ଓଡ଼ିଶାରେ ଦୋଳୋତ୍ସବ

ଉତ୍କଳୀୟ ଚିନ୍ତା ଚେତନାରେ ମହାପ୍ରଭୂ ଶ୍ରୀଜଗନ୍ନାଥ ହେଉଛନ୍ତି ଅବତାରୀ ପୁରୁଷ । ଶ୍ରୀକୃଷ୍ଣ, ଶ୍ରୀରାମ ପ୍ରଭୃତି ତାଙ୍କର ଅଂଶାବତାର । ପ୍ରେମମୟ ଶ୍ରୀକୃଷ୍ଣଙ୍କ ବ୍ରଜଧାମର ରଙ୍ଗଖେଳ ଜଗନ୍ନାଥଙ୍କ ଦେଶରେ ହୋଇଯାଏ ଦୋଳପର୍ବ । ରାଧା କୃଷ୍ଣ ଦୋଳ ବିମାନରେ ବସି ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଓଡିଶାରେ ପାଳିତ ହେଉଥିବା ବିଭିନ୍ନ ପର୍ବପର୍ବାଣୀ ମଧ୍ୟରୁ ଦୋଳପର୍ବ ଅନ୍ୟତମ । ଓଡିଶାର ଧାର୍ମିକ ଓ ସାଂସ୍କୃତିକ ପୃଷ୍ଠଭୂମି ଉପରେ ପ୍ରତିଷ୍ଠିତ ଦୋଳ ପର୍ବକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା କରିଛନ୍ତି ମ. ରାମପୁର ମହାବିଦ୍ୟାଳୟ, କଳାହାଣ୍ଡିର ଓଡିଆ ଅଧ୍ୟାପିକା 

Omkar Vasthu
Omkar Vasthu

 

ଡକ୍ଟର ମମତା କୁମାରୀ ତ୍ରୀପାଠୀ

ସୀମାହୀନ ମହୋଦଧିର ଅକଳନ ନୀଳ ବିଚିମାଳର କୋମଳ ସ୍ପର୍ଶରେ ଯାହାର ଚରଣକମଳ ହୋଇଛି ପୂତ ତଥା ପବିତ୍ର ସିଏ ହେଉଛି ଆମର ମହିମାମୟ ତଥା ସର୍ବଧର୍ମର ସମନ୍ୱୟସ୍ଥଳୀ ନୀଳାଚଳ । ଉତ୍କଳୀୟ ସଂସ୍କୃତି ତଥା ସନାତନ ଧର୍ମର ଆରାଧ୍ୟ ଦେବତା ହେଉଛନ୍ତି ପତିତପାବନ ଶ୍ରୀଜଗନ୍ନାଥ । ଯାହାଙ୍କୁ କେନ୍ଦ୍ର କରି ନୀଳାଚଳ ଧାମ ଶ୍ରୀକ୍ଷେତ୍ରରେ ବାରମାସରେ ତେରପର୍ବ ପାଳିତ ହୁଏ । ପର୍ବପର୍ବାଣୀ ଗୁଡ଼ିକ ଓଡ଼ିଶାର ଧାର୍ମିକ ଚେତନା,ବିଜ୍ଞାନ, କୃଷି ଓ କିମ୍ବଦନ୍ତୀ ଉପରେ ପ୍ରତିଷ୍ଠିତ । ଏହି ପର୍ବପର୍ବାଣୀ ମଧ୍ୟରେ ଦୋଳପୂର୍ଣ୍ଣିମା ହେଉଛି ଅନ୍ୟତମ ।

Pearl dental clinic
Near Ashish Medical Store, Bhawanipatna


ପ୍ରାଚୀନ ଓଡ଼ିଆ ଜାତିର ଚିନ୍ତନରେ ଫାଲଗୁନ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀର ଅଷ୍ଟମଯାମରେ କିମ୍ବା ପୂର୍ଣ୍ଣମୀ ଓ ପ୍ରତିପଦାର ସନ୍ଧିକାଳରେ ଉକ୍ତ ଉତ୍ସବ ପାଳନ କରିବା ବିଧେୟ । ଦୋଳପର୍ବ ସାଧାରଣତଃ ଦଶଦିନ ଧରି ପାଳନ କରାଯାଇଥାଏ । ଓଡ଼ିଶାର ଏହି ଦୋଳତ୍ସୋବ ପୂର୍ଣ୍ଣମୀ ୫ ଦିନ ଆଗରୁ ଅର୍ଥାତ ଫାଲଗୁନ ଶୁକ୍ଳ ଦଶମୀ ତିଥିର ଆରମ୍ଭ ହୋଇ ଚୈତ୍ର‌ କୃଷ୍ଣ ପଞ୍ଚମୀରେ ଶେଷ ହୁଏ । ପୂର୍ଣ୍ଣମୀର ପର ୫ ଦିନ ଉତ୍ସବକୁ ‘ରାଜଦୋଳ’ ଓ ପୂର୍ଣ୍ଣମୀର ପର ୫ ଦିନର ଉତ୍ସବକୁ ‘ପଞ୍ଚ ଦୋଳ’ ଭାବରେ ପରିଚିତ ।
ଦୋଳ ପୂର୍ଣ୍ଣିମା ପୂର୍ବଦିନ ଅର୍ଥାତ ଚତୁଦ୍ଦର୍ଶୀ ଦିନ ‘ଅଗ୍ନ୍ୟୁତ୍ସବ’ ପାଳନ କରାଯାଏ । ପୁରୀ ଜିଲ୍ଲାର ବିଭିନ୍ନ ଶାସନ ଗ୍ରାମରେ ଏହା ‘ଅଇଘରା ପୋଡି’ ନାମରେ ପରିଚିତ ।

Udyog Nursery
Udyogi Nursery

ଓଡ଼ିଶାର ଅନ୍ୟ କେତେକ ଅଞ୍ଚଳରେ ଏହାକୁ ‘ମେଣ୍ଢାଘରପୋଡ଼ା’ କହିବା ବେଳେ ବଙ୍ଗଳାରେ ‘ମାଧାର ଘର ପୋଡ଼ାଣ’ କୁହାଯାଏ । ଅଇଘରା ପରଦିନ ଅର୍ଥାତ ଚୈତ୍ର‌ କୃଷ୍ଣ ପ୍ରତିପଦା ଦିନ ହୋଲି ପାଳିତ ହୋଇଥାଏ । ଏହା ମହାରାଷ୍ଟ୍ରରେ ହୋଲାଛା ଓ ଉତ୍ତର ଭାରତରେ ‘ଦଣ୍ଡ ରାକ୍ଷସୀ’ ପୂଜା ନାମରେ ନାମିତ ।


ଅଇଘରା ଦିନ ଅର୍ଥାତ ଫାଲଗୁନ କୃଷ୍ଣ ଚତୁଦ୍ଦର୍ଶୀ ରାତ୍ରରେ ରାଧାକୃଷ୍ଣ ମନ୍ଦିରର ଆଗ୍ନେୟକୋଣରେ ଅଗ୍ନିଙ୍କର ପୂଜା କରାଯାଏ । ଏଥିପାଇଁ ଅଇଘରା ସ୍ଥାନାରେ କାଠି, କୁଟା, ନଡ଼ା ଓ ନଡ଼ିଆ ବରଡ଼ାରେ ଗୋଟିଏ ଛୋଟ କୁଡ଼ିଆ ଘର ନିର୍ମାଣ କରାଯାଇ ତନ୍ମଧ୍ୟରେ ପାଳ ନିର୍ମିତ ଗୋଟିଏ ମେଣ୍ଢାକୃତି କରି ରଖାଯାଇଥାଏ । ତାପରେ ରାଧାକୃଷ୍ଣ ଗ୍ରାମ ଭ୍ରମଣ କରି ଏଠାକୁ ଆସି ଏହି କୁଡ଼ିଆର ଚାରିପାଖରେ ସାତଥର ବୁଲିବା ପରେ ବିଧିପୂର୍ବକ ଏଥିରେ ଅଗ୍ନୀ ସଂଯୋଗ କରାଯାଏ । ଏହାକୁ ‘ଅଇଘରାପୋଡ଼ି’ ବା ‘ମେଣ୍ଢାଘରପୋଡ଼ା’ କୁହାଯାଏ । ଏ ସମ୍ପର୍କରେ ଏକ ଜନଶୃତି ମଧ୍ୟ ରହିଛି ।

କେତେକଙ୍କ ମତରେ ‘ହରିକା’ ନାମକ ଗୋଟିଏ ରାକ୍ଷସୀ ଶିଶୁମାନଙ୍କୁ ଖାଇ ଯାଉଥିଲା । ଦେବତାମାନେ ଏହାକୁ ମାରି ନ ପାରିବାରୁ ଶିବ ନିଜେ ଏହି ରାକ୍ଷସୀକୁ ବଧ କରିଥିଲେ । ରାକ୍ଷସୀର ବିରାଟ ଶରୀରକୁ ଦେବତାମାନେ ଅଗ୍ନୀରେ ପୋଡ଼ି ଥିବାର ସ୍ମାରକୀ ରୂପେ ଚତୁଦ୍ଦର୍ଶୀ ଦିନ ‘ଅଇଘରା’ ବା ‘ଅଗ୍ନ୍ୟୀତ୍ସବ’ ପାଳନ କରାଯାଏ ।
ଏହାର ପରଦିନ ଅର୍ଥାତ ପୂର୍ଣ୍ଣମୀ ଦିନ ଦୋଳତ୍ସବ ପାଳିତ ହୋଇଥାଏ ।

ଏହି ପୂର୍ଣ୍ଣମୀ ଦିନ ରାଧାକୃଷ୍ଣ ବିଗ୍ରହଙ୍କୁ ମନ୍ଦିରର ବାହାରେ ଥିବା ଦୋଳବେଦୀକୁ ନିଆଯାଇଥାଏ । ଠାକୁରଙ୍କୁ ସୁସଜ୍ଜିତ ବିମାନ ବା ଚଉଦୋଳରେ ଛତି,ତ୍ରାସ, ଚାମର, କାହାଳୀ,ଘଣ୍ଟ ଓ ବିଭିନ୍ନ ବାଦ୍ୟର ପଟୁଆର ମଧ୍ୟରେ ଦୋଳବେଦୀକୁ ନିଆଯାଏ । ବାଟରେ ଗ୍ରାମବାସୀମାନେ ନିଜ ନିଜ ଦୁଆରେ ଠାକୁରଙ୍କୁ ଭୋଗ ନୈବେଦ୍ୟ ଅର୍ପଣ କରିଥାନ୍ତି । ପରେ ସୁସଜ୍ଜିତ ଦୋଳ ବେଦୀରେ ଠାକୁରଙ୍କୁ ବସାଇ ବେଶ କରାଯାଏ ।

ଏ ପର୍ବରେ ଫଗୁ ବା ଅବିର ହର୍ଷୋଲ୍ଲାସର ବର୍ଣ୍ଣିଳ ବିଭୂତି ଭାବରେ ଗୃହୀତ । କାରଣ ପୁରାଣରେ ବର୍ଣ୍ଣିତ ଅଛି ଦ୍ୱାପର ଯୁଗରେ ମେର୍ଦ୍ଧାସୁର ନାମକ ଗୋଟିଏ ଅସୁର ବୃନ୍ଦାବନରେ ନାନା ଅନ୍ୟାୟ ଅତ୍ୟାଚାର କରୁଥିଲା । ଏହି ପୂର୍ଣ୍ଣିମା ଦିନ ଭଗବାନ ଶ୍ରୀକୃଷ୍ଣ ତାକୁ ବଧ କରିବା ଫଳରେ ବୃନ୍ଦାବନବାସୀଙ୍କ ସୁଖଶାନ୍ତି ଫେରି ଆସିଥିଲା । ତେଣୁ ସେହି ଘଟଣରେ ଆନନ୍ଦିତ ହୋଇ ବୃନ୍ଦାବନବାସୀ ଶ୍ରୀକୃଷ୍ଣଙ୍କ ସର୍ବାଙ୍ଗକୁ ଅସିର ରକ୍ତରେ ରଂଜିତ କରି ଅତି ଆନନ୍ଦ ଉଲ୍ଲାସରେ ଉକ୍ତ ଦିନଟିକୁ ପାଳନ କରିଥିଲେ ।

ତାହାର ସ୍ମାରକୀ ଭାବେ ଏହି ଦିନ ଠାକୁରଙ୍କୁ ଫଗୁ ବା ଅବିର ଲାଗି କରାଯିବାପରେ ଦୋଳବେଦୀରେ ପୂଜାର୍ଚ୍ଚାନ ହୋଇଥାଏ । ଠାକୁରଙ୍କୁ ଚଣାଶାକର,କୋରା, ଖଇ ଆଦି ଭୋଗ ସହିତ ଆମ୍ବକଷି ଲଗି କରାଯାଏ । ଆମ ଓଡ଼ିଶାର କେତେକ ଗ୍ରାମରେ ଦୋଳ ପୂର୍ଣ୍ଣମୀ ଦିନ ଠାକୁରଙ୍କ ନିକଟରେ ବ୍ରାହ୍ମଣମାନେ ନୂତନ ପଞ୍ଜିକା ପୂଜା କରି ଆଗାମୀ ବର୍ଷର ଫଳାଫଳ ଶୁଣାନ୍ତି ।

ଦୋଳ ପୂର୍ଣ୍ଣିମାକୁ ଗୋପାଳ ସଂପ୍ରଦାୟର ଲୋକମାନେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସରେ ପାଳନ କରିଥାନ୍ତି । ଅଚ୍ୟୁତାନନ୍ଦଙ୍କ ହରିବଂଶରେ ଏହି ଦିନଟିକୁ ଗୋ ଜନ୍ମୋତ୍ସବ ରୂପେ ବର୍ଣ୍ଣନା କରାଯାଇଛି । ଏଥିରେ ଉଲ୍ଲେଖଅଛି:-

‘ଯଶୋଦା ବୋଇଲେ ବାବୁ ଶୁଣରେ ଆତ୍ମଜ
ଗାଈମାନଙ୍କ ବନ୍ଦାଣ ଅଟେ ଆମ୍ଭ ଆଜ ।
ଗୋ ମାତାଙ୍କ ଜନ୍ମଦିନ ଅଟଇ ଯୁକତେ
ତେଣୁକରି ଗୋପଲୋକେ ଗମନ୍ତି ଉଷତେ ।।’

ତେଣୁ ଏହି ଦିନ ଗୋପାଳମାନେ ନୂତନ ବସ୍ତ୍ର ପରିଧାନ କରିବା ସଙ୍ଗେ ସଙ୍ଗେ ଧୂପ, ଦୀପ,ନୈବେଦ୍ୟ, ଦୁର୍ବାକ୍ଷତି ନେଇ ଗୋସଂପଦର ପୂଜା କରିଥାନ୍ତି । ଏହା ସହିତ ଗୋରୁମାନଙ୍କୁ ଉତ୍ତମଖାଦ୍ୟ ଖାଇବାକୁ ଦେଇଥାନ୍ତି । ସନ୍ଧ୍ୟାବେଳେ ଦୋଳଦେବୀ ପାଖରେ ରାଧାକୃଷ୍ଣ ଯୁଗଳ ମୂର୍ତ୍ତିଙ୍କ ସମ୍ମୁଖରେ ଲଉଡ଼ିଖେଳ ଖେଳିବା ସହିତ ଗୀତ ଗାନରେ ବିଭୋର ହୋଇଥାନ୍ତି ।

ତା’ପରେ ଦୋଳବେଦୀ ଉପରେ ଠାକୁରଙ୍କର ଭୋଗନୈବେଦ୍ୟ ଓ ଆଳତୀ କରାଯିବାପରେ ବାହୁଡ଼ା ବିଜେ ନିମନ୍ତେ ଆୟୋଜନ ହୁଏ । କେତେକ ସ୍ଥାନରେ ବାହୁଡ଼ା ବିଜେ ନିମନ୍ତେ ଆୟାଜନ ହୁଏ । କେତେକ ସ୍ଥାନରେ ବାହୁଡ଼ାବିଜେ ବେଳେ ବାଟରେ ବାଣ ଫୁଟାଯାଇ ଠାକୁରଙ୍କୁ ପଟୁଆରରେ ମନ୍ଦିରକୁ ଅଣାଯାଇଥାଏ । ଏହାର ପରଦିନ ହୋଲି ପାଳିତ ହୋଇଥାଏ ।

ଦୋଳପୂର୍ଣ୍ଣମୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ମଧ୍ୟ ବିଧିପୂର୍ବକ ପାଳନ କରାଯାଏ । ପୂର୍ବେ ଶ୍ରୀଜଗନ୍ନାଥାଦି ବିଗ୍ରହ ଦୋଳବେଦୀକୁ ବିଜେ କରୁଥିଲେ । ମାଦଳାପାଞ୍ଜିରେ ଅଛି ଗଉଡ଼ିଆ ଗୋବିନ୍ଦ ଦେବଙ୍କ ସମୟରେ ଦୋଳି ଛିଣ୍ଡି ପଡ଼ିବାରୁ ଠାକୁରଙ୍କ ହାତ ଭାଙ୍ଗି ଯାଇଥିଲ ଓ ତାପର ବର୍ଷଠାରୁ ଶ୍ରୀ ଜଗନ୍ନାଥାଦି ବିଗ୍ରହଙ୍କ ବଦଳରେ ବିଜୟ ପ୍ରତିମାମାନେ ଦୋଳବେଦୀକୁ ବିଜେ ହେଲେ ।


ଶ୍ରୀଜଗନ୍ନାଥଙ୍କ ବିଜୟ ପ୍ରତିମା ଦୋଳ ଗୋବିନ୍ଦ,ଲକ୍ଷ୍ମୀ, ସରସ୍ୱତୀ ଦୋଳବେଦୀକୁ ଯିବା ପୂର୍ବରୁ ପ୍ରଥମେ ଲକ୍ଷ୍ମୀ ଜଗମୋହନକୁ ଯାଆନ୍ତି । ସେଠାରେ ଲକ୍ଷ୍ମୀ ଓ ନାରାୟଣଙ୍କ ତରଫରୁ ଯଥାକ୍ରମେ ସମ୍ପ୍ରାଦାମାହାରୀ ଓ ମୁଦିରଥ ଫଗୁ ଖେଳନ୍ତି । ତା’ପରେ ବିଜୟ ପ୍ରତିମାମାନେ ବିମାନରେ ସିଂହଦ୍ୱାର,ଲକ୍ଷ୍ମୀବଜାର, ଦେଇ ମନ୍ଦିରର ଉତ୍ତର ପୂର୍ବ କୋଣରେ ଥିବା ଦୋଳବେଦୀକୁ ବିଜେ କରନ୍ତି । ଦୋଳବେଦୀ ଉପରେ ଅବିର ଓ ଆମ୍ବକଷି ଲାଗି ଏବଂ ଚଣା, ଶାକର ଭୋଗ ହୁଏ ।

ଦୋଳବେଦୀ ଉପରେ ଠାକୁରଙ୍କର ସକାଳ, ମଧ୍ୟାହ୍ନ ଓ ସନ୍ଧ୍ୟାଧୂପ ଷୋଡ଼ଶ ଉପଚାରରେ କରାଯାଇଥାଏ । ତିନି ଧୂପରେ ଠାକୁରଙ୍କୁ ପୁଳି, ବଡ଼ପିଠା, ହଂସକେଳି, କାନ୍ତି, ବଡ଼ା, ନାଡ଼ି, କାକରା, ଆରିସା, ଡ଼ାଳିମ୍ବ, ପଣସୁଆ, କାନିକା ଆଦି ଭୋଗ କରାଯାଏ । ଏହି ଦିନ ଶ୍ରୀଜଗନ୍ନାଥଙ୍କ ‘ରାଜାବେଶ’ ମଧ୍ୟ ହୁଏ ।

ଦୋଳ ପୂର୍ଣ୍ଣିମା ଏକ ସାର୍ବଜନୀନ ଉତ୍ସବ ହେଲେ ହେଁ ଏହାର ଅନ୍ତରାଳରେ ଧାର୍ମିକ,ସାମାଜିକ ତଥା ବୈଜ୍ଞାନିକ ଦୃଷ୍ଟିକୋଣର ପ୍ରଭାବ ରହିଛି ।
ବୈଜ୍ଞାନିକ ଦୃଷ୍ଟିକୋଣରୁ ଦୋଳପୂର୍ଣ୍ଣିମାରେ ଅବିର ବା ଫଗୁ ବୋଳି ହେଲେ ବସନ୍ତ ରୋଗର ବିସ୍ପୋଟକ ବାହାରେ ନାହିଁ । ତେଣୁ ଭାରତର ବିଭିନ୍ନ ଅଞ୍ଚଳରେ ଏହି ପର୍ବଟି ଅତ୍ୟନ୍ତ ହାସ୍ୟୋଲ୍ଲାସ ମଧ୍ୟରେ ପାଳିତ ହୋଇଥାଏ ।

ଡକ୍ଟର ମମତା କୁମାରୀ ତ୍ରିପାଠୀ

ଅଧ୍ୟାପିକା, ଓଡ଼ିଆବିଭାଗ
ମ.ରାମପୁର ମହାବିଦ୍ୟାଳୟ
ମ.ରାମପୁର,କଳାହାଣ୍ଡି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.