ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ ରାଷ୍ଟ୍ରିପତିଙ୍କ ଉଦ୍ଦେଶ୍ୟରେ ୧୧ଦଫା ଦାବିପତ୍ର ପ୍ରଦାନ

ରାୟଗଡ, (ଶିବ ନାରାୟଣ ଗୈାଡ): ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ପରେ ହୋଇଥିବା ହିଂସାକୁ ଦୃଢ ନିନ୍ଦା କରି ରାୟଗଡ ଜିଲ୍ଳା ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ ମହାମହୀମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ୧୧ଦଫା ସମ୍ବଳିତ ଦାବିପତ୍ର ଜିଲ୍ଳାପାଳଙ୍କ ଜରିଆରେ ଅତିରିକ୍ତ ଜିଲ୍ଳାପାଳ ସୋମନାଥ ପ୍ରଧାନଙ୍କୁ ପ୍ରଦାନ କରାଯାଇଛି । ଏହି ଦାବିପତ୍ରରେ ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ଘୋଷଣା ପରେ ୫୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକେ ଆହାତ ହୋଇଛନ୍ତି ଏବଂ ହଜାର ହଜାର ଲୋକଙ୍କୁ ଘର ଓ ପରିବାର ଛାଡିବାକୁ ପଡିଛି ଏବଂ କୋଟି କୋଟି ଟଙ୍କାର ସଂପତି ଲୁଟ୍ କିମ୍ବା ଅଗ୍ନିକାଣ୍ଡରେ ନଷ୍ଟ ହୋଇଥିଲେ ସୁଦ୍ଧା ସେଠାର ରାଜ୍ୟ ସରକାର ତାଙ୍କର ସାମ୍ବିଧାନିକ କର୍ତବ୍ୟ ପାଳନ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଥିବା ଉଲ୍ଳେଖ ରହିଛି । ସେହିପରି ଏହି ନିର୍ବାଚନୀ ହିଂସାରେ ବିଶେଷ କରି ଅନୁସୂଚିତ ଜାତି ଓ ଜନଜାତି ସଂପ୍ରଦାୟର ଅନେକ ଲୋକ ପ୍ରଭାବିତ ହୋଇଥିବାରୁ ସେମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ମହାମହୀମ ରାଷ୍ଟ୍ରପତି ହସ୍ତକ୍ଷେପ କରି ପଦକ୍ଷେପ ଗ୍ରହଣ କରିବାକୁ ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ ଦାବି କରାଯାଇଛି । ଏହି ଦାବିପତ୍ର ପ୍ରଦାନ ବେଳେ ବନବାସୀ କଲ୍ୟାଣ ଆଶ୍ରମ ରାୟଗଡ ଜିଲ୍ଳା ସଭାପତି ପାପନା ପ୍ରାସ୍କା, ଜିଲ୍ଳା ସଂଗଠନ ମନ୍ତ୍ରୀ ଉଚ୍ଛବଚନ୍ଦ ଭୋଇ, ଜିଲ୍ଳା ଉପଦେଶ ପ୍ରମୁଖ ହଳଧର ମିଶ୍ର, ଛାତ୍ରାବାସ ପ୍ରମୁଖ ଅଭିମନା ମାହାନ୍ତ ଓ ସଦସ୍ୟ ତଥା ଜିଲ୍ଳା ଆଦିବାସୀ ସଂଘ ସଦସ୍ୟ ବାମାଣା କାଡ୍ରକା ପ୍ରମୁଖ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.