ସଂରକ୍ଷଣ ବ୍ୟବସ୍ଥା ନାହିଁ; ପିଆଜ ଚାଷୀ ଅଭାବୀ ବିକ୍ରିର ଶିକାର, କମ ଦରରେ କିଣିନେଉଛନ୍ତି ବେପାରି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗ୍ରାମଠାରୁ ସହର ଗରିବ ଅବା ଧନୀ ସମସ୍ତଙ୍କ ନିତିଦିନିଆ ଖାଇବା ଥାଳିରେ ଅବା ରୋଷେଇରେ ପିଆଜର ଚାହିଦା ବେଶି । ଯେତେବେଳେ ପିଆଜ ବଜାରରେ ଉଭାନ ହୋଇଯାଏ ବା ପିଆଜ ଦର ଆକାଶ ଛୁଆଁ ହୋଇଯାଏ ସେତେବେଳେ ସରକାର ପିଆଜ ସଂରକ୍ଷଣ କରିବା ପାଇଁ ଅନେକ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି କହିଥାନ୍ତି କିନ୍ତୁ ପରେ ତାହା କେବଳ କଥା ହୋଇ ରହିଯାଏ ।  ବର୍ତ୍ତମାନ ସୁଦ୍ଧା ଗୋଲାମୁଣ୍ଡା ବ୍ଲକରେ ପିଆଜ ସଂରକ୍ଷଣ ପାଇଁ କୌଣସି ସୁବିଧା କରାଯାଇ ପାରି ନଥିବା ଯୋଗୁଁ ପିଆଜ ଚାଷ ପ୍ରତି ମନ ବଳାଇ ଥିବା ଚାଷୀମାନେ ଅଭାବି ବିକ୍ରିର ଶିକାର ହେଉଛନ୍ତି । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଚାଷୀ କ୍ରମାଗତ ଧାନ ଚାଷରେ ମରୁଡିର ଶିକାର ହେଉଥିବା ବେଳେ ବର୍ତ୍ତମାନ ପିଆଜ ଚାଷ କରି ଅମଳ ଜୋରଦାର କରୁଥିଲେ ମଧ୍ୟ ଅଭାବୀ ବିକ୍ରିର ଶିକାର ହୋଇ କମ ପଇସାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ପ୍ରଶାସନର ଖାମଖିଆଲି ମନୋଭାବ ମୂଲ୍ୟ ନିର୍ଧାରଣରେ ଅବହେଳା, ସରକାରୀ ସ୍ତରରେ ପିଆଜ ସଂଗ୍ରହ ନେଇ କୌଣସି ପଦକ୍ଷେପ ନିଆ ନଯିବା ତଥା ସଂରକ୍ଷଣ ପାଇଁ ବ୍ୟବସ୍ଥା କରାଯାଉନଥିବାରୁ ପ୍ରତିବର୍ଷ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେବାକୁ ବାଧ୍ୟ ହେଉଛନ୍ତି । ବ୍ଲକର ଖଲିଆପାଲି, ବଡଯୋର, କାଲିପୁର, ମାନଝରୀ, ମକ୍ରାଗୁଡା, ମହୁଲପଡା, ଚହକା, ଫରଙ୍ଗ, କୁମ୍ଭାରୀ, ଟେମରି, ସିନାପାଲି, ଲାଞ୍ଜି, କୁହୁରା, ସାନଚେରଗାଁ, ଦଶପୁର, ଧାମନପୁର, ବଡଚେରଗାଁ, ସୁକୁନିମୁଣ୍ଡା, ଗଣ୍ଡାମେର, ଚଞ୍ଚରାମୁଣ୍ଡା ଆଦି ଅଞ୍ଚଳରେ ପିଆଜ ସର୍ବାଧୀକ ଅମଳ ହୋଇଥାଏ । ବର୍ତ୍ତମାନ ପିଆଜ ଅମଳ ଆରମ୍ଭ ହୋଇଯାଇଥିବାରୁ ଚାଷୀମାନେ ପିଆଜ ଖୋଳି ଚାଷ ଜମିରେ  ଗଦା କରିବାରେ ଲାଗିଲେଣି । କିନ୍ତୁ ଅମଳ ପିଆଜକୁ ଗୋଦାମ ଗୃହ ବା ସଂରକ୍ଷଣ ପାଇଁ କୌଣସି ସୁବିଧା ନଥିବାରୁ ନିଜ ନିଜ ଜମିରେ ଶୁଖାଇବାକୁ ବାଧ୍ୟ ହେଉଛନ୍ତି ଓ ଜମିରେ ହିଁ ପିଆଜ ଗଦା କରି ରଖୁଛନ୍ତି । ଜମିରେ ଶୁଖାଇବା ବେଳେ ଅଦିନିଆ ବର୍ଷାରେ ଭିଜି ପିଆଜ ଗୁଡିକ ସଢି ଯାଉଛି ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି । ଚଲିତ ବର୍ଷ ଏପ୍ରିଲ ମାସରୁ ଅଦିନିଆ ବର୍ଷା ବାରାମ୍ବାର ହେଉଥିବାରୁ ପିଆଜ ପ୍ରାୟ ପଚି ଯାଉଥିବା ଦେଖିବାକୁ ମିଲୁଛି । ଉକ୍ତ ବ୍ଲକରେ ଶୀତଲ ଭଣ୍ଡାର ଅଭାବ ଯୋଗୁଁ ପିଆଜ ସଂରକ୍ଷଣରେ ଅସମର୍ଥ ଚାଷୀ ଅନିଚ୍ଛା ସତ୍ୱେ କମ ଦରରେ ବିକ୍ରି କରିବାକୁ ବାଧ୍ୟ ହେବାକୁ ପଡୁଛି । ଏହାର ସୁଯୋଗ ନେଇ ଉପକୂଳବର୍ତ୍ତୀ ଓଡିଶା ଓ ପଡୋଶୀ ଛତିଶଗଡର କିଛି ବେପାରି ଡେରା ପକାଇ ୫୦ କେଜି ବସ୍ତାକୁ ୩୫୦ ରୁ ୪୦୦ ଟଙ୍କା ଦେଇ କିଣି ନେଉଥିବା ଅଭିଯୋଗ ହେଉଛି । ପିଆଜ ସଂଗ୍ରହ ନେଇ କୌଣସି ପଦକ୍ଷେପ ନିଆ ନଯିବା ତଥା ସଂରକ୍ଷଣ ପାଇଁ ବ୍ୟବସ୍ଥା କରାଯାଇ ନଥିବା ପ୍ରଶାସନର ଦଲାଲ ଓ କଳାବଜାରୀଙ୍କ ଉପରେ ଅଙ୍କୁଶ ନଥିବାରୁ ଚାଷୀମାନେ ତଳିତଳାନ୍ତ ହେବା ଆଶଙ୍କା ସୃଷ୍ଟି ହୋଇଛି । ତେବେ ବର୍ତ୍ତମାନ ଅମଳ ଶେଷ ହେବାକୁ ଥିବା ବେଳେ ପ୍ରଶାସନ ଦଲାଲ ଓ କଳାବଜାରୀଙ୍କ ଉପରେ ଅଙ୍କୁଶ ଲଗାଇ ପିଆଜର ଉପଯୁକ୍ତ ମୂଲ୍ୟ ଧାର୍ଯ୍ୟ କରି ଓ ପିଆଜର ସଂରକ୍ଷଣ ବ୍ୟବସ୍ଥାକଲେ ଉକ୍ତ ବ୍ଲକର ଚାଷୀ ଉପକୃତ ହୋଇପାରନ୍ତେ ବୋଲି ଚାଷୀମାନେ ମତ ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.