ରାୟଗଡ,୨୨/୬: ରାୟଗଡ ଜିଲ୍ଳା ସଦର ମହକୁମାରେ ଥିବା ୪ର୍ଥ ବାଟାଲିୟନ ସିଆରପିଏଫର ହେଡ୍ କ୍ୱାଟର୍ସ କ୍ୟାମ୍ପ ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ରବିବାର ସକାଳ ୬ ଟାରୁ ସାଢେ ୭ଟା ପର୍ଯ୍ୟନ୍ତ ଦେଢଘଂଟା ଧରି ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ସାଧାରଣ ଯୋଗ ପ୍ରୋଟକଲ ଅନୁଯାୟୀ ଯୋଗ ପ୍ରଣାୟମ ଓ ବ୍ୟାୟମଗୁଡିକ କରାଯାଇଥିଲା । ୪ର୍ଥ ବାଟାଲିୟନର କମାଣ୍ଡଡେଂଟ ୱାଇ.କେ.ରାଜପୁତ ଏହି ଯୋଗ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ସେକେଣ୍ଡ ଇନ୍ କମାଣ୍ଡଡେଂଟ ଶ୍ରୀମତି ମିତୁ ରଏ,ଡେପୁଟି କମାଣ୍ଡଡେଂଟ ସନ୍ତୋଷ କୁମାରଙ୍କ ସମେତ ସମସ୍ତ ଯବାନମାନେ ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି ଯୋଗ ଦିବସ ଦ୍ୱାରା ଯବାନମାନଙ୍କ ମନରେ ଏକ ଆତ୍ମବିଶ୍ବାସ ସୃଷ୍ଟି କରିପାରିଥିଲା ।
ସେହିପରି ପତଂଜଳି ପରିବାରର ଯୋଗ ଗୁରୁ ରାଜେଶ କୁମାର, ଡଃ.ସୁରେନ୍ଦ୍ର ବେହେରା ଏବଂ ଗାୟତ୍ରୀ ପରିବାରର ଯୋଗ ଗୁରୁ ଏନ.ପି.ସିଂ ଓ ଗଣେଷ କୁମାର ଉପସ୍ଥିତ ସମସ୍ତଙ୍କୁ ଯୋଗାଭ୍ୟାସ କରାଇଥିଲେ । ଯୋଗ କରିବା ଦ୍ୱାରା ଦୈନନ୍ଦିନ ଜୀବନରେ ଏକ ସକରାତ୍ମକ ପ୍ରଭାବ ପଡିବା ସହ ଏହାଦ୍ୱାରା ଆମ ସ୍ୱାସ୍ଥ୍ୟ ସୁସ୍ଥ ରୁହେ ଏବଂ ଶରୀର ନିରୋଗ ରହିବା ସହ ଚାପ,ଦୁଶ୍ଚିନ୍ତା ଓ ଅବସାଦରୁ ମୁକ୍ତି ମିଳିଥାଏ ବୋଲି କମାଣ୍ଡଡେଂଟ ଶ୍ରୀ ରାଜପୁତ କହିଥିବା ବେଳେ ସିଆରପିଏଫ ଯବାନମାନେ ଯେଉଁଠାରେ ମୁତୟନ ହୋଇଥାନ୍ତି ସେଠାରେ କେବଳ ଶାନ୍ତି ଓ ପ୍ରଶାନ୍ତି ଓ ଭାଇଚାରାକୁ ବଜାୟ ରଖି ନ ଥାନ୍ତି ବରଂ ଏପରି କାର୍ଯ୍ୟକ୍ରମ ଗୁଡିକକୁ ପ୍ରକୃତ ଭାବରେ କାର୍ଯ୍ୟକାରୀ କରିବା ପାଇଁ ଆଗେଇ ଆସିଥାନ୍ତି ବୋଲି କମାଣ୍ଡଡେଂଟ ଶ୍ରୀ ରାଜପୁତ ନିଜ ବକ୍ତବ୍ୟରେ କହିଥିଲେ । ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସ୍ଥାନୀୟ ଶିରିଗୁଡା ଗ୍ରାମ ଠାରେ ସିଆରପିଏଫ ଅଧିକାରୀ ଓ ଯବାନମାନେ ବୃକ୍ଷରୋପଣ କରିଥିବା ବେଳେ ରାୟଗଡ ବନ ବିଭାଗ ରେଂଜର ଅଶୋକ କୁମାର ପ୍ରଧାନ ଉପସ୍ଥିତ ରହିଥିଲେ ।