ଓଡିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଗରଗାବ ଛକ ଉପରେ ଥିବା ଏକ ଦୋକାନ ଘରେ ନିଆଁଲାଗି ଲକ୍ଷାଧିକ ଟଙ୍କା ସାମଗ୍ରୀ ପୋଡି ପାଉଁସ ହୋଇଯାଇଛି । ଅଭିଯୋଗରୁ ଜଣାଯାଏ ଯେ, କେଗାଁ ଥାନା ଅଧିନସ୍ଥ କୁଟୁରାବାହାଲି ଗ୍ରାମର ଲୋକନାଥ ଭୋଇ ସ୍ଥାନୀୟ ଗରଗାବ ଛକରେ ଏକ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦୋକାନ ଖୋଲିଥିଲେ । ଗତକାଲି ରାତ୍ର ସମୟରେ ଦୋକାନ ବନ୍ଦ କରି ଏକ ବିବାହ ଭୋଜି ଖାଇବାକୁ ଯାଇଥିଲେ । ମଧ୍ୟ ରାତ୍ରରେ ତାଙ୍କ ଦୋକାନ ହୋଇ ଘରକୁ ଫେରିଥିଲେ । କିନ୍ତୁ ବିଳମ୍ବିତ ରାତ୍ରୀ ତାଙ୍କ ଦୋକାନ ପୋଡୁଥିବା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଖବର ଦେଇଥିଲେ । ଦୋକାନ ମାଲିକ ଶ୍ରୀ ଭୋଇ ସଙ୍ଗେ ସଙ୍ଗେ ଆସି ସ୍ଥାନୀୟ ଲୋକଙ୍କ ସହିତ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ନିଆଁକୁ ଆୟତ୍ତ କରି ପାରିନଥିଲେ । ନିଆଁ ଲାଗି ଦୋକାନ ମଧ୍ୟରେ ଥିବା ଫ୍ରିଜର ସହିତ ପ୍ରାୟ ଦୁଇ ଲକ୍ଷରୁ ଉର୍ଦ୍ଧ୍ୱ ହେବ ନିତ୍ୟ ବ୍ୟବହାର୍ଯ୍ୟ ସମଗ୍ରୀ ପୋଡି ପାଉଁସ ହୋଇଯାଇଛି । ଏନଇ ଆଜି ସଂପୃକ୍ତ ଦୋକାନୀ କେଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ସଂପୃକ୍ତ ଦୋକାନୀ ଗରିବ ଶ୍ରେଣୀର ହୋଇଥିବା ବେଳେ ଏହି ଦୋକାନରୁ ହିଁ ତାଙ୍କ ପରିବାର ଚଳୁଥିଲା ଏଣୁ ଏହାର ତଦନ୍ତ କରି ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି ।





