‘ଉଦ୍ୟମୀ’ ପ୍ରକଳ୍ପ ପାଇଁ ଉତ୍କଳ ଆଲୁମିନା ଓ ଇଡିଆଇଆଇ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ରାୟଗଡ/କାଶିପୁର : ନିଜ ଚତୁର୍ପାଶ୍ବରେ ବାସ କରୁଥିବା ଜନସମୁଦାୟଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ନିରଳସ ଭାବରେ କାର୍ଯ୍ୟ କରୁଥିବା ଆଦିତ୍ୟ ବିର୍ଲା ଗ୍ରୁପ୍‍ର ସହଯୋଗୀ କମ୍ପାନୀ ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ) ଏଣ୍ଟପ୍ରିନ୍ୟୋରସିପ୍‍ ଡେଭଲପମେଣ୍ଟ ଇନିସିଏଟିଭ ଅଫ ଇଣ୍ଡିଆ (ଇଡିଆଇଆଇ) ସହିତ ଭର୍ଚୁଆଲ ପଦ୍ଧତିରେ ଏକ ବୁଝାମଣା ପତ୍ର ଚଳିତ ଜୁନ୍‍ ମାସ ୧୬ ତାରିଖରେ ସ୍ୱାକ୍ଷର କରିବା ସହିତ ‘ଉଦ୍ୟମୀ’ ପ୍ରକଳ୍ପର ଶୁଭାରମ୍ଭ କରିଛି । ଏହି ପ୍ରକଳ୍ପ ରାୟଗଡା ଜିଲାର କାଶୀପୁର ବ୍ଲକ ଏବଂ କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକରେ ଗ୍ରାମାଞ୍ଚଳ ବ୍ୟବସାୟିକ ଉଦ୍‍ଭବନ କେନ୍ଦ୍ର (ଇନକ୍ୟୁବେସନ ସେଣ୍ଟର) ସ୍ଥାପନ ଜରିଆରେ ଗ୍ରାମାଞ୍ଚଳ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବ । ତିନିବର୍ଷ ମଧ୍ୟରେ ଏହି ପ୍ରକଳ୍ପ ୩୦୦ ଉଦ୍ୟୋଗୀଙ୍କୁ ଅଣ କୃଷି ଏବଂ କୃଷି ସମ୍ପର୍କିତ ଆନୁଷଙ୍ଗିକ କ୍ଷେତ୍ରରେ ପ୍ରୋତ୍ସାହିତ କରିବ । ଆଗ୍ରହୀ ଯୁବଗୋଷ୍ଠୀଙ୍କୁ ଚିହ୍ନଟ କରିବା, ସେମାନଙ୍କ କୁଶଳତାର ପରିମାପ ଏବଂ ସେମାନଙ୍କୁ ବ୍ୟବସାୟିକ ସମାଧାନ ଯୋଗାଇବା ଆଦି ହେଉଛି ଏହି ପ୍ରକଳ୍ପର ମୁଖ୍ୟ ଉପାଦାନ । ଏହା ଯୁବବର୍ଗଙ୍କ ମଧ୍ୟରେ ଆତ୍ମ ପ୍ରାଦ୍ୟୋଗିକତାକୁ ପ୍ରୋତ୍ସାହିତ କରିବା ସହିତ ଉକ୍ତ ଅଞ୍ଚଳରେ ଏକ ଔଦ୍ୟୋଗିକ ପରିବ୍ୟବସ୍ଥା ସୃଷ୍ଟି କରିବ । ପ୍ରକଳ୍ପ ଔଦ୍ୟୋଗିକ ବିକାଶ ସମ୍ପର୍କିତ ବିଭିନ୍ନ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମକୁ ସମନ୍ୱିତ କରିବ ।


ୟୁଏଆଇଏଲ୍ର ୟୁନିଟ ହେଡ ଶ୍ରୀ ମଜହର ବେଗ୍‍ ୟୁଏଆଇଏଲ୍‍ ପକ୍ଷରୁ ଏବଂ ଇଡିଆଇଆଇ ପକ୍ଷରୁ ଏହାର କର୍ପୋରେଟ ପ୍ରୋଜେକ୍ଟସ ଡାଇରେକ୍ଟର ଡ.ରମଣ ଗୁଜରାଲ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ । ଏହି ଅବସରରେ ହିଣ୍ଡାଲ୍‍କୋ ଗ୍ରୁପ୍‍ର ସିଏସଆର ମୁଖ୍ୟ ଶ୍ରୀ ବିପୁଲ ଚାଟାର୍ଜୀ, ଇଡିଆଇଆଇ ମହାନିର୍ଦ୍ଦେଶକ ଡ.ସୁନିଲ ଶୁକ୍ଳାଙ୍କ ସମେତ ୟୁଏଆଇଏଲ୍‍ ଏବଂ ଇଡିଆଇଆଇର ବରିଷ୍ଠ
ଅଧିକାରୀଗଣ ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରକାଶକରି ୟୁଏଆଇଏଲର ୟୁନିଟ ହେଡ ଇଡିଆଇଆଇ ଏବଂ ୟୁଏଆଇଏଲ୍‍ର ସମୁଦାୟ ଟିମ୍‍କୁ ଉକ୍ତ ଅଞ୍ଚଳରେ ଏକ ଔଦ୍ୟୋଗିକ ପରିବ୍ୟବସ୍ଥାର ବିକାଶ ଦିଗରେ ସେମାନଙ୍କର ସର୍ବୋତ୍ତମ ପ୍ରୟାସ କରିବାକୁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଅଞ୍ଚଳରେ ଏଭଳି ଏକ ଔଦ୍ୟୋଗିକ ପରିବେଶ ସୃଷ୍ଟି କରାଯିବା ଆବଶ୍ୟକ ଯାହା କେବଳ ଯୁବବର୍ଗଙ୍କ ମଧ୍ୟରେ ଆତ୍ମ ପ୍ରାଦ୍ୟୋଗିକତାକୁ ପ୍ରୋତ୍ସାହିତ କରିବାନାହିଁ, ତାହାସହିତ ଜାତିସଂଘର ୨୦୩୦-ଏସଡିଜି ୧, ଏସଜିଡି ୨ ଏବଂ ଏସଡିଜି ୧୭ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲରେ ସହାୟକ ହେବ ।


ଡ.ରମଣ ଗୁଜରାଲ ଭରସା ଦେଇ କହିଥିଲେ ଯେ ବେକାର ଯୁବଗୋଷ୍ଠୀଙ୍କ ମଧ୍ୟରେ ଆତ୍ମ ପ୍ରାଦ୍ୟୋଗିକତାକୁ ପ୍ରୋତ୍ସାହିତ କରିବା ଦିଗରେ ଏହା ରାଜ୍ୟ ଏବଂ ସମୁଦାୟ ରାଷ୍ଟ୍ର ପାଇଁ ଏକ ଆଦର୍ଶ ପ୍ରୟାସ ହେବ । ୟୁଏଆଇଏଲ୍‍ ସହିତ ଏହି ସହଭାଗିତା ଆଗେଇ ନେବା ପାଇଁ ଇଡିଆଇଆଇ ପ୍ରତିଶ୍ରୁତିବଦ୍ଧ ବୋଲି ସେ ପ୍ରକାଶ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ୟୁଏଆଇଏଲ ଏକ ଦାୟିତ୍ୱସଂପନ୍ନ କର୍ପୋରେଟ ସଂସ୍ଥା ଭାବରେ ଏହାର ପାରିପାର୍ଶ୍ୱିକ ଗ୍ରାମଗୁଡିକରେ ଶିକ୍ଷା, ସ୍ୱାସ୍ଥ୍ୟସେବା, ଦୀର୍ଘସ୍ଥାୟୀ ଜୀବିକା ଏବଂ ଗ୍ରାମାଞ୍ଚଳ ଭିତ୍ତିଭୂମି ଆଦି କ୍ଷେତ୍ରରେ ତାହାର ସିଏସଆର କାର୍ଯ୍ୟକ୍ରମଗୁଡିକ କାର୍ଯ୍ୟକାରୀ କରିବା ଦିଗରେ ଗଭୀର ଭାବରେ ନିୟୋଜିତ ହୋଇଛି ଏବଂ ତତ୍‍ସହିତ ସାମାଜିକ ପ୍ରସଙ୍ଗଗୁଡିକର ସମାଧାନ ଦିଗରେ ମଧ୍ୟ କାର୍ଯ୍ୟକରୁଛି । ମୋଟ ଉପରେ ୟୁଏଆଇଏଲ୍‍ ଓଡ଼ିଶାର ୫୭ଟି ଗ୍ରାମରେ ୩୦,୦୦୦ରୁ ଅଧିକ ଲୋକଙ୍କୁ ସେବା ଯୋଗାଇ ଦେଉଛି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ସହ କାଶିପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.