ଓଡିଆ ବାର୍ତ୍ତା/ ଭୁବନେଶ୍ୱର: ଖରିଫ ଚାଷ ପାଇଁ ଓଡିଶା ଚାଷୀଙ୍କୁ ଉନ୍ନତ ମାନର ବିହନ, ସାର ଓ କୀଟନାଶକ ଯୋଗେଇ ଦେବା ପାଇଁ ମୁଖ୍ୟମନ୍ତ୍ରଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ଶିବ ହାତୀ ଯାଦବ । ଦଳର ରାଜ୍ୟ ସଭାପତି ଶିବ ହାତୀ ଯାଦବ କହିଛନ୍ତି ଯେ, ପାଣିପାଗ ବିଭାଗର ଖବର ଅନୁସାରେ ଏଥର ଆମ ଓଡ଼ିଶାରେ ଧାର୍ଯ୍ୟ ସମୟଠାରୁ ଆଗୁଆ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ପ୍ରବାହ ସହିତ ସମଗ୍ର ଚତୁର୍ମାସ୍ୟା କାଳରେ ଭଲ ବର୍ଷା ହେବ । ଇତି ମଧ୍ୟରେ ସମଗ୍ର ରାଜ୍ୟରେ ପ୍ରାକ୍ ମୌସୁମି ବର୍ଷା ଆରମ୍ଭ ହୋଇଯାଇଛି ଏବଂ ଦିନେ ଦୁଇଦିନ ମଧ୍ୟରେ ମୌସୁମି ପ୍ରବେଶ କରିପାରେ । ଆଗୁଆ ମୌସୁମି ପ୍ରବାହ ଓ ଭଲ ବର୍ଷା ଚାଷୀଙ୍କ ପାଇଁ ନିଶ୍ଚୟ ଭଲ ଖବର; କାରଣ ଆମ ରାଜ୍ୟର ଅଧିକାଂଶ ଚାଷୀ ଏହି ବର୍ଷା ଉପରେ ନିର୍ଭର କରନ୍ତି । ସୁତରାଂ ଚଳିତ ବର୍ଷ ଖରିଫ ଚାଷ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି । ଯେଉଁ ଚାଷ ଜମିରେ ଜଳସେଚନର ସୁବିଧା ନାହିଁ ସେଠାରେ ଏଥର ଚାଷବାସ ଭଲ ହେବ ବୋଲି ଆଶା କରାଯାଏ । ଖରିଫରେ ମୁଖ୍ୟ ଚାଷ ଧାନ ଯାହା ଅଧୂକାଂଶ ଚାଷୀ ଚାଷ କରିଥାନ୍ତି ।
ଚାଷରେ ବିହନ, ସାର, କୀଟନାଶକ ଓ ଅନ୍ୟାନ୍ୟ ସାମଗ୍ରୀର ଉପଯୋଗ ଏକ ଅପରିହାର୍ଯ୍ୟ ଆବଶ୍ୟକତା । ଚାଷୀଙ୍କୁ ଏଥିପାଇଁ ସରକାର ମଧ୍ୟ ସହାୟତା ଯୋଗାଇଥାନ୍ତି । ଏଥରର ସମସ୍ୟା ହେଲା ସବୁ ଚାଷୀଙ୍କୁ ରାଜ୍ୟ ବିହନ ନିଗମ ଆବଶ୍ୟକ ପରିମାଣର ପ୍ରମାଣିକ ବିହନ ଯୋଗାଇ ଦେଇ ନପାରେ । ରିପୋର୍ଟ ଅନୁସାରେ ବିହନ ନିଗମ ଏଥର ୩.୫ ଲକ୍ଷ କୁଇଣ୍ଟାଲ ପ୍ରାମାଣିକ ଧାନ ବିହନ ଚାଷୀଙ୍କୁ ଯୋଗାଇ ଦେବାକୁ ଲକ୍ଷ୍ୟ ରଖୁଥୁଲା । ହେଲେ ନିଗମକୁ ବିହନ ଯୋଗାଇବାକୁ ପଞ୍ଜୀକୃତ ହୋଇଥିବା ଚାଷୀ ତାହାକୁ ଇତିମଧ୍ଯରେ ଖୋଲା ବଜାର ଅଥବା ଧାନ ସଂଗ୍ରହକାରୀ ସଂସ୍ଥାକୁ ବିକିବା ଆରମ୍ଭ କରିଦେଲେଣି । ନିଗମର ବିହନ କିଣା ବିଳମ୍ବ ଯୋଗୁଁ ଏହା ଯେ ଘଟୁଛି ସେଥିରେ ଦ୍ବିମତ ନାହିଁ । ଆହୁରି ମଧ୍ୟ ଲାଭଖୋର ବ୍ୟବସାୟୀ ଆଗୁଆ ବିହନ କିଣି ନେଇ ମହଜୁଦ ରଖିବା ସହିତ ଚାଷୀଙ୍କୁ ଚଢ଼ା ଦରରେ ବିକିବେ ।
ଅଭିଯୋଗ ଅନୁସାରେ ପ୍ରତିଶ୍ରୁତି ମୁତାବକ ରାଜ୍ୟ ସରକାର ପ୍ରାମାଣିକ ବିହନ ଉତ୍ପାଦନକାରୀଙ୍କୁ କୁଇଣ୍ଟାଲ ପିଛା ୮୦୦ ଟଙ୍କା ଇନ୍ପୁଟ ସବ୍ସିଡି ଦେବାରେ ବିଫଳ ହେବାରୁ ବରଗଡ଼ ଓ ସମ୍ବଲପୁର ଜିଲାର ବିହନ ଉତ୍ପାଦକମାନେ ଖୋଲା ବଜାରରେ ଏହା ବିକିବାକୁ ବାଧ୍ୟ ହୋଇଛନ୍ତି । ସେମାନେ ଏ ବାବଦରେ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ପାଉଛନ୍ତି । ନିୟମ ଅନୁସାରେ ପ୍ରାମାଣିକ ବିହନ ଉତ୍ପାଦନକାରୀ ଯୋଗାଣର ୪୮ ଘଣ୍ଟା ମଧ୍ୟରେ ଇନ୍ପୁଟ ସହାୟତା ବିହନ ନିଗମଠାରୁ ପାଇବା କଥା । ବାସ୍ତବରେ ସେମାନଙ୍କୁ ଏହି ଅର୍ଥ ପାଇବାକୁ ପାଞ୍ଚ ଛ’ମାସ ଲାଗି ଯାଉଛି । ଚାଷୀ ନିଗମର ବିଳମ୍ବକୁ ଅପେକ୍ଷା କରିପାରିବେ ନାହିଁ ।
ତଥ୍ୟ ଅନୁସାରେ ନିଗମ ଏ ବର୍ଷ ଏ ଯାଏ ମାତ୍ର ୧୫ଲକ୍ଷ କୁଇଣ୍ଟାଲ ପ୍ରାମାଣିକ ଧାନ ବିହନ ଖରିଫ ଋତୁ ପାଇଁ ସଂଗ୍ରହ କରିଛି । ଏହାଛଡ଼ା ନିଗମ ତାହାର ବିହନ ସଂଗ୍ରହ ପରିମାଣକୁ ଏଥର ୨.୫ ଲକ୍ଷ କୁଇଣ୍ଟାଲରେ ସୀମିତ ରଖୁବାକୁ ନିଷ୍ପରି ନେଇଥିବା ଶୁଣାଯାଉଛି । କ୍ୟାବିନେଟର ନିଷ୍ପରି ଅନୁସାରେ ସମୃଦ୍ଧ କୃଷକ ଯୋଜନାରେ ୨୦୨୪-୨୫ରୁ ତିନିବର୍ଷ ପାଇଁ ବିହନ ଉତ୍ପାଦକଙ୍କୁ ଏକ କୁଇଣ୍ଟାଲ ପ୍ରାମାଣିକ ବିହନ ପାଇଁ ମୂଲ୍ୟ ୨୯୨୧ ଉପରେ ଅତିରିକ୍ତ ୮୦୦ ଟଙ୍କାର ଇନ୍ପୁଟ ଖର୍ଚ୍ଚ ଦେବାକୁ ବ୍ୟବସ୍ଥା ରହିଛି ।
ଏ ସବୁ ବ୍ୟବସ୍ଥା ସତ୍ତ୍ବେ ଚାଷୀମାନଙ୍କଠାରୁ ବିହନ କିଣିବାକୁ ନିଗମର ଆନ୍ତରିକତା ନଥିବା ଜଣା ପଡୁଛି I ଏହି ପ୍ରକ୍ରିୟାଟି ସମ୍ପୂର୍ଣ ଭାବେ ଯୋଗାଣ ଓ ଚାହିଦା ଉପରେ ନିର୍ଭର କରେ। ଏବେ ଧାନ ବଦଳରେ ଅନେକ ଚାଷୀ ଅନ୍ୟାନ୍ୟ ଅର୍ଥକରୀ ଫସଲ ଚାଷକୁ ଗୁରୁତ୍ୱ ଦେଉଛନ୍ତି । ବିଶେଷ କରି ଖରିଫ ଚାଷୀଙ୍କୁ ଠିକଣା ସମୟରେ ଉଚିତ ମୂଲ୍ୟରେ ଅନ୍ୟାନ୍ୟ ଅର୍ଥକରୀ ଫସଲ ବିହନ, ସାର ଓ କୀଟନାଶକ ଯୋଗାଇବା ଆବଶ୍ୟକ । ବିହନ ଭଳି ସାର ଅଭାବ ଆମ ରାଜ୍ୟର ଏକ ବଡ଼ ସମସ୍ୟା । ତେଣୁ ରାଜ୍ୟ ସରକାର ଏବଂ କୃଷି ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସେ ଅନୁରୋଧ କରିଛନ୍ତି ।