ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଗତ ଡିସେମ୍ବର ୨୯ ତାରିଖ ସୋମବାର ସକାଳେ ‘ଚନ୍ଦ୍ରଭାଗୋତ୍ସବ’ କୃତିବାସ ପଣ୍ଡା (ବାପିନନା)ଙ୍କ ମନ୍ତ୍ରପାଠ ତଥା ସୁଶ୍ରୀ ଦୀପ୍ଶିଖା ବର୍ଦ୍ଧନଙ୍କ ଗୀତାପାଠରେ ଆରମ୍ଭ କରାଯାଇଥିଲା ବେଳେ ନୃତ୍ୟ ଅନୁଷ୍ଠାନ ‘ନାଚ୍’ର ମିଳିତ ଉଦ୍ୟମରେ ଓଡ଼ିଶାର ବିଭିନ୍ନ ସ୍କୁଲ୍ରୁ ଆସିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବହୁବିଧ ପ୍ରତିଯୋଗିତା ଆରମ୍ଭ କରାଯାଇଥିଲା । ପ୍ରକାଶଥାଉ କି ଉଦ୍ଘାଟନୀ ସନ୍ଧ୍ୟାରେ ଓଡ଼ିଶାର ପ୍ରଜ୍ଞାଶୀଳ ଲେଖକ ସୁବକ୍ତା ଦାଶ ବେନହୁର୍ ଅତିଥି ଭାବେ ଯୋଗ ଦେଇ ପ୍ରାଣସ୍ପର୍ଶୀ ବକ୍ତବ୍ୟରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ‘ଚନ୍ଦ୍ରଭାଗା’ର ଏକ ସ୍ଵପ୍ନ ଥିଲା ‘ମେଗା କାର୍ଯ୍ୟକମ’ ‘ଜାତୀୟସ୍ତରୀୟ ବହୁଭାଷୀ ନାଟ୍ୟୋତ୍ସବ’ର ଶୁଭାରମ୍ଭ କରିବା। ତଦନୁଯାୟୀ ସଫଦର ହାସ୍ମିଙ୍କ ମୂଳ ହିନ୍ଦୀଲେଖା ‘ହଲ୍ଲାବୋଲ’କୁ ନେଇ ରଚିତ ବଙ୍ଗଳା ନାଟକ ଶାନ୍ତିନିକେତନ, ବୀରଭୂମ ଦ୍ବାରା ନିର୍ମଳ ହାଜରାଙ୍କ ନିର୍ଦ୍ଦେଶନାରେ ମଞ୍ଚସ୍ଥ ହୋଇଥିଲା। ତୃତୀୟ ସନ୍ଧ୍ୟାରେ ଭାରତର ବିଖ୍ୟାତ ମଞ୍ଚ ନିର୍ଦ୍ଦେଶକ ଅଭିନେତା ଝାଡ଼ଖଣ୍ଡ–ଜାମ୍ସେଦ୍ପୁରର ଶିବଲାଲ୍ ସାଗରଙ୍କ ହିନ୍ଦୀ ନାଟକ ‘ଟେରରିଷ୍ଟ୍ କି ପ୍ରେମିକା’ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ସେହିପରି ଶେଷରାତି ଉଦ୍ଯାପନୀ ସନ୍ଧ୍ୟାରେ ଅସୀମ ବସୁ ଫାଉଣ୍ଡେସନ୍ ସୌଜନ୍ୟରୁ ଇଂରାଜୀ ନାଟକ ‘ଦି ସ୍କେଲିଟେନ୍’ର ଓଡ଼ିଆ ରୂପାନ୍ତର କବି-କଥାକାର ଶକ୍ତି ମହାନ୍ତି ଓ ଦେବଦତ୍ତ ପତିଙ୍କ ନିର୍ଦ୍ଦେଶନାରେ ମଞ୍ଚସ୍ଥ ହୋଇଥିଲା ଯାହାକୁ ଦର୍ଶକମାନେ ଭରପୁର ଉପଭୋଗ କରୁଥିଲେ। ଉଦଯାପନୀ ସଂଧ୍ୟା ପ୍ରାକ୍ତନ ବିଧାୟକ ପ୍ରଦୀପ୍ତ ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ବସ୍ତା ବିଧାୟିକା ଶ୍ରୀମତୀ ସୁବାସିନୀ ଜେନା, ସମ୍ମାନିତ ଅତିଥି ଭାବେ ବାଲେଶ୍ବରର ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ, ପୌରାଧ୍ଯକ୍ଷା ଶ୍ରୀମତୀ ସବିତା ସାହୁ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଶତ୍ରୁଘ୍ନ ମଲ୍ଲିକ ଏବଂ ଜନବାଦୀ ସାମାଜିକ କର୍ମୀ ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ‘ଚନ୍ଦ୍ରଭାଗା’ର ଆଶ୍ଚର୍ଯ୍ୟଜନକ ନୂଆ ସମାଜ ଗଠନ କରିବାର ଭୂମିକାକୁ ଭୂୟସୀ ପ୍ରଶଂସା କରିବା ସହିତ ‘ଚନ୍ଦ୍ରଭାଗା’ ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀଦେବଙ୍କୁ ଅଧିକରୁ ଅଧିକ ସମସ୍ତେ ସହାୟ ହେବାକୁ ପରାମର୍ଶ ଛଳରେ କହିଥିଲେ। ତେବେ ଆଗାମୀ ପିଢ଼ି ଯଦି ଏଥିରେ ଧ୍ୟାନ ନ ଦିଅନ୍ତି ସମଗ୍ର ବିଶ୍ଵାୟତନରେ ବିପୁଳ କ୍ଷତି ଘଟିବ ବୋଲି ଚେତାବନୀ ଦେଇଥିଲେ। ‘ନାଚ୍’ ଅନୁଷ୍ଠାନର ଅରୁଣାଂଶୁ ପାଣିଗ୍ରାହୀ ଅତିଥି ଆବାହନ କରିଥିଲା ବଳେ କବି ଶ୍ରୀଦେବ ‘ଚନ୍ଦ୍ରଭାଗା’ର ପ୍ରାରମ୍ଭିକ ଅନୁଭୂତି ଏବଂ ସଫଳତା/ ବିଫଳତା ଉପରେ ଆଲୋକପାତ କରିଥିଲେ। ଅନୁଷ୍ଠାନର ଅନ୍ୟତମ ସଦସ୍ୟ ଅଧ୍ୟାପକ ଡ. ଶଶିକାନ୍ତ ମହାନ୍ତି ଉପସ୍ଥିତ ସମସ୍ତ ଅତିଥି ଓ ଶ୍ରୋତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।





