ସୁଲଗ୍ନା ପବ୍ଲିକ ସ୍କୁଲ ପକ୍ଷରୁ ଅନୁଷ୍ଠିତ ହେଲା ବିଜ୍ଞାନମେଳା : ୪୩ଟି ପ୍ରକଳ୍ପରେ ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା, ସୃଜନଶୀଳତା ଓ ଉଦ୍ଭାବନୀ ମନୋଭାବର ବିକାଶ ଲକ୍ଷ୍ୟରେ ବାଲେଶ୍ୱର ସହରସ୍ଥିତ ସୁଲଗ୍ନା ପବ୍ଲିକ ସ୍କୁଲ ପରିସରରେ ଶିଶୁ ଦିବସ ପାଳନ ସହ ବାର୍ଷିକ ବିଜ୍ଞାନମେଳା ଆୟୋଜିତ ହୋଇଯାଇଛି। ଏହି ମେଳାରେ ବିଭିନ୍ନ ବିଷୟ ଆଧାରିତ ୪୩ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବାବେଳେ ଛାତ୍ରଛାତ୍ରୀଙ୍କ ନୂତନ ଚିନ୍ତାଧାରା ଓ ପ୍ରତିଭାର ଝଲକ ଦେଖିବାକୁ ମିଳିଥିଲା।

ସୁଲଗ୍ନା ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ. ଘନଶ୍ୟାମ ବିଶ୍ୱାଳଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଆଇଟିଆର୍, ଚାନ୍ଦିପୁରର ସହନିର୍ଦ୍ଦେଶକ ଡ. ନୀଳାଦ୍ରି ରାୟ ଉଦ୍‌ଘାଟକ ଭାବେ ଯୋଗଦେଇଥିଲେ।

ଜିଲ୍ଲା ଅତିରିକ୍ତ ଏସ୍‌ପି ପରେଶ କୁମାର ରାଉତ, ସୋର ତହସିଲଦାର କୃଷ୍ଣମୋହନ ସିଂହ, ବେସିକ୍ ସାଇନ୍ସ କଲେଜର ପଦାର୍ଥ ବିଜ୍ଞାନ ପ୍ରଫେସର ଡ. ଛତ୍ରପତି ପରିଡ଼ା, ସୁଲଗ୍ନା ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମଧୁସ୍ମିତା ଦାସ ଏବଂ ଯୁକ୍ତ ଦୁଇ କଲେଜର ଅଧ୍ୟକ୍ଷ ପ୍ରଫେସର ଚକ୍ରଧର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜ୍ଞାନର ଗୁରୁତ୍ୱ ଓ ମାନବ ସମାଜର କଲ୍ୟାଣରେ ଏହାର ଭୂମିକା ସମ୍ପର୍କରେ ମତ ରଖିଥିଲେ।

ବିଜ୍ଞାନମେଳାରେ କୃଷି ବିଜ୍ଞାନ, ସ୍ୱାସ୍ଥ୍ୟ ଓ ପରିମଳ, ଶକ୍ତି ଓ ନବୀକରଣଯୋଗ୍ୟ ଶକ୍ତି, ରୋବୋଟିକ୍ସ ଓ କୃତ୍ରିମ ବୁଦ୍ଧିମତ୍ତା, ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଭଳି ବିଭିନ୍ନ ବିଷୟକୁ ନେଇ ପ୍ରକଳ୍ପ ପ୍ରସ୍ତୁତ ହୋଇଥିଲା। ପ୍ରତିଯୋଗିତାରେ ‘ଓମେନ୍ ସେଫ୍ଟି’ ପ୍ରକଳ୍ପ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ‘ଫାର୍ମ ଟୁ ପ୍ଲେଟ୍’ ଦ୍ୱିତୀୟ ଏବଂ ‘ଅଟୋମେଟିକ୍ ଫାୟାର ଏକ୍ସଟିଙ୍ଗୁଇସର୍’ ତୃତୀୟ ସ୍ଥାନ ହାସଲ କରିଥିଲା। ବିଜୟୀ ଦଳଗୁଡ଼ିକୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ସୁଲଗ୍ନା ବିଜ୍ଞାନ ଡିଗ୍ରୀ କଲେଜର ଅଧ୍ୟକ୍ଷ ପ୍ରଫେସର ଧରଣୀଧର ଘୋଷ, ପ୍ରଫେସର ଶଙ୍କର୍ଷଣ ପଣ୍ଡା ଏବଂ ପ୍ରଫେସର ସରୋଜ କୁମାର ବେହେରା ବିଚାରକ ଭାବେ ଯୋଗଦେଇ ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ କରିଥିଲେ। ଅଧ୍ୟାପକ ଜେ.ଏନ୍. ସ୍ୱାଗତ ଭାଷଣ ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସଞ୍ଜୀବ ମିର୍ଦ୍ଧା, ରମେଶ ବିଶ୍ୱାଳ, ଶୁଭେନ୍ଦୁ ଦିଣ୍ଡା, ସୌମ୍ୟରଞ୍ଜନ ପାଣିଗ୍ରାହୀ, ଅରୁଣ କୁମାର ରଣା, ସରୋଜ ରଞ୍ଜନ ବିଶ୍ୱାଳ, ତପନ ବାଳା ଜେନା, ଭାଗ୍ୟଶ୍ରୀ ମହାରଣା, ଅକ୍ଷୟ ସିଂହ ଓ ବସନ୍ତ ବାରିକ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.