● ‘ଜୟପୁର ରାଜବଂଶାବଳୀ’ ପୁସ୍ତକରେ ମହାରାଜାଙ୍କୁ କଟୁ ସମାଲୋଚନା ମନ୍ତବ୍ୟକୁ ନେଇ ପ୍ରତିବାଦ
ରାୟଗଡ, (ଶିବ ନାରାୟଣ ଗୈାଡ): ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି କଳା ଓ ସାଂସ୍କୃତିକ ପରିଷଦ ତରଫରୁ ଆଜି ସ୍ତାନୀୟ ରାୟଗଡ ସହର ସ୍ଥିତ ପୂର୍ତ ବଙ୍ଗଳା ସମ୍ମିଳନୀ କକ୍ଷରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରେସ୍ ଇସ୍ତାହାର ମାଧ୍ୟମରେ ରାଜ୍ୟର କୋରାପୁଟ ଜିଲ୍ଳା ଅନ୍ତର୍ଗତ ଜୟପୁର ସହରର ସୁବାଷ ଚନ୍ଦ୍ର ମିଶ୍ର ଏବଂ କୃଷ୍ଣଚନ୍ଦ୍ର ସାହୁଙ୍କ ଦ୍ୱରା ରଚିତ ଓ ପ୍ରକାଶିତ ‘ଜୟପୁର ରାଜବଂଶାବଳୀ’ ପୁସ୍ତକରେ ପ୍ରାତଃ ସ୍ମରଣୀୟ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ନିର୍ମାତା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କୁ କଟୁ ସମାଲୋଚନା କରାଯାଇ ଅପମାନ ସୂଚକ ଅଗ୍ରାହ୍ୟ ମନ୍ତବ୍ୟ ଉଲ୍ଳେଖୀତ କରାଯାଇଛି । ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓଡିଆ ଜାତି ଉଦ୍ଦେଶ୍ୟରେ ସଂପୂର୍ଣ୍ଣ ଭାବେ ନିଜକୁ ସର୍ମପଣ କରି ଏବଂ ନିଜ ରାଜକୋଷରୁ ବହୁ ଅର୍ଥବ୍ୟୟ କରିଥିଲେ । ତାଙ୍କର କୀର୍ତିରାଜ ସମଗ୍ର ଦେଶରେ ଆଜିମଧ୍ୟ ବିଦ୍ୟମାନ । ଏହା କୈାଣସି ଅଛପା କଥା ନୁହେଁ । ଉତ୍କଳ ସମ୍ମଳନୀର ଦଶମ ଅଧିବେଶନରେ ଭାଷା ଭିତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବା ପାଇଁ ଓ ସମଗ୍ର ଓଡିଆ ଭାଷାଭାଷି ଅଂଚଳକୁ ଏକତ୍ର କରିବା ପାଇଁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରସ୍ତାବ ଦେଇଥିଲେ । କେବଳ ସେତିକି ନୁହେଁ ଏହି ସମ୍ମିଳନୀର ସମସ୍ତ ଖର୍ଚ୍ଚ ନିଜେ ବହନ କରି ସମଗ୍ର ଓଡିଶାର ତତ୍କାଳୀନ ତୁଙ୍ଗ ନେତାମାନଙ୍କୁ ଆମନ୍ତ୍ରଣ କରି ଗୋଟିଏ ମଂଚରେ ଠିଆ କରାଇପାରିଥିଲେ । ଦଶନ୍ଧି ଦଶନ୍ଧି ଧରି ଶିକ୍ଷା, ଗମାନଗମନ, ଜଳସେଚନ, ସାହିତ୍ୟ ଓ ସଂସ୍କୃତିର ବିକାଶରେ ମହାରାଜାଙ୍କ ଭୂମିକା ଅବର୍ଣ୍ଣନୀୟ । ଏହିଭଳି ଜଣେ ବିରଳ ବ୍ୟକ୍ତିତ୍ୱ ବିରୁଦ୍ଧରେ କୈାଣସି ତଥ୍ୟ ଭିତିକ ଗବେଷଣା ନ କରି ସ୍ୱର୍ଗତ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସମ୍ପର୍କରେ ଉଲ୍ଳେଖୀତ ଭିତିହୀନ ଟିପ୍ପଣୀ କେବଳ ପାରଳାଖେମୁଣ୍ଡି ନୁହଁ ସମଗ୍ର ଓଡିଆ ଜାତିର ସ୍ୱାଭିମାନକୁ କୁଠାରଘାତ କରିଛି । ତେଣୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି କଳା ଓ ସାଂସ୍କୃତି ପରିଷଦ,ରାୟଗଡ ତରଫରୁ ଗଜପତିଙ୍କ ବିରୁଦ୍ଧରେ ଲେଖାଯାଇଥିବା ହୀନ ମନ୍ତବ୍ୟକୁ ତିବ୍ର ନିନ୍ଦା କରିବା ସହିତ ପ୍ରତିବାଦ କରାଯାଇଥିବା ଉଲ୍ଳେଖ ରହିଛି । ସେହିପରି ‘ଜୟପୁର ରାଜବଂଶାବଳୀ’ ପୁସ୍ତକର ଲେଖକ ଦ୍ୱୟ ନିଃସର୍ତ କ୍ଷମା ପ୍ରାର୍ଥନା କରିବା ସହିତ ପ୍ରକାଶିତ ପୁସ୍ତକର ବିତରଣ ବନ୍ଦ କରିବା ପାଇଁ ଦାବି କରାଯାଇଛି । ଏହା ସହିତ ସେହି ପୁସ୍ତକରୁ ୩୩୨ ନମ୍ବର ପୃଷ୍ଠାକୁ ଉଚ୍ଛେଦ କରିବା ପାଇଁ ମଧ୍ୟ କରାଯାଇଥିବା ଜଣାଯାଇଛି । ରାୟଗଡ ମହାରାଜା କୃଷ୍ଣଚନ୍ଦ୍ର ଗଜପତି କଳା ଓ ସାଂସ୍କୃତିକ ପରିଷଦ ସଂପାଦକ ଅମୂଲ୍ୟରତ୍ନ ସାହୁଙ୍କ ସଭାପତିତ୍ୱରେ ଆଜିର ସଭା ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଇଂ.ସୀମାଦ୍ରୀ ନାୟକ, ପୂର୍ବତନ ପ୍ରାଧ୍ୟାପକ ପ୍ରମୋଦ କୁମାର ପରିଚ୍ଛା, ଡ. ଭି.ଏଲ.ଏନ. ରାଜୁ, ଗୈାରାଙ୍ଗ ବେବର୍ତା, ସରୋଜ ଦାସ, ତ୍ରିପତି ପଣ୍ଡା, ମାଧବ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ଉପରୋକ୍ତ ବିଷୟ ନେଇ ଗଭୀର ନିନ୍ଦା କରିଥିଲେ । ପାରଳାଖେମୁଣ୍ଡି ସହରର ସର୍ବପୁରାତନ ସାଂସ୍କୃତିକ ଅନୁଷ୍ଠାନ ଉତ୍କଳ ହିତୈଷିଣି ସମାଜର ପ୍ରତିନିଧି ସାହିତ୍ୟକ ନରସିଂହ ପଟ୍ଟନାୟକ ଓ ଗୁଣପୁର ବଂଶଧାରା ସାହିତ୍ୟ ସଂସଦର ପ୍ରତିନିଧି ପ୍ରମୋଦ ଚନ୍ଦ୍ର ପଣ୍ଡା ଯୋଗ ଦେଇ ମହାରାଜାଙ୍କ ବିରୁଦ୍ଧରେ ଲେଖାଯାଇଥିବା ମନ୍ତବ୍ୟକୁ ଚାଲିଥିବା ଜନ ଆନ୍ଦୋଳନକୁ ତ୍ୱରାନ୍ନିତ କରିବା ପାଇଁ ଆହ୍ୱାନ କରିଥିଲେ ।





