ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ୨୦୨୩ ଶନିବାର ଦିନ ହୋଟେଲ ଲୋଟସ ପାରାଡାଇଜ ସମ୍ମିଳନୀ କକ୍ଷରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ହାଡିବନ୍ଧୁ ଭୋଇଙ୍କ ପୌରହିତ୍ୟରେ ଆୟୋଜିତ ହୋଇଯାଇଛି | ଏହି ଉତ୍ସବରେ ଜିଲ୍ଲାରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକ, ପ୍ରାଣୀଧନ ନିରୀକ୍ଷକ ,ଉଦ୍ୟୋଗୀ ପ୍ରାଣୀ ପାଳକ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଯୋଗ ଦେଇଥିଲେ |
ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ ଶ୍ରୀମତୀ ସ୍ଵଧାଦେବ ସିଂ ଜିଲ୍ଲାର ଉଦ୍ୟୋଗୀ ଚାଷୀ ମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ ହେବା ସହ ସରକାରଙ୍କର ବିଭିନ୍ନ ପ୍ରାଣୀ ପାଳନ ସମ୍ବନ୍ଧୀୟ ଯୋଜନାର ଲାଭ ନେଇ ବିଭିନ୍ନ ଉଦ୍ୟୋଗ ଗଢିବାକୁ ପରାମର୍ଶ ଦେଇଥିଲେ | ପ୍ରାଣୀ ଚିକିତ୍ସକମାନେ ପ୍ରାଣୀ ଚିକିତ୍ସା ସେବା ସହ ଉଦ୍ୟୋଗୀ ଚାଷୀମାନଙ୍କୁ ନିଜ ଆୟ ବହୁଗୁଣିତ କରିବାକୁ ସହାୟତା ପାଇଁ ନିର୍ଦେଶ ଦେଇଥିଲେ | ରାୟଗଡା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରବିନାରାୟଣ ତ୍ରିପାଠୀ ପ୍ରାଣୀ ଚିକିତ୍ସା ସେବା ଏକ ମହତ ସେବା ଭାବେ ଉଲ୍ଲେଖ କରି ସମସ୍ତେ ଜୀବେ ଦୟା ମନୋଭାବ ରଖି ପ୍ରାଣୀମାନଙ୍କ ପ୍ରତି ଯତ୍ନଶୀଳ ହେବା ପାଇଁ ପରାମର୍ଶ ଦେଇଥିଲେ |
ପ୍ରାଣୀ ଚିକିତ୍ସକ ମାନେ ନିରୀହ ପ୍ରାଣୀମାନଙ୍କର ଚିକିତ୍ସା କରି ପାଉଥିବା ଆନନ୍ଦ ସବୁଠାରୁ ଭିନ୍ନ ବୋଲି କହିଥିଲେ | ରାୟଗଡା ସମନ୍ୱିତ ଆଦିବାସୀ ଉନ୍ନୟନର ପ୍ରକଳ୍ପ ପ୍ରଶାସକ ଦିଲୀପ ବେହେରା ପ୍ରାଣୀ ଚିକିତ୍ସକ ଭାବେ ନିଜର ୮ ବର୍ଷର ଅନୁଭୂତି ବ୍ୟକ୍ତ କରିଥିଲେ ଏବଂ ଆଦିବାସୀ ଉନ୍ନୟନ ସଂସ୍ଥା ମାଧ୍ୟମରେ ନିଆଯାଉଥିବା ବିଭିନ୍ନ ପ୍ରାଣୀ ପାଳନ ସମ୍ବନ୍ଧୀୟ ଯୋଜନା ଉପରେ ଆଲୋକପାତ କରିଥିଲେ | ଚାଷୀଙ୍କ ଉନ୍ନତି ପାଇଁ ପ୍ରାଣୀ ସମ୍ପଦ ବିକାଶ ବିଭାଗର ଅବଦାନ ବିଷୟରେ ଆଲୋଚନା କରିଥିଲେ |
ମୁଖ୍ୟ ବକ୍ତା ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ନିର୍ଦେଶକ ରାଜେଶ କୁମାର ପାଢ଼ୀ ପ୍ରାକୃତିକ ଚାଷ ଓ ପ୍ରାଣୀ ଚିକିତ୍ସକ ମାନଙ୍କର ଭୂମିକା, ପ୍ରାଣୀ ଚିକିତ୍ସା ସେବାର ରୂପାନ୍ତରିତ ଓ ବର୍ଦ୍ଧିତ କାର୍ଯ୍ୟକ୍ରମ ଗୁଡିକ ଉପରେ ଆଲୋକପାତ କରିବା ସହ ଜିଲ୍ଲା ର ଚାଷୀଙ୍କର ଆୟ ବହୁଗୁଣିତ କରିବାରେ ପ୍ରାଣୀ ଚିକିତ୍ସକଙ୍କର ଭୂମିକାକୁ ଭୂୟସୀ ପ୍ରଶଂସା କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ଜଳଛାୟା ମିଶନର ପ୍ରକଳ୍ପ ନିର୍ଦେଶକ ଡ଼ ଦୟାନିଧି ବାଗ, ଉଦ୍ୟାନ କୃଷି ଉପନିର୍ଦେଶକ ପତିତପାବନ ସାମନ୍ତରାୟ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ଯାଜ୍ଞସେନୀ ବେହେରା, ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା, ଚାଟିକଣାର ପ୍ରକଳ୍ପ ପ୍ରବନ୍ଧକ ସୁଦର୍ଶନ ପାଢ଼ୀ ପ୍ରାଣୀ ଚିକିତ୍ସା ସେବାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ | ଜିଲ୍ଲାର ସଫଳ କୁକୁଡ଼ା ଚାଷୀ ସୁରେଶ କୁମାର ଚୌଧୁରୀ କାକଲା, ଘୁଷୁରୀ ଚାଷୀ ସୁଶାନ୍ତ ବିଡ଼ିକା ଏବଂ ସଫଳ ବଏଲର ଫାର୍ମ କରିଥିବା ସଫଳ ସ୍ୱୟଂ ସହାୟକ ଗୋଷ୍ଠୀ ସେରିଗୁମାର ମା ମାଣିକେଶ୍ବରୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ଜିଲ୍ଲାପାଳ ମହୋଦୟା ଉପଢୌକନ ଦେଇ ସମ୍ମାନିତ କରିଥିଲେ |
ଏତଦ ବ୍ୟତୀତ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ନିଜର ଅବଦାନ ପାଇଁ ପ୍ରାଣୀ ଚିକିତ୍ସକମାନଙ୍କ ମଧ୍ୟରେ କଲ୍ୟାଣସିଂହପୁର ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଚିନ୍ମୟ କୁମାର ସାହୁ, ଗୁଡାରି ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡା. ପୁର୍ନେନ୍ଦୁ ଶସୀସେଖର ତ୍ରିପାଠୀ, ବିଷମକଟକ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସକ ଡା. ପଙ୍କଜ କୁମାର ଜେନା, ପ୍ରାଣୀଧନ ଟେକନିସିଆନ ନିରଞ୍ଜନ ବଳବନ୍ତରାୟ, ପ୍ରାଣୀଧନ ନିରୀକ୍ଷକ ବାବୁଲା ଶବର ପ୍ରମୁଖଙ୍କୁ ଜିଲ୍ଲାପାଳ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ |
ଶେଷରେ ଡା. ବିରଂଚି ନାରାୟଣ ମିଶ୍ର , ଉପନିର୍ଦେଶକ ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ ଧନ୍ୟବାଦ ଅର୍ପଣ କରିଥିଲେ | ଏହି କାର୍ଯ୍ୟକ୍ରମ ପୂର୍ବରୁ ସକାଳ ୭ଟା ସମୟରେ ଉଦ୍ୟୋଗୀ ଚାଷୀ , କଲେଜ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା ଏବଂ ପ୍ରାଣୀ ଚିକିତ୍ସାଳୟ ରାୟଗଡାରେ ମାଗଣା ଜଳାତଙ୍କ ରୋଗର ଟୀକାକରଣ ଶିବିର ଅନୁଷ୍ଠିତ ହୋଇଥିଲା |