁ ଉତ୍ତର ପ୍ରଦେଶ ଅଭିମୁଖେ ଚୋରା ଚାଲାଣ ହେଉଥିଲା । ଗିରଫ ଅଭିଯୁକ୍ତଙ୍କ ଠାରୁ ପୋଲିସ ଗଞ୍ଜେଇ ଚୋରା ଚାଲାଣରେ ବ୍ୟବହୃତ ହୋଇଥିବା ଏକ ଟ୍ରକ ସହ ୮୫୦ କିଲୋ ଗଞ୍ଜେଇ, ୩ ଗୋଟି ସ୍ମାର୍ଟ ଫୋନ ଏବଂ ୭୧୦୦ ଟଙ୍କା ଜବତ କରିଛି । ଗଞ୍ଜେଇ ଚୋରା ଚାଲାଣରେ ଅନ୍ୟ କେଉଁ ମାନଙ୍କ ସମ୍ପୃକ୍ତ ରହିଛି ତାହାର ଖୋଳ ତାଡ଼ କରୁଛି ଗୁଣପୁର ପୋଲିସ ।