ପାନୀୟ ଜଳ ସଂକଟ, ବିଡ଼ିଓଙ୍କ ଦ୍ୱାରସ୍ଥ ହେଲେ ମହିଳା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ସଦର ପଞ୍ଚାୟତ ୯ ନମ୍ୱର ୱାର୍ଡର ମହିଳାମାନେ ପାନୀୟ ଜଳ ଯୋଗାଣ ପାଇଁ କୋକସରା ବିଡ଼ିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି । କୋକସରା ଗ୍ରାମର ବିଭିନ୍ନ ପଡାରେ ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଣ ହେଉଥିବା ବେଳେ ୯ ନମ୍ବର ୱାର୍ଡର ଠାକୁରାଣୀ ମନ୍ଦିର ପଡ଼ାରେ ପାଇପ ପାଣି ଯୋଗାଣ ହୋଇନାହିଁ । ଫଳରେ ପ୍ରଚଣ୍ଡ ଖରାରେ ପାନୀୟ ଜଳ ସଂଗ୍ରହ ପାଇଁ ଘଣ୍ଟା ଘଣ୍ଟା ଧରି ଅନ୍ୟ ସ୍ଥାନକୁ ଯାଇ ପିଇବା ପାଣି ପାଇଁ ଅପେକ୍ଷା କରୁଥିବା ମହିଳା ମାନେ ଅଭିଯୋଗ କରିଛନ୍ତି । ଏହି ପଡାରେ ୨୫ ପରିବାର ପ୍ରାୟ ୨ଶହ ଲୋକେ ବସବାସ କରୁଛନ୍ତି । ବିଭିନ୍ନ ସମୟରେ ପାନୀୟ ଜଳ ଯୋଗାଣ ପାଇଁ ଦାବି କରି ଆସୁଥିଲେ ବି କେହି ଦୃଷ୍ଟି ଦେଉ ନ ଥିବାରୁ ସମସ୍ୟାର ସମାଧାନ ପାଇଁ ବୁଧବାର ୯ ନମ୍ବର ୱାର୍ଡ ସଭ୍ୟା ନଳିନୀ ପ୍ରଭା ପଣ୍ଡାଙ୍କ ନେତୃତ୍ୱରେ ଜୋଷ୍ଣା ନାଏକ, ଅମ୍ବିକା ନାଏକ, ବସୁମତୀ ପୋଡ, ମରୁଆ ଚଣ୍ଡି, ନଳିନୀ ପ୍ରଭାଙ୍କ ସମେତ ପଡାର ମହିଳା ମାନେ କୋକସରା ବିଡ଼ିଓ ମନୀଷା ଦାସଙ୍କୁ ଅଭିଯୋଗ କରିବା ସହ ଯୁଦ୍ଧକାଳୀନ ଭିତ୍ତରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଦାବି କରିଛନ୍ତି । ବିଡ଼ିଓ ମଧ୍ୟ ତୁରନ୍ତ ସମସ୍ୟାର ସମାଧାନ ନିମନ୍ତେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଏବଂ ସରପଞ୍ଚଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.