କଳାହାଣ୍ଡି, (ନରୋତ୍ତମ ସେଲମା ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ସଭାଗୃହ ଠାରେ କୃଷକ ଉତ୍ପାଦକ ସଂଘ ପ୍ରେତ୍ସାହନ ଓ ବିକାଶ ପାଇଁ ଭାରତ ସରକାର ଏବଂ ନବାର୍ଡ ଅନୁଷ୍ଠାନ ମିଳିତ ଆନୁକୂଲ୍ୟରେ କାର୍ଯ୍ୟକାରୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ପକ୍ଷରୁ ଆଜି କୃଷକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଯୁଗଳ କିଶୋର ପଟ୍ଟନାୟକ ଓ କୋଷାଧ୍ୟକ୍ଷ ପ୍ରକାଶଚନ୍ଦ୍ର ସାହୁଙ୍କ ସଂଯୋଜନାରେ କାର୍ଯ୍ୟକ୍ରମରେ ୧୫ରୁ ଅଧିକ ପନିପରିବା ଚାଷୀ ଅଂଶଗ୍ରହଣ କରିଥିଲେ। କୃଷକ ଉତ୍ପଦକ ସଂଘ ଗଠନର ଉପକାରିତା, ଚାଷୀଙ୍କ ଭାଗୀଦାରିତା, ସଂଘ ଗଠନରେ ଚାଷୀଙ୍କୁ ମିଳୁଥିବା ବିଭିନ୍ନ ଲାଭ, ସଂଘ ପଞ୍ଜିକରଣର ପକ୍ରିୟା ଏବଂ ଅନ୍ୟାନ୍ୟ ବିଷୟରେ ଏହି ବୈଠକରେ ଆଲୋଚନା କରାଯାଇଥିଲା। ଏହି ସଂଘ ମାଧ୍ୟମରେ ଚାଷୀ ମାନଙ୍କ ଉପାର୍ଜିତ ଆୟକୁ ଦ୍ୱିଗୁଣିତ କରିବା ପାଇଁ ଲକ୍ଷ ଧାର୍ଯ୍ୟ ହୋଇଥିବା ବିଷୟରେ ପ୍ରତିନିଧିମାନେ ଆଲୋଚନା କରିଥିଲେ। ଆସନ୍ତା ଏକ ମାସ ମଧ୍ୟରେ କର୍ଲାମୁଣ୍ଡା ବ୍ଲକର ସମସ୍ତ ଅଗ୍ରଣି ଚାଷୀ ମାନଙ୍କୁ ନେଇ ଏକ କୃଷକ ଉତ୍ପାଦକ ସଂଘ ଗଠନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଅଞ୍ଚଳର ଅଗ୍ରଣୀ ଚାଷୀ ପୂର୍ଣ୍ଣଚନ୍ଦ୍ର ମାଝୀ, ବଳଦେବ ଭୋଇ, ଜିତ ଭୋଇ, ଜୟନ୍ତୀ ପଧାନ, ଅମ୍ବାବତୀ ପଟେଲ ପ୍ରମୁଖ ଯୋଗଦେଇ ନିଜ ନିଜ ପନିପରିବା ଚାଷ ଉପରେ ସମ୍ପର୍କିତ ଅଭିଜ୍ଞତା ପ୍ରକାଶ କରିଥିଲେ। ଶେଷରେ ଅନୁଷ୍ଠାନର କୋଷାଧ୍ୟକ୍ଷ ପ୍ରକାଶ ସାହୁ ସମସ୍ତ ଚାଷି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।