ଫକୀରମୋହନ ବିଶ୍ବବିଦ୍ୟାଳୟରେ ପାଳିତ ହେଲା ବିଶ୍ୱର ଆଦିବାସୀମାନଙ୍କ ପାଇଁ ଆନ୍ତର୍ଜାତୀୟ ଦିବସ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ବିଶ୍ବରେ ବସବାସ କରୁଥିବା ସମସ୍ତ ଜନଜାତିଙ୍କ ସମ୍ମାନ ଉଦ୍ଦେଶ୍ଯରେ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ‘ବିଶ୍ୱର ଆଦିବାସୀମାନଙ୍କ ପାଇଁ ଆନ୍ତର୍ଜାତୀୟ ଦିବସ’ ପାଳିତ ହୋଇ ଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସ୍ଵତନ୍ତ୍ର ଦିବସ ପାଳନ ଅବସରରେ ମୁଖ୍ଯବକ୍ତା ଭାବରେ ପ୍ରଫେସର ଅଖିଲ ବିହାରୀ ଓତା ଓ ପ୍ରଫେସର ନିର୍ମଳ ଚନ୍ଦ୍ର ଦାଶ ଯୋଗ ଦେଇଥିଲେ।କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ଆଦିବାସୀଙ୍କୁ ମୁଖ୍ଯ ସ୍ରୋତରେ ସାମିଲ କରିବା ପାଇଁ ଆମକୁ ସେମାନଙ୍କ ମୁଖ୍ଯ ବାସସ୍ଥଳୀରେ ସମସ୍ତ ପ୍ରକାର ସୁବିଧାସୁଯୋଗ ଉପଲବ୍ଧ କରାଇବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ। ସେମାନଙ୍କ ଜୀବନକୁ ସହରାଞ୍ଚଳରେ ସଂଯୋଗ କରାଇବା ସହ ସ୍ବାସ୍ଥ୍ୟ ସେବା, ବିଦ୍ୟୁତ ଯୋଗାଣ, ଶିକ୍ଷା ଇତ୍ୟାଦି ସମସ୍ତ ମୌଳିକ ଅଧିକାର ଗୁଡିକୁ ସେମାନଙ୍କ ପାଖରେ ପହଞ୍ଚାଇବା ହିଁ ପ୍ରକୃତ ରୂପେ ସମ୍ମାନ ପ୍ରଦାନର ମାଧ୍ୟମ ହୋଇପାରିବ ବୋଲି ଉଲ୍ଲେଖ କରିଥିଲେ।

ଦେଶର ସମସ୍ତ ‘ଆଦିବାସୀ ଅନୁସନ୍ଧାନ ପ୍ରତିଷ୍ଠାନ’ (TRI) ମଧ୍ୟରୁ ସର୍ବ ପୁରାତନ, ‘ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଅନୁସନ୍ଧାନ ଏବଂ ତାଲିମ ପ୍ରତିଷ୍ଠାନ’ (SCSTRTI),ଓଡିଶା ସରକାର ଓ ଓଡିଶା ରାଜ୍ୟ ଆଦିବାସୀ ସଂଗ୍ରହାଳୟର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଅଖିଲ ବିହାରୀ ଓତା ନିଜ ଅଭିଭାଷଣରେ, ସମଗ୍ର ବିଶ୍ବରେ ଆଦିବାସୀମାନଙ୍କ ସ୍ଥିତିର ସମୀକ୍ଷା, ସେମାନଙ୍କ ଜୀବନର ବାସ୍ତବତା, ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା, ସେମାନଙ୍କ ଉନ୍ନତିକରଣ ଦିଗରେ ସରକାରଙ୍କ ପ୍ରଯୋଜିତ କାର୍ଯ୍ୟକ୍ରମ, ସାମାଜିକ ସମର୍ଥନ ସହ ସେମାନଙ୍କ ଅଧିକାର ସମ୍ବନ୍ଧିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗମାନ ସଂପର୍କରେ ଆଲୋକପାତ କରିଥିଲେ। ଏଥିସହ ଫକୀରମୋହନ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗ ମୁଖ୍ଯ ଓ ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲାରେ ବସବାସ ଜନଜାତିଙ୍କ ପାଖରେ ପହଞ୍ଚି ସେମାନଙ୍କୁ ବିଭିନ୍ନ ବିଷୟରେ ସଚେତନ କରାଇବା ସହ ଏକ ସଂଗଠିତ ମନୋଭାବ ନେଇ ଆଦିବାସୀଙ୍କ ମୌଳିକ ବିକାଶ ଦିଗରେ କାର୍ଯ୍ୟକରିବା ପାଇଁ ପ୍ରସ୍ତାବ ତଥା ଉତ୍ସାହିତ କରିଥିଲେ।

କାର୍ଯ୍ୟକ୍ରମରେ ଭୁବନେଶ୍ଵର ସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସର ଆନ୍ଥ୍ରୋପୋଲୋଜି ବିଭାଗର
ପ୍ରଫେସର ନିର୍ମଳ ଚନ୍ଦ୍ର ଦାଶ ଯୋଗଦେଇ ଆଦିବାସୀମାନଙ୍କ ବାସ୍ତବ ଜୀବନ ସହ ଆମ ଜୀବନ ସଂପର୍କୀତ ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିଥିଲେ। ସେମାନଙ୍କ ଜୀବନର ମୂଲ୍ଯବୋଧ, ଜୀବନଜାପନ ପ୍ରଣାଳୀ, ସଂସ୍କୃତି, ବିଭିନ୍ନ ବିଷୟରେ ଜ୍ଞାନ, ତଥା ସେମାନଙ୍କ ମୌଳିକତାକୁ ବଞ୍ଚାଇ ରଖିବାର ପ୍ରୟାସ ଆମ ସମସ୍ତଙ୍କର ଉତ୍ତରଦାୟିତ୍ବ ବୋଲି ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ। ଏଥିସହ ପ୍ରବାସୀ ଜନଜାତିଙ୍କ ଆର୍ଥିକ ତଥା ସାମାଜିକ ପରିସ୍ଥିତିକୁ ସୁରକ୍ଷିତ ରଖିବାକୁ ପରାମର୍ଶ ଦେଇଥିଲେ।ଏଥିସହ କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା କାର୍ଯ୍ୟକ୍ରମ ସଂପର୍କିତ ସୂଚନା ପ୍ରଦାନ କରିଥିଲେ ଓ କାର୍ଯ୍ୟକ୍ରମର ସଂଯୋଜକ ଡ଼କ୍ଟର ସଚ୍ଚିଦାନନ୍ଦ ସା ଏହି ଦିବସର ସ୍ବାତନ୍ତ୍ର୍ଯ ଉଲ୍ଲେଖ କରି ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଆନ୍ଥ୍ରୋପୋଲୋଜି ବିଭାଗର ଡ଼କ୍ଟର ବିଶ୍ୱଜିତ ପରିଡା ପରିଚାଳନା କରିଥିଲେ ଓ ଡ଼କ୍ଟର ଆକାଶ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.