ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଥାନା ଅଧିକାରୀ ପ୍ରସନ୍ନ ବେହେରାଙ୍କ ତତ୍ୱାବଧାନରେ ଏକ ତଦନ୍ତ କାରି ଟିମ ଚୋରି ହୋଇଥିବା ଜେସିବିକୁ ଠାବ କରି ଅଭିଯୁକ୍ତ ମାନଙ୍କୁ ଧରିବାରେ ସକ୍ଷମ ହୋଇଛି । ଜେସିବି ଗାଡିକୁ ଚୋରି କରି ଜୈନିକ କବାଡି ବ୍ୟବସାୟୀ ନିକଟରେ ବିକ୍ରି ଘଟଣା ପର୍ଦାଫାସ କରିଛି କୋକସରା ପୋଲିସ ଓ ଏହି ଘଟଣାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରାଯାଇଛି । ସୁଚନା ମତେ ଏକ ଠିକାସଂସ୍ଥାରେ ବିହାର ରାଜ୍ୟର ଜଣେ ଗାଡି ମାଲିକ ଶ୍ୟାମ ସୁନ୍ଦର ସିଂ ନିଜର ପ୍ରୋକ୍ଲିନ ଗାଡିକୁ ଦେଇଥିଲେ । କୋକସରା ବ୍ଲକ ଗମ୍ଭାରୀଗୁଡା ନିକଟରେ ଠିକାସଂସ୍ଥାର କେମ୍ପ ରହିଥିଲା । କେମ୍ପ ଉଠିଯିବା ପରେ ଗମ୍ଭାରୀଗୁଡା ଗ୍ରାମର ଜଣେ ଯୁବକ କଳ୍ପେଶ୍ୱର ଭାଟିକୁ ଗାଡି ଦେଖାରେଖା କରିବା ପାଇଁ ନିୟୋଜିତ କରାଯାଇଥିଲା । ତେବେ ଗତ ୮ ତାରିଖ ଶୁକ୍ରବାର ଦିନ ଗାଡି କେମ୍ପରେ ନ ଥିବା ଦେଖି କଳ୍ପେଶ୍ୱର ଭାଟି ଗାଡି ମାଲିକଙ୍କୁ ଫୋନ କରିବାରୁ ସେ ଗାଡି ଆଣିନଥିବା କହିଥିଲେ ପରେ କିଛି ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀ ଲୋକ ଗାଡିକୁ ଚିକିଳି ଗ୍ରାମର ଶୈଳେନ୍ଦ୍ର ସାହୁ ଅନ୍ୟ ଦୁଇଟି ହାଇଡ୍ରା ଗାଡି ଓ ଟ୍ରଲରରେ ଲଦି ନେଇଥିବା ଜାଣିବାକୁ ପାଇ ମାଲିକ ଶ୍ୟାମ ସୁନ୍ଦର ସିଂ ଙ୍କୁ ଜଣାଇବା ପରେ ଏ ନେଇ ଗତ ଶନିବାର ୯ ଅପ୍ରେଲ କୋକସରା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଗାଡି ମାଲିକ । ପୋଲିସ ଘଟଣାର ତଦନ୍ତ କରି ଶୈଳେନ୍ଦ୍ର ସାହୁ (୫୫)କୁ ଥାନାରେ ଆଣି ଅଟକ ରଖିବା ସହ ପଚାରିବା ପରେ ସେ ଗାଡି ଚୋରି କରି ନେଇଥିବା ମାନିଥିଲେ ଓ ଧର୍ମଗଡ଼ ର ଜଣେ କବାଡି ବ୍ୟବସାୟୀ ତରୁଣ କୁମାର ଅଗ୍ରୱାଲ(୩୫) ଙ୍କ ନିକଟରେ ବିକ୍ରି କରିଥିବା ମାନିବା ପରେ ପୋଲିସ ଧର୍ମଗଡ଼ରୁ ତରୁଣ ଅଗ୍ରୱାଲକୁ ମଧ୍ୟ ଗିରଫ କରି ବୁଧବାର ଦୁଇ ଅଭିଯୁକ୍ତଙ୍କୁ ଜାମିନ ନାମଞ୍ଜୁର ହେବାପରେ କୋର୍ଟ ଚାଲାଣ କରିଛି । ତଦନ୍ତ କାରି ଟିମରେ ଏଏସଆଇ ହେମନ୍ତ କୁମାର ପାତ୍ର ଓ ମନୋରଞ୍ଜନ ଆଚାର୍ଯ୍ୟ ସମେତ ଅନ୍ୟ ସହଯୋଗୀ ଥିଲେ । ଏ ନେଇ କୋକସରା ଥାନା କେଶ ନମ୍ବର ୮୫/୨୨ ରେ ମାମଲା ରୁଜୁ ହୋଇଥିବା ନେଇ ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।