ସହସ୍ରାବ୍ଦୀ ପୁରୁଷ ଗାନ୍ଧୀଙ୍କ ସତ୍ୟାଗ୍ରହ ପୃଥିବୀକୁ ଧ୍ବଂସ ମୁଖରୁ ବଞ୍ଚେଇପାରିବ -ଆଦିତ୍ୟ ପଟ୍ଟନାୟକ

ଉଦଯାପିତ ହେଲା ‘ମାସ୍’ ପକ୍ଷରୁ ଗାନ୍ଧୀ ଜୟନ୍ତୀ ସପ୍ତାହ ପାଳନ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଗାନ୍ଧୀଙ୍କୁ ନିନ୍ଦା କରୁଥିବା ଲୋକେ ତାଙ୍କୁ ସଠିକ୍ ଭାବରେ ଜାଣିନାହାନ୍ତି ବା ଅଧ୍ୟୟନ କରିନାହାନ୍ତି। ଗାନ୍ଧୀଙ୍କ କଥା ଓ କାମ ମଧ୍ୟରେ ତାରତମ୍ୟ ନଥିଲା। ଅହିଂସାକୁ ଅସ୍ତ୍ର କରି ସେ ଶକ୍ତିଶାଳୀ ଇଂରେଜ ବାହିନୀ ସହ ଯୁଦ୍ଧ କରିବାର ଯେଉଁ ସାହସିକ ପଦକ୍ଷେପ ନେଇଥିଲେ, ତାହା ସାରା ବିଶ୍ବ ପାଇଁ ଏକ ସମୁଜ୍ଜ୍ବଳ ଦୃଷ୍ଟାନ୍ତ। ହଜାରେ ବର୍ଷରେ ଯେତେ ମହାମନିଷୀ ପୃଥିବୀରେ ଜନ୍ମ ହେଇଥିଲେ, ସେମାନଙ୍କୁ ନେଇ ଆମେରିକାର ‘ଟାଇମସ୍ ‘ ପତ୍ରିକା ପକ୍ଷରୁ ଯେଉଁ ସର୍ଭେ କରାଯାଇଥିଲା,ସେମାନଙ୍କ ମଧ୍ୟରେ ଗାନ୍ଧୀ ହିଁ ଶ୍ରେଷ୍ଠ ମାନବ ବୋଲି ନିର୍ବାଚିତ ହୋଇଥିଲେ ଓ ସହସ୍ରାବ୍ଦୀ ପୁରୁଷ ଭାବରେ ଅଭିହିତ ହୋଇଛନ୍ତି ବୋଲି ‘ଓରିଶା ଫଲୋଅପ୍’ ସଭାଗୃହରେ ଅନୁଷ୍ଠିତ ‘ଗାନ୍ଧୀ ଜୟନ୍ତୀ ସପ୍ତାହ ପାଳନ’ର ଉଦଯାପନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ‘ଅନ୍ତୋଦୟ ଚେତନା ମଣ୍ଡଳ’ର ଅଧ୍ୟକ୍ଷ ତଥା ମହାତ୍ମାଗାନ୍ଧୀ ଦାତବ୍ୟ ଚକ୍ଷୁ ଚିକିତ୍ସାଳୟର ନିର୍ଦ୍ଦେଶକ ଆଦିତ୍ୟ ପଟ୍ଟନାୟକ ଏବଂ ଅନ୍ୟ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

‘ମାନବ ଅଧିକାର ସୁରକ୍ଷା ସଂଗଠନ'(ମାସ୍)ର ଅଧ୍ୟକ୍ଷ ଅଭୟ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ‘ଯୁବ ଭାରତ’ର ମୁଖ୍ୟ ଗୋବିନ୍ଦ ଦଳାଇ ଓ ‘ଜ୍ଞାନଶ୍ରୀ’ର ମୁଖ୍ୟ ପ୍ରଶାନ୍ତ ପଟେଲ୍ ପ୍ରମୁଖ ଯୋଗ ଦେଇଥିଲେ। ‘ଓରିଶା ଫଲୋଅପ୍’ର ନିର୍ଦ୍ଦେଶକ ଡି ବି ହୃଦୟ ସ୍ବାଗତ ଭାଷଣ ଦେଇଥିଲେ। ‘ମାସ୍’ର ସଦସ୍ୟ ବିଜୟ ଦାସ ଅଧିକାରୀ, ଶ୍ରଦ୍ଧାଞ୍ଜଳି ରାୟ ଏବଂ ଏହାର ‘ଗାନ୍ଧୀବାଦ ଓ ସର୍ବୋଦୟ ବିଚାର ପ୍ରଚାର ଅଭିଯାନ’ର ସଂଯୋଜିକା ପ୍ରତିମା ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ ଏବଂ ଗାନ୍ଧୀଙ୍କ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ଶେଷରେ ସାଧାରଣ ସଂପାଦକ ଦେବାଶିଷ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। କବି ତଥା ‘ତର୍ଜୁମାନ ନ୍ୟୁଜ୍ ଟାଇମ୍’ର ନିର୍ଦ୍ଦେଶକ ଅଜିମ୍ ବାଲେଶ୍ବରୀ ଏବଂ ‘ମାସ୍’ର ସଦସ୍ୟା ମଞ୍ଜୁଲତା ବଳ କବିତା ପାଠ କରିଥିଲେ। ସଭା ପୂର୍ବରୁ ସଂଗଠନର ‘ପରିବେଶ ସୁରକ୍ଷା ଅଭିଯାନ’ ପକ୍ଷରୁ ‘ଓରିଶା ଫଲୋଅପ୍’ ପରିସରରେ ଫଳଗଛ ରୋପଣ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.