● ମାରାଥନ୍ ପ୍ରଚାରରେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ହରିଶଙ୍କର ମାଝୀ
କଳାହାଣ୍ଡି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ରହିଛି ନର୍ଲା ରାଜନୀତି । ଗାଁ ମୁହାଁ ହେଲେଣି ତିନି ପ୍ରମୁଖ ଦଳ । କଳେ, ବଳେ, କୈାଶଳେ ଆସନ ହାତେଇବା ପାଇଁ ଚାଲିଛି କସରତ । ନିର୍ବାଚନୀ ମାହୋଲରେ ଘଡିକେ ଘୋଡା ଛୁଟୁଥିବାବେଳେ ନର୍ଲା ଜୋନ୍-୨ ରେ ପ୍ରବଳ ବିଜେଡି ହାଓ୍ବା ଅନୁଭୂତ ହେଉଛି । ଗତଥର ବିଜେପି ହାତକୁ ଏହି ଆସନ ଚାଲିଯାଇଥିବାରୁ ଏବେ କେମିତି ଗଡ଼ ଜିଣିବ ସେଥିପାଇଁ ପୂର୍ବରୁ ରଣନୀତି ପ୍ରସ୍ତୁତ କରିଥିଲା ବିଜେଡି । ବାରମ୍ବାର ସ୍ଥିତି ପରଖିବା ପରେ ନର୍ଲା ବ୍ଲକ ଯୁବ ବିଜେଡି ସଭାପତି ହରିଶଙ୍କର ମାଝୀଙ୍କୁ ପ୍ରାର୍ଥୀ ଭାବେ ଚୟନ କରିଥିଲା ବିଜେଡି । ବିଜେଡି ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଲୋକଙ୍କ ପାଖରେ ପହଞ୍ଚିଥିବାରୁ ଏହା ହରିଶଙ୍କରଙ୍କ ଲଢେଇରେ ବେଶ୍ ସହାୟକ ହେଉଛି । ଏହାସହ ତୃଣମୂଳ ସ୍ତରରେ ଘରେ ଘରେ ପରିଚିତ ଥିବା ଶ୍ରୀଯୁକ୍ତ ମାଝୀଙ୍କୁ ଭୋଟର୍ସ ପସନ୍ଦ କରୁଥିବା ଦେଖାଯାଇଛି । ବିଗତ ୨୨ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ପରିଚାଳିତ ବିଜେଡି ସରକାର ସାଧାରଣ ଜନତାଙ୍କ ନିକଟତର ହୋଇପାରିଛି । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ, ପରିମଳ, ସାମାଜିକ ସୁରକ୍ଷା, ଆମୋଦପ୍ରମୋଦ, ଯୁବ ଓ ମହିଳାମାନଙ୍କୁ ସ୍ବାବଳମ୍ବୀ କରିବାଠାରୁ ଆରମ୍ଭକରି ଶ୍ରମିକ, ଭୂମିହୀନ ଓ ସମସ୍ତ ବର୍ଗଙ୍କ ପାଇଁ ନିରର୍ବିଚ୍ଛିନ୍ନ ଭାବରେ ବିଭିନ୍ନ ଯୋଜନା ପ୍ରଣୟନ କରି ଚାଲିଥିବା ରାଜ୍ୟ ସରକାର ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସବୁ ସ୍ତରର ଲୋକଙ୍କ ପ୍ରୀୟପାତ୍ର ପାଲଟିଛନ୍ତି । ବିଗତ ଦିନରେ ନର୍ଲା ବିଧାୟକ ଭୁପିନ୍ଦର ସିଂ ସମସ୍ତ ଗ୍ରାମ ପଞ୍ଚାୟତର ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ ପାଇଁ ଅନୁଦାନ ଯୋଗାଇ ଆସିଛନ୍ତି । ନର୍ଲା ବ୍ଲକ ବିଜେଡି ସଭାପତି ପରେଶ ପଧାନ, ବ୍ଲକ ଯୁବ ବିଜେଡି ସଭାପତି ତଥା ବର୍ତ୍ତମାନର ଜିଲ୍ଲା ପରିଷଦ ପ୍ରାର୍ଥୀ ହରିଶଙ୍କର ମାଝୀ ଏବଂ ବିଜେଡି କାର୍ଯ୍ୟକର୍ତ୍ତା ତୃଣମୂଳ ସ୍ତରରେ ଲୋକଙ୍କ ସମସ୍ୟାକୁ ସମାଧାନ କରି ସାଧାରଣ ଜନତାଙ୍କ ଆସ୍ଥା ଭାଜନ ହୋଇ ପାରିଥିବା ଜଣାପଡିଛି । ଏସବୁ କାରଣ ପାଇଁ ନର୍ଲା ଜୋନ୍-୨ ରେ ପ୍ରବଳ ବିଜେଡି ହାଓ୍ବା ବହୁଛି । ଇତି ମଧ୍ୟରେ ନର୍ଲା ଜୋନ୍-୨ ଜିଲ୍ଲା ପରିଷଦ ପ୍ରାର୍ଥୀ ହରିଶଙ୍କର ମାଝୀ ମାରାଥନ୍ ପ୍ରଚାରରେ ବାହାରି ଜନତା ଜନାର୍ଦ୍ଦନଙ୍କ ଆଶିଷ ଭିକ୍ଷା କରୁଛନ୍ତି ।





