କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲାର ଜଣେ ବରିଷ୍ଠ ସାମ୍ବାଦିକ ସଞ୍ଜୀବ କୁମାର ଯୋଶୀଙ୍କ ପରଲୋକ ହୋଇଯାଇଛି । ସେ ଦୈନିକ ଧରିତ୍ରୀ ଖବରକାଗଜର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟରତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା । ଗତ କିଛିଦିନ ଧରି ସେ ଅସୁସ୍ଥ ଥିଲେ । ରବିବାର ତାଙ୍କୁ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଦୀର୍ଘ ୩୪ ବର୍ଷ ଧରି ସାମ୍ବାଦିକତା କାର୍ଯ୍ୟ କରିଥିବା ସଞ୍ଜୀବ ଜିଲ୍ଲାର କୋଣ ଅନୁକୋଣରେ ପରିଚିତ ଥିଲେ । ଜଣେ ନିର୍ଭୀକ ସାମ୍ବାଦିକ ଭାବରେ ତାଙ୍କର ଯଥେଷ୍ଟ ସୁଖ୍ୟାତି ରହିଥିଲା । ତାଙ୍କର ପରଲୋକରେ ସାମ୍ବାଦିକ ମହଲ ସମେତ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ସ୍ବର୍ଗତ ଯୋଶୀଙ୍କ ଆବର୍ତ୍ତମାନରେ ବରିଷ୍ଠ ସାମ୍ବାଦିକ ବିଜୟ ଦ୍ବିବେଦୀ, ରଜନୀ ମିଶ୍ର, କମ୍ବୁପାଣି ମିଶ୍ର, ସୁନୀଲ ଧଙ୍ଗଡାମାଝୀ, ମନୋଜ ନାଏକ, ସୁଶାନ୍ତ ସାମନ୍ତରାୟ, ହେମନ୍ତ ସାହୁ, ରାଜକୁମାର ସିଂଦେଓ, ଅଂଶୁମାନ ପାତ୍ର, ପ୍ରଶାନ୍ତ ସାମନ୍ତରା, ତୁମ୍ବେଶ୍ବର ସାହୁ ପ୍ରମୁଖଙ୍କ ସହ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ, କଳାହାଣ୍ଡି ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘ ଓ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି । ଜିଲ୍ଲାର ଅନେକ ବିଶିଷ୍ଟ ବ୍ୟକ୍ତି, ରାଜନେତା ଓ ସାମ୍ବାଦିକମାନେ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି ।