ଓଡ଼ିଆ ବାର୍ତ୍ତା/ ହାଇଦ୍ରାବାଦ: ତେଲେଙ୍ଗାନାରେ କେସିଆର ସରକାରଙ୍କୁ ହାଇକୋର୍ଟଙ୍କ ବଡ ଝଟକା । ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଦଳ ଭାରତ ରାଷ୍ଟ୍ର ସମିତିର କିଛି ବିଧାୟକଙ୍କୁ ବିଜେପି କିଣିବାକୁ ଚାହୁଁଛି ଏବଂ ସରକାର ଭାଙ୍ଗିବାକୁ ଚେଷ୍ଟା କରୁଛି ବୋଲି ହୋଇଥିବା ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ହାଇକୋର୍ଟ । ଏହି ମାମଲାର ତଦନ୍ତ ଏସଆଇଟି ନୁହେଁ ସିବିଆଇ କରିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କ୍ଷମତାସୀନ କେସିଆାର ସରକାରଙ୍କୁ ଏହା ବଡ ଝଟକା ବୋଲି କୁହାଯାଉଛି । ଏମିତି ଘୋଡା ବେପାରରେ ଭାରତ ରାଷ୍ଟ୍ର ସମିତିର ୪ ସଦସ୍ୟ ଓ ବିଜେପି ଲିଙ୍କ ଥିବା କିଛି ବ୍ୟକ୍ତି ସାମିଲ ଥିଲେ ବୋଲି ନିଜେ କେସିଆାର ଏକ ଭିଡିଓ ଜାରି କରି କହିଥିଲେ । ଏହି ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଏସଆଇଟି ଗଠନ କରିଥିଲେ । ହେଲେ ହାଇକୋର୍ଟ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିଛନ୍ତି । ଗୋଟିଏ ପଟେ ହାଇକୋର୍ଟଙ୍କ ରାୟକୁ ବିଜେପି ସ୍ୱାଗତ କରିଥିବାବେଳେ ଏସଆଇଟି ଏହାକୁ କୋର୍ଟରେ ଚାଲେଞ୍ଜ କରିବ ବୋଲି କହିଛି ।ସୂଚନା ଥାଉ କି, ଏକ ଫାର୍ମ ହାଉସ ରେଡ ପରେ ସାଇବରବାଦ ପୋଲିସ ଅଭିଯୋଗ କରିଥିଲା ଯେ, ୪ ଜଣ ବିଧାୟକଙ୍କୁ ୧୦୦ କୋଟିରେ କିଣି କେସିଆର ସରକାରଙ୍କୁ ଭାଙ୍ଗିବା ପାଇଁ ଷଡଯନ୍ତ୍ର ଚାଲିଥିଲା । ଏ ନେଇ ବିଧାୟକ ରୋହିତ ରେଡ୍ଠି ସେତେବେଳେ କହିଥିଲେ,ତାଙ୍କୁ ଦଳବଦଳ ପାଇଁ ଧମକ ଦିଆଯାଉଛି । ଦଳ ବଦଳ ନ କଲେ ଇଡି ଓ ସିବିଆଇ ରେଡ୍ କରାଯିବ ବୋଲି ବିଜେପି ସହ ଲିଙ୍କରେ ଥିବା ଲୋକେ ତାଙ୍କୁ ଧମକ ଦେଇଥିବା ସେ ଅଭିଯୋଗ ଆଣିଥିଲେ । ତେବେ ବିଜେପି ଏସବି ଅଭିଯୋଗକୁ ଖଣ୍ଡନ କରିଛି । ମୁଖ୍ୟମନ୍ତ୍ରୀ କେସିଆର ଜାଣିଶୁଣି ନାଟକ କରୁଛନ୍ତି ବୋଲି ଦଳ ଅଭିଯୋଗ ଆଣିଛି ।