ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଓଡ଼ିଶା ଅମଲା ସଂଘ କଳାହାଣ୍ଡି ଜିଲ୍ଲା ଶାଖାର ଏକ ସାଧାରଣ ବୈଠକ ଜିଲ୍ଲା ସଭାପତି ସୁକାନ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଭବାନୀପାଟଣା ସ୍ଥିତ ଅମଲା ଭବନ ସଭାଗୃହରେ ଆୟୋଜିତ ହୋଇଯାଇଛି। ଏଥିରେ ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ ଶତାଧିକ ଅମଲା ଯୋଗଦାନ କରିଥିଲେ। ନୂତନ ଭାବେ ନିଯୁକ୍ତି ପାଇଥିବା ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ ୬୦ରୁ ଅଧିକ କନିଷ୍ଠ ସହାୟକ ଲମାନଙ୍କୁ ଆନୁଷ୍ଠାନିକ ଭାବରେ ସ୍ବାଗତ କରାଯାଇଥିଲା। ଅମଲା ମାନଙ୍କ ଏକ ମାତ୍ର ଦାବି ନିଯୁକ୍ତି ପ୍ରବେଶରେ ଲେଭେଲ୍ -୯ ଦାବିକୁ ଆଜିଯାଏଁ ସରକାର ପୂରଣ କରି ନ ଥିବାରୁ ସମସ୍ତେ ପୂର୍ବ ସରକାରଙ୍କୁ ସମାଲୋଚନା କରିଥିଲେ। ଆଗାମୀ ଦିନରେ ସଂଘକୁ ଆହୁରି ସଂଗଠିତ କରି ଦାବିଗୁଡ଼ିକୁ ହାସଲ କରିବା ପାଇଁ ଯୋଜନାକୁ କ୍ରିୟାନିତ କରିବା ପାଇଁ ସମସ୍ତ ବକ୍ତା ମତ ପ୍ରକାଶ କରି ଥିଲେ।
ଗତ ୧୫ମାର୍ଚ୍ଚରେ ପ୍ରକାଶିତ କ୍ୟାଡ଼ର ପୁନର୍ଗଠନ ସମ୍ବନ୍ଧୀୟ ସରକାରୀ ବିଜ୍ଞପ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ସମସ୍ତେ ମତ ରଖିଥିଲେ। ସଂଘର ଉପଦେଷ୍ଟା ରୂପକେଶରୀ ଦଳେଇ ସଂଘର ଆଭିମୁଖ୍ୟ ବିଷରେ ସମସ୍ତଙ୍କୁ ଅବଗତ କରିଥିଲେ। ସଂଘର ଜିଲ୍ଲା ସଂପାଦକ ଜିତେନ୍ଦ୍ର କୁମାର ମୁଣ୍ଡ ସ୍ବାଗତ ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ଯ ଉପସଭାପତି ରତ୍ନାକର ଧଙ୍ଗଡାମାଝି ଓ ଟଙ୍କଧର ସାହୁ, ପୂର୍ବତନ ଜିଲ୍ଲା ସଭାପତି କେଦାରନାଥ ସେଠୀ, ଉପଦେଷ୍ଟା ଅଭିମନ୍ୟୁ ମହାନନ୍ଦ, କୋଷାଧ୍ୟକ୍ଷ ମନୋରଞ୍ଜନ ଛତ୍ରପାଲ ମଞ୍ଚାସୀନ ଥିଲେ। ବିଶ୍ଵନାଥ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।