ଲାଞ୍ଜିଗଡ଼: ବଦଳିବ ଗାଁ ବଦଳିବ ପଞ୍ଚାୟତ, ଗାଁ ଗାଁରେ ହେବ ସର୍ବାଙ୍ଗୀନ ବିକାଶ, ନିର୍ବାଚନ ଆସିଲେ ଏହି ନାରା ସମସ୍ତ ନେତାଙ୍କ ମୁହଁରୁ ଶୁଣିବାକୁ ମିଳେ। ଘର ଘର ବୁଲି ପୁଳା ପୁଳା ପ୍ରତିଶ୍ରୁତି ଦିଅନ୍ତି ପ୍ରାର୍ଥୀ ହେଲେ ଭୋଟ ସରିବା ସବୁ ପ୍ରତିଶ୍ରୁତି ପାଣିର ଗାର ହୋଇଯାଏ । ସେହି ଚିରାଚରିତ ପ୍ରତିଶୃତିରୁ ବାହାରି କିଛି ଭିନ୍ନ କରି ଦେଖାଇବାକୁ ସଂକଳ୍ପବଦ୍ଧ ଆଜିର ଯୁବପିଢି । ଲୋକେ ବି କିଛି ପରିବର୍ତ୍ତନ ଆଶାରେ ପୁରୁଣା ଚେହେରାକୁ ଭୁଲି ଯୁବପିଢିଙ୍କ ଉପରେ ଆଶା ଜମାଉଛନ୍ତି ।
ଏହି ଭଲି ଜଣେ ଯୁବତୀ ହେଉଛନ୍ତି ଲାଞ୍ଜିଗଡ଼ରୋଡ଼ ଗ୍ରାମ ପଞ୍ଚାୟତ କିଡିଙ୍ଗ ଗାଁର ମସ୍ତରାମ ଶବରଙ୍କ ଝୀଅ ମମତା ଶବର । ଲାଞ୍ଜିଗଡ଼ ବ୍ଲକ ବିଶ୍ଵନାଥପୁର ମାଁ ହୀରାନିଳା ସ୍ନାତକ ମହାବିଦ୍ୟାଳୟରେ +୩ ଡିଗ୍ରୀ ସରିବା ପରେ ସେ ରାଜନୀତିରେ ପାଦ ଥାପିଛନ୍ତି । ବର୍ତମାନ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଲାଞ୍ଜିଗଡ଼ରୋଡ଼ ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିବା ପରେ ସେ ଏବେ ଠାରୁ ମଇଦାନକୁ ଓହ୍ଲାଇ ଲୋକଙ୍କ ସୁଖ ଦୁଃଖ ବୁଝି ଆଲୋଚନା କରୁଛନ୍ତି ।
ଏକ ସାଧାରଣ ଦିନ ମଜୁରିଆ ପରିବାରରୁ ଆସିଛନ୍ତି ମମତା । ତାଙ୍କ ବାପା ମଜୁରି କାମ କରି ମମତାଙ୍କୁ +୩ ପର୍ଯ୍ୟନ୍ତ ପଢ଼ାଇଛନ୍ତି । ତେବେ ମମତାଙ୍କ ଗୋଟିଏ ଆଶା ସେ କେମିତି ପଞ୍ଚାୟତବାସୀଙ୍କ ସେବା କରିବେ । ଗ୍ରାମ ପଞ୍ଚାୟତର ଅନେକ କ୍ଷେତ୍ରରେ ବିକାଶକୁ ଗୁରୁତ୍ବ ଦେବା ସହିତ ମହିଳାଙ୍କ ପାଇଁ ସ୍ଵତନ୍ତ୍ର କର୍ମନିଯୁକ୍ତି କରିବା, ଯୁବଗୋଷ୍ଠୀ ମାନଙ୍କ ଲାଗି କିଛି ନୂଆକରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ମମତା ।
ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in