ଯୋଜନା ପରେ ଯୋଜନା : ଉଣା ହେଉନାହିଁ କୁଟିଆ କନ୍ଧଙ୍କ ବେଦନା

ଅନୁସୂଚିତ ଜନଜାତି କୁଟିଆ କନ୍ଧଙ୍କ ପାଇଁ ରାଜ୍ୟ ସରକାର ସ୍ଥାପନ କରିଛନ୍ତି କୁଟିଆ କନ୍ଧ ଉନ୍ନୟନ ସଂସ୍ଥା (KKDA) । କୁଟିଆ କନ୍ଧଙ୍କ ସର୍ବାଙ୍ଗିନ ଉନ୍ନତି ପାଇଁ ଏହି ସଂସ୍ଥା କାର୍ଯ୍ୟ କରୁଛି । ଏହା ସହ ମାଳ ମାଳ ଯୋଜନା ତେବେ କୁଟିଆ କନ୍ଧର ଜୀବନ ଯେଉଁ ତିମିରକୁ ସେହି ତିମିରେ । ଜନତାର ପ୍ରଶ୍ନ କାହିଁକି ଏମାନଙ୍କ ଜୀବନ ଜୀବିକାରେ ଉନ୍ନତି ହୋଇପାରୁନି ? କାହିଁକି ଏମାନଙ୍କ ପ୍ରତି ଏତେ ଉଦାସୀନ ରହୁଚି ସରକାର ? ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ପରି ମୌଳିକ ଆବସ୍ୟକତାରୁ ବଞ୍ଚିତ ହେଉଛନ୍ତି ଏହି ଗୋଷ୍ଠୀ । ଶୁଦ୍ଧ ଜଳ ନପାଇ ନାଳ ପାଣି ପିଉଛନ୍ତି ଲୋକେ । ନଳକୂପର ପାଣି ଟୋପାଏ ଏମାନଙ୍କ ପାଇଁ ସାତ ସପନ । ସରକାର କହୁଛନ୍ତି ୨୦ ଲକ୍ଷ ଲୋକଙ୍କୁ ଘର ମିଳିଛି କିନ୍ତୁ ଆଜିବି ଶହ ଶହ କୁଟିଆ କନ୍ଧ ଝାଟି ମାଟି ଘରେ ରହୁଛନ୍ତି । ଜଙ୍ଗଳ ଜମି ପଟା ଓ ଭୂମିହିନ ପଟ୍ଟାରୁ ବଞ୍ଚିତ ହଜାର ହଜାର ଆଦିବାସୀ, ଏପଟେ ମିଛ ଡିଣ୍ଡିମ ପିଟୁଛି ସରକାର । ମହାପ୍ରଭୂ କାଳିଆ ନାଁ ଯୋଜନା ହୋଇ ମଦନାମ ହୋଇ ସାରିଲାଣି ଏହାବି ଅପହଞ୍ଚ କୁଟିଆ କନ୍ଧଙ୍କ ପାଖରେ । ନାଳ ପାଣି, ପୁଷ୍ଟିକର ଖାଦ୍ୟର ଅଭାବ ସାଙ୍ଗକୁ ସ୍ବାସ୍ଥ୍ୟ ସଚେତନତା ଅଭାବ ଓ ପାଖକୁ ସ୍ବାସ୍ଥ୍ୟ ସୁବିଧା ପହଞ୍ଚିନଥିବାରୁ ରୋଗ ବୈରାଗରେ ଘାଣ୍ଟି ହେଉଛନ୍ତି ଆଦିବାସୀ । ଅପପୁଷ୍ଟିର ଶିକାର ହେଉଛନ୍ତି ଶିଶୁ । ପ୍ରସୂତି ମା’ର ବେଦନା କହିଲେ ନସରେ । ଅକାଳ ବାର୍ଧକ୍ୟ ଗ୍ରାସୁଛି ଏହି ବନବାସୀଙ୍କୁ । ପେଟର ଭୋକରେ କଳା ସଂସ୍କୃତିକୁ ଆଉ ମନେ ପକାଉଚି କିଏ ! ଏମାନଙ୍କ ସଂସ୍କୃତି ଏକ ସମୃଦ୍ଧ ସଂସ୍କୃତିର ସ୍ବାକ୍ଷର ବହନ କରୁଛି, କିନ୍ତୁ ଏହାର ଉପଯୁକ୍ତ ସଂରକ୍ଷଣ ପାଇଁ କାହାର ଆନ୍ତରିକତା ନାହିଁ । ଯାହାକୁ ଭୋଟ ଦେଇ ସିଂହାସନରେ ବସାଯାଉଛି ତା’ର ପୁଅ ହାଇଫାଇ ପ୍ରାଇଭେଟ ସ୍କୁଲରେ ପଢିବ । ଏପଟେ ଅନେକ ଆଦିବାସୀ ଗାଁରେ ଅଙ୍ଗନୱାଡି ସେଣ୍ଟର କିମ୍ବା ବିଦ୍ୟାଳୟ ନାହିଁ । ମୂର୍ଖ ହୋଇ ଯାଉଛନ୍ତି କୁଟିଆ ପିଲା । କୁଟିଆ କନ୍ଧଙ୍କ ଧାର୍ମିକ ଭାବନା ସହ ଖେଳ ଚାଲିଛି । ଡଙ୍ଗର, ପାହାଡ, ପ୍ରକୃତିର ଉପାସକ ଏହି ବିରଳ ଜନଜାତିର ଆରାଦ୍ଧ୍ୟ ଦେବତା ନିୟମଗିରି ସହ ଅନେକ ପାହାଡକୁ କମ୍ପାନୀ ହାତରେ ଟେକିଦେବାକୁ ଚକ୍ରାନ୍ତ ଚାଲିଛି । ଦେଶର ଅର୍ଥନୈତିକ ବିକାଶ ପାଇଁ କଳ କାରଖାନା ଜରୁରୀ, କିନ୍ତୁ  କୌଣସୀ ଆଦିବାସୀର ଧର୍ମିୟ ଭାବନାସହ ଖେଳକରି ତାଙ୍କର ଦେବତାକୁ ସ୍ଥାନଚ୍ୟୁତ କରିବା ଏକ ଜନ ମଙ୍ଗଳ ରାଷ୍ଟ୍ରରେ ଶୋଭା ପାଏନାହିଁ । ତେଣୁ ନିୟମଗିରିରୁ ମୁଠାଏବି ମାଟି ଛାଡିବାକୁ ରାଜି ନୁହଁନ୍ତି ଆଦିବାସୀ । ହଜାର ହଜାର ବର୍ଷ ଧରି ଡଙ୍ଗର ପାହାଡ ଉପରେ ନିର୍ଭର କରି ଚଳି ଆସୁଛନ୍ତି ଏମାନେ କିନ୍ତୁ, ଏମାନଙ୍କ ଜୀବନ ଜୀବିକା ପ୍ରତି କାହାର ନଜର ନାହିଁ । ଜଙ୍ଗଳ ଜାତ ଦ୍ରବ୍ୟ ବହୁତ କଷ୍ଟରେ ସଂଗ୍ରହ ହେଉଛି କିନ୍ତୁ ଶୋଷଣ କାରି ଦଲାଲ ମାନେ ସାଗ ମାଛ ଦରରେ କିଣି ସୁବର୍ଣ୍ଣ ଦରରେ ବାହାରକୁ ଚାଲାଣ କରୁଛନ୍ତି । ନେତା ଠୁ ଅଫିସର, ଯନ୍ତ୍ରୀ ମନ୍ତ୍ରୀ, ଠିକାଦାର, ଏନଜିଓ, ଜନ ପ୍ରତିନିଧି କୁଟିଆ କନ୍ଧ ଓ ନିରିହ ଆଦିବାସୀଙ୍କୁ ବିଭିନ୍ନ ଉପାୟରେ ଶୋଷଣ କରୁଛନ୍ତି । ଏମାନଙ୍କ ପାଇଁ ସରକାରୀ ରାଜକୋଷରୁ କୋଟି କୋଟି ଟଙ୍କା ଆସୁଛି, କିନ୍ତୁ ବିକାଶର ନାମ ଗନ୍ଧ ନାହିଁ । ରାଜ୍ୟ ସରକାର, କେନ୍ଦ୍ର ସରକାର, ସ୍ଥାନୀୟ ବିଧାୟକ, ସାଂସଦ କିମ୍ବା ପ୍ରଶାସନ କାହା ପାଖରେ ଗୁହାରୀ କରି ଲାଭ ନାହିଁ ! ଅତିଷ୍ଠ ହେଲାଣି କୁଟିଆ କନ୍ଧଙ୍କ ଜୀବନ । ଏହି ସରଳ ଆଦିବାସୀ ମାନଙ୍କ ଆଖିର ଲୁହ, ହୃଦୟର କୋହରେ ସବୁ ଭାସି ଜିବା ଆଗରୁ ସରକାର ସଚେତନ ହୁଅନ୍ତୁ ନଚେତ ପତନ ସୁନିଶ୍ଚିତ ।

Omkar Vasthu
Omkar Vasthu

ସୁନୀଲ କୁମାର ଧଙ୍ଗଡାମାଝୀ

ସଂପାଦକ odiabarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.