ଗଉଡବଡାଗୁଡା ଗ୍ରାମ ନୂଆସାହିରେ ବର୍ଷେ ହେଲାଣି ଜଳକଷ୍ଟ

● ନିର୍ମାଣ ନଳକୂପ କାର୍ଯ୍ୟକ୍ଷମ ନୁହଁ, ହନ୍ତସନ୍ତ ଗ୍ରାମବାସୀ

ରାୟଗଡ, (ଶିବ ନାରାୟଣ ଗୈାଡ): ଗଉଡବଡାଗୁଡା ଗ୍ରାମ ନୂଆସାହିରେ ଦେଖାଦେଇଛି ଜଳକଷ୍ଟ । ଗ୍ରାମାଂଚଳରେ ଘରକୁ ଘର ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ସରକାରଙ୍କ ବସୁଧା ଯୋଜନା । ତେବେ ଏହି ମହତକାଂକ୍ଷୀ ଯୋଜନାରେ ନୂଆସାହିର ୩୦ଘର ପରିବାର ବଂଚିତ ହୋଇଥିବା ଚିତ୍ର ଏବେ ସାମ୍ନାକୁ ଆସିଛି । କିନ୍ତୁ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ରାୟଗଡ ଜିଲ୍ଳାରେ ଅନେକ ପ୍ରକଳ୍ପ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ସୁଦ୍ଧା ଗଉଡବଡାଗୁଡା ଗ୍ରାମର ନୂଆସାହି ବାସିନ୍ଦା ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଥିବା ଭଳି ଘଟଣା ବିଭାଗୀୟ କାର୍ଯ୍ୟକ୍ରମର ଅସଲ ଚିତ୍ର ପଦାକୁ ପକାଇଛି । ଖରାଦିନ ଶେଷ ହୋଇ ବର୍ଷାଦିନ ଆରମ୍ଭ ହେଲାଣି ଯାହାକୁ ନେଇ ଏବେ ଚିନ୍ତାରେ ନୂଆସାହି ବାସିନ୍ଦା । ଠିକାଦରାଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ଗୋଟିଏ ନଳକୂପ କାର୍ଯ୍ୟକ୍ଷମ ହେଉ ନ ଥିବା ବେଳେ ବର୍ଷକରୁ ଅଧିକ ସମୟ ହେଲାଣି ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ଏହାର ମରାମତି ମଧ୍ୟ କରାଯାଉ ନ ଥିବା ଅଭିଯୋଗ ହୋଇଛି । ରାୟଗଡ ଜିଲ୍ଳା ସଦର ବ୍ଳକ ହାଲୁଆ ଗ୍ରାମ ପଂଚାୟତ ଅନ୍ତର୍ଗତ ଗଉଡବଡାଗୁଡା ଗ୍ରାମର ନୂଆସାହିରେ ରହୁଛନ୍ତି ୩୦ଘର ପରିବାରର ୧୨୦ରୁ ଉର୍ଦ୍ଧ ଲୋକ । ଏମାନଙ୍କ ପାଇଁ ରହିଛି ଗୋଟିଏ ନଳକୂପ । ଯାହାକି କାର୍ଯ୍ୟକ୍ଷମ ନୁହଁ ଫଳରେ ମୁନ୍ଦାଏ ପିଇବା ପାଣି ପାଇଁ ଗାଁର ମହିଳାମାନେ ଅଧକିଲୋମିଟର ଦୂର ଗଉଡବଡାଗୁଡା ବଡସାହି ଉପରେ ନିର୍ଭର କରି ଚଳୁଛନ୍ତି । ଚାଲି ଚାଲି ଯାଇ ମୁଣ୍ଡରେ ହାଣ୍ଡିଏ ପାଣି ଆଣିବା ପୁଣି ଆବଶ୍ୟକ ପଡିଲେ ଆଉଥରେ ଯିବା ଏମାନଙ୍କ ପାଇଁ ଏକ ବଡ ସମସ୍ୟା ହୋଇ ରହିଛି । ବଡସାହିରେ ଥିବା ସୋଲାର ବ୍ୟବସ୍ଥା ଯୋଗୁଁ ପ୍ରଥମେ ବଡସାହି ଲୋକେ ପାଣି ବ୍ୟବହାର କରିବା ପରେ ଦୀର୍ଘ ସମୟ ଧରି ଅପେକ୍ଷା କରି ପାଣି ହାଣ୍ଡିଏ ଲେଖାଁଏ ଆଣୁଛନ୍ତି ନୂଆସାହି ବାସିନ୍ଦା । ଫଳରେ ସମୟର ଅଧିକ ଅପଚୟ ଯୋଗୁଁ ଘରେ ରୋଷେଇ କାମ ଠାରୁ ଆରମ୍ଭ କରି ଦିନ ମଜୁରିଆ ଭାବେ ଖଟୁଥିବା ଗରୀବ ଗ୍ରାମବାସୀମାନେ ଠିକ୍ ସମୟରେ ଘରୁ ବାହାରି ମଧ୍ୟ ପାରୁନାହାନ୍ତି । ଜଳକଷ୍ଟ ନେଇ ଗ୍ରାମର ମହିଳା ସୁଭଦ୍ରା ବଛାବଂଶ, ସଇତ ବଛାବଂଶ, ଟୁନି ବଛାବଂଶ, ନମୀତା ହାତୀବଂଶ, ରତ୍ନା ବଛାବଂଶଙ୍କ ସମେତ ଅନ୍ୟ ମହିଳାମାନେ କେବଳ ନାମକୁ ମାତ୍ର ଗ୍ରାମରେ ପଂଚାୟତ ତରଫରୁ ଗୋଟିଏ ନଳକୂପ କରାଯାଇଛି ଯାହାକି ଆରମ୍ଭ ଦିନରୁ ହିଁ ଅଚଳ ହୋଇ ପଡିଛି । ଯାହାକୁ ନେଇ ପଂଚାୟତ କର୍ତୁପକ୍ଷ ନଳକୂପ ନିର୍ମାଣ କରିଥିବା ଠିକାଦାରଙ୍କୁ ମରାମତି ତଥା କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦେଉ ନ ଥିବାରୁ ଠିକାଦାର ଉକ୍ତ ନଳକୂପ ମରାମତି କରିବାକୁ ମଧ୍ୟ ଗୁୁରୁତ୍ୱ ଦେଉ ନ ଥିବା ଅଭିଯୋଗ କରିଛନ୍ତି । ପିଇବା ପାଣି ପାଇଁ ଅଧକିଲୋମିଟର ଓ ନିତ୍ୟକର୍ମ ସହ ଗୃହପାଳିତ ପଶୁମାନଙ୍କ ନିମନ୍ତେ ଆବଶ୍ୟକ ପାଣି ପାଇଁ ଜପାଖାଲ ବ୍ରିଜ ତଳ ଝଂଜାବତୀ ନଦୀ ଉପରେ ଗ୍ରାମବାସୀମାନେ ନିର୍ଭର କରୁଥିବା ନେଇ ଗ୍ରାମର ଗୋବିନ୍ଦ ବଛାବଂଶ, ଧର୍ନୁଜୟ ହାତୀବଂଶ, ଜଗନ୍ନାଥ ବଛାବଂଶ ପ୍ରମୁଖ ଗ୍ରାମବାସୀ ପ୍ରକାଶ କରିଛନ୍ତି । ବର୍ତମାନ ବର୍ଷା ଦିନ ଆରମ୍ଭ ହୋଇଥିବାରୁ ନଦୀରେ ପାଣି ଅଧିକ ହେଲେ ନିଜେ ଓ ନିଜ ପିଲାମାନଙ୍କୁ ନେଇ ନଦୀକୁ ଯିବା ତାହା ମଧ୍ୟ ସମ୍ଭବପର ହେବ ନାହିଁ ବୋଲି କହିଛନ୍ତି । ଗଉଡବଡାଗୁଡା ଗ୍ରାମ ନୂଆସାହିର ପାନୀୟ ଜଳ ସମସ୍ୟାକୁ ନେଇ ବାରମ୍ବାର ପଂଚାୟତ ସମିତିି କାର୍ଯ୍ୟାଳୟ ତଥା ଗ୍ରାମ୍ୟ ପାନୀୟ ଜଳ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ ସୁଦ୍ଧା କେହି ହେଲେ କର୍ଣ୍ଣପାତ କରୁନଥିବା ବେଳେ ଅଚଳ ନଳକୂପକୁ ରଦ୍ଧ କରି ତା ସ୍ଥାନରେ ନୂତନ ନଳକୂପ କାହିଁକି ନିର୍ମାଣ କରା ନ ଯାଇ ଗ୍ରାମବାସୀମାନଙ୍କୁ ବର୍ଷ ବର୍ଷ ଧରି ପିଇବା ପାଣିରୁ ବଂଚିତ କରାଯାଉଛି ବୋଲି ହାଲୁଆ ଗ୍ରାମ ପଂଚାୟତ ସମିତି ସଭ୍ୟ ତାମାରାଓ ବିଡିକା ଅଭିଯୋଗ କରିଛନ୍ତି । ଅପରପକ୍ଷେ ନଳକୂପ ନିର୍ମାଣ କରିଥିବା ଠିକାଦାରଙ୍କୁ ନଳକୂପ କାର୍ଯ୍ୟକ୍ଷମ ହୋଇ ନ ଥିବାରୁ ତାଙ୍କୁ ଏବେ ଯାଏଁ କୈାଣସି ବିଲ୍ ପୈଠ କରାଯାଇ ନ ଥିବା ବେଳେ ତାଙ୍କ ସହ ଯୋଗାଯୋଗ କରାଯାଇ ଖୁବ୍ ଶୀଘ୍ର ନୂଆସାହିରେ ପାଣି ଯୋଗାଣ ପାଇଁ ବ୍ୟବସ୍ଥା କରାଯିବ ବୋଲି ପଂଚାୟତ ନିର୍ବାହୀ ଅଧିକାରୀ ଅଜିତ୍ ହୋତା ପ୍ରକାଶ କରିଛନ୍ତି । ସେହିପରି ଜିଲ୍ଳା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଇଇ)ରିତେଶ ସାହୁ ନୂଆସାହିରେ ଥିବା ନଳକୂପର ଅବସ୍ଥାକୁ ତଦାରଖ କରାଯାଇ ଦିନେ ଦୁଇଦିନ ମଧ୍ୟରେ ତାହାର ଯାହା ଆବଶ୍ୟକ ତାହା ଉପଲବ୍ଧ କରାଯାଇ ନଳକୂପକୁ କାର୍ଯ୍ୟକ୍ଷମ କରାଯିବ ବୋଲି ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.