ପଦିଏ ମିଠା କଥାରେ
ଭରି ଥାଏ ସ୍ନେହ ଯେତେ,
ଅମାପ ଅର୍ଥ ରାଶିରେ
ମିଳେ ନାହିଁ ଖୁସି ସେତେ ।
କ୍ରୁର କଥା ପଦ ଟିଏ
କରଇ ସମ୍ପର୍କ ଛିନ୍ନ,
ଅସାବଧାନ କଥାରେ
ଦୂର ହୁଏ ଭୁଞ୍ଜା ଅନ୍ନ ।
ନମ୍ର ଭଦ୍ର କଥା କରେ
ଅଚିହ୍ନାକୁ ଆପଣାର,
କ୍ରୋଧ ଭରା କଥା କରେ
ଆତ୍ମୀୟକୁ ସାତ ପର ।
କେବେ କେବେ ଦୁଃଖି କଥା
ହୁଏ ନାହିଁ ଗ୍ରହଣୀୟ,
କେବେ ବିତ୍ତଶାଳୀ କଥା
ହୁଅଇ ଆଦରଣୀୟ ।
ଅପ୍ରିୟ ସତ୍ୟ କଥାରେ
କେବେ କେବେ ମିଳେ ଦଣ୍ଡ,
କେବେ ମିଛ କଥା କହି
ପ୍ରଭୁ ବୋଲାଉଛି ଭଣ୍ଡ ।
କଥାକୁ କରିଲେ ବଶ
ଦୁନିଆଁ ପାରିବ ଜିତି,
କଥା ହେଲେ ଅଣାୟତ
ଜନ୍ମିବ ସଙ୍କଟ ସ୍ଥିତି ।
କଥାକୁ ମାଜିବା ଯଦି
ଅଯଥା ହୋଇବ ଗୋଳ,
କଥା କଲେ ଅଣଦେଖା
ମନ ହୁଅଇ ବ୍ୟାକୁଳ ।
କଥାକୁ ରଖିଲେ ଚାପି
କୁହୁଳିବ ଛାତି ତଳ,
କଥାକୁ ଖୋଲିଲେ ପୁଣି
ସ୍ଥିତି ହେବ ଅସମ୍ଭାଳ ।
ବେଲପଡା, ପାଟଣାଗଡ, ବଲାଂଗିର