ଖଲ୍ଲିକୋଟ ବ୍ଲକରେ ପାନୀୟ ଜଳର ଉତ୍କଟ ଅଭାବ 

ଅସହ୍ୟ ତାତି ସାଙ୍ଗକୁ ଘନ ଘନ ବିଜୁଳି କାଟ, ପିଇବା ପାଣି ପାଇଁ ଡହକ ବିକଳ ଅଞ୍ଚଳବାସୀ 

ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣରେ ମନ୍ଥରତା

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟରେ ଅସହ୍ୟ ତାତି ସାଙ୍ଗକୁ ପାରଦ ୩୮ ଛୁଇଁଲାଣି । ପିଲାଠାରୁ ବୃଦ୍ଧ ଓ ରୋଗୀ ପର୍ଯ୍ୟନ୍ତ ପ୍ରଚଣ୍ଡ ଝାଂଜି ଖରାରେ ସିଝୁଥିବା ବେଳେ ଘନଘନ ବିଜୁଳି କାଟ ଜନଜୀବନକୁ ଅସ୍ତବ୍ୟସ୍ତ କଲାଣି l ଏପରିସ୍ଥଳେ ଉତ୍କଟ ପାନୀୟ ଜଳ ଅଭାବରୁ ଲୋକମାନେ ଚୁଆ ଚହଲା ଓ ପରିତ୍ୟକ୍ତ କୂପରୁ ଦୂଷିତ ପାଣି ପିଇବା ପାଇଁ ବାଧ୍ୟ ହେଲେଣି l ଖଲ୍ଲିକୋଟ ବ୍ଲକର ୧୬୫ ଟି ଗ୍ରାମରେ ପ୍ରାୟ ୧୦୫ ଗୋଟି ପାନୀୟ ଜଳ ପ୍ରକଳ୍ପ ଥିବା ବେଳେ ୧୭ ଗୋଟି ସୋଲାର ପାନୀୟ ଜଳ ପ୍ରକଳ୍ପ ରହିଛି l ଗ୍ରାମବାସୀଙ୍କ ସଚେତନେତା ଓ ଆବଶ୍ୟକ ମରାମତି ଓ ବିଜୁଳି ବିଲ ପୈଠ ଅଭାବରୁ ବ୍ଲକର ଅର୍ଦ୍ଧାଧିକ ପାନୀୟ ଜଳ ପ୍ରକଳ୍ପ ଅଚଳ ହେବାକୁ ବସିଲାଣି l ନଳକୂପ ମରାମତି କଥା ନ କହିଲେ ଭଲ ନଳକୂପ ମରାମତି ପାଇଁ ଦୁଇଟି ଅଟୋକୁ ଲଗାଇ ପ୍ରତିମାସ ପ୍ରାୟ ୧୦ ହଜାର ଟଙ୍କା ଖର୍ଚ ହେଉଥିବା ବେଳେ ଅନେକ ନଳକୂପ ମରାମତି ଅପେକ୍ଷାରେ ରହିଛି l ଏଣେ ପ୍ରତି ବର୍ଷ ନଳକୂପ ମରାମତି ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହେଉଥିବା ବେଳେ ଯନ୍ତ୍ରାଂଶର ଅର୍ଥ ହରିଲୁଟ ହେଉଥିବା ଅଭିଯୋଗ ହେଉଛି l ମାସ ମାସ ଧରି ନଳକୂପ ଗୁଡିକ ମରାମତି ହୋଇପାରୁନି l ଖଲ୍ଲିକୋଟ ବ୍ଲକରେ ଜଳ ଜୀବନ ମିଶନ ଯୋଜନାରେ ଆରମ୍ଭ ହୋଇଥିବା ଶାଳିଆ – ଖଲ୍ଲିକୋଟ ମେଗା ପାନୀୟ ଜଳ ପ୍ରକଳ୍ପ ମନ୍ଥର ଗତିରେ ଚାଲିଛି l ଖଲ୍ଲିକୋଟ ବ୍ଲକର ୧୬୫ ଗୋଟି ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ ୧୧୫ କୋଟି ଟଙ୍କାର ଆକଳନ ହୋଇଥିବା ବେଳେ ମାତ୍ର ୧୨୩ କିମି ପାଇପ ବିଛା କାର୍ଯ୍ୟରେ ସୀମିତ ରହିଛି l ପାଇପ ବିଛା କାମ ସମ୍ପୂର୍ଣ ହେବ ପୂର୍ବରୁ ଆକଳନ ଅର୍ଥର ୭୫ ଭାଗ ବିଲ ହାତେଇ ଦେଳେଣି ଠିକାଦାର l ଆସନ୍ତା ୨୦୨୪ ମସିହାରେ ଏହି ପାନୀୟ ଜଳ ନିର୍ମାଣ ଅବଧି ଶେଷ ହେବାକୁ ଥିବା ବେଳେ ରାଜ୍ୟ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଉଚା କର୍ତ୍ତୃପକ୍ଷ ଏଯାବତ ଏହି ପ୍ରକଳ୍ପର ଅନୁମୋଦନ ଓ ଡ୍ରଇଂ ଓ ଡ଼ିଜାଇନ ହୋଇପାରିନଥିବା ଏକ ସୂତ୍ରରୁ ଜଣାପଡିଛି l ଯାହା ଫଳରେ ପାଇପ ବିଛା ଓ ଟ୍ରିଟମେଣ୍ଟ ପ୍ଲାଣ୍ଟ ଓ ଓଭର ହେଡ଼ ଟାଙ୍କି ନିର୍ମାଣ ଆରମ୍ଭ ହୋଇପାରିନି l ଏ ନେଇ ବିଭାଗୀୟ ତତ୍ପରତା ପ୍ରକାଶ ପାଉ ନଥିବା ବେଳେ ଲୋକ ମାନେ ମେଗା ପ୍ରକଳ୍ପକୁ ଚାହିଁ ଚାହିଁ ପାଣି ପାଇଁ ଶୋଷିଲା ଅବସ୍ଥାରେ କାଳାତିପାତ କରୁଛନ୍ତି l ଖଲ୍ଲିକୋଟ ବ୍ଲକର ଦାନପୁର ,କମଳା ପାଦର ଗ୍ରାମରେ ପାଇପ ବିଛା ଯାଇ ଷ୍ଟାଣ୍ଡ ପୋଷ୍ଟ ନିର୍ମାଣ ସାରିଥିଲେ ମଧ୍ୟ ଲୋକ ନଳକୂପରୁ ଲୌହ ମିଶ୍ରିତ ପାଣି ପିଇବା ସହ ଷ୍ଟାଣ୍ଡ ପୋଷ୍ଟରେ ବଳଦ ବାନ୍ଧୁଛନ୍ତି l ଆଗକୁ ପାନୀୟ ଜଳ ସମସ୍ୟା ଉପୁଜିବା ସମ୍ଭାବନା ଥିବାରୁ କ୍ୟାଣ୍ଟର ଯୋଗେ ଗ୍ରାମାଞ୍ଚଳକୁ ପିଇବା ପାଣି ଯୋଗାଇବାକୁ ଦାବି ଉଠିଲାଣି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.