୧୦୦ ଘଣ୍ଟା ରୋଷେଇ କରି ବିଶ୍ୱ ରେକର୍ଡ ଭାଙ୍ଗିଲେ ନାଇଜେରିଆର ସେଫ୍‌

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ : ରୋଷେଇ କରିବାକୁ କିଛି ଲୋକ ପସନ୍ଦ କରୁଥିବା ବେଳେ କିଛି ଲୋକ ବିରକ୍ତି ହୋଇଥାନ୍ତି । ଏହି ରୋଷେଇ କରି ଜଣେ ପାଚିକା ବିଶ୍ୱ ରେକର୍ଡ ହାତେଇଛନ୍ତି । ନାଇଜେରିଆର ଜଣେ ଲୋକପ୍ରିୟ ପାଚିକା ଲଗାତାର ସର୍ବାଧିକ ଘଣ୍ଟା ଧରି ରୋଷେଇ କରି ଗିନିସ୍ ବିଶ୍ବ ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛନ୍ତି । ସୂଚନା ଅନୁଯାୟୀ, ଲାଗୋସ୍‌ ସହରର ଲେକ୍କି ଅଞ୍ଚଳର ଏକ ରେସ୍ତୋରାଁରେ ସେ ଗତ ୧୧ ତାରିଖରୁ ରୋଷେଇ ଆରମ୍ଭ କରିଥିଲେ । ସେ ନାଇଜେରିଆର ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ । ରୋଷେଇ ବେଳେ ସେ ଏକ ଘଣ୍ଟାରେ ପାଞ୍ଚ ମିନିଟ୍‌ର ବିରତି ନେଉଥିଲେ ଅଥବା ଲଗାତାର ୧୨ ଘଣ୍ଟା ରୋଷେଇ କରି ଏକାବେଳେ ଏକ ଘଣ୍ଟାର ବିରତି ନେଇ ନିତ୍ୟକର୍ମ, ବିଶ୍ରାମ ଓ ଡାକ୍ତରୀ ପରୀକ୍ଷା ଆଦି କରୁଥିଲେ। ଲଗାତାର ଚାରି ଦିନ ଚାରି ରାତି ସେ ରୋଷେଇ କରିଚାଲିଥିଲେ । ତାଙ୍କର ଏହି ରେକର୍ଡ ଉଦ୍ୟମକୁ ଉତ୍ସାହିତ କରିବା ପାଇଁ ହଜାର ହଜାର ସଂଖ୍ୟାରେ ଜନସାଧାରଣଙ୍କ ସମେତ ବିଭିନ୍ନ ସେଲିବ୍ରିଟି ଓ ରାଜନେତା ମଧ୍ୟ ସେଠାକୁ ଆସିଥିଲେ। ନାଇଜେରିଆ ରାଷ୍ଟ୍ରପତି ମହମ୍ମଦ ବୁହାରି ଟୁଇଟ୍ କରି କହିଥିଲେ ଯେ ନାଇଜେରିଆ ପାଇଁ ତାହା ଏକ ମହାନ ଦିବସ। ହିଲ୍‌ଡାଙ୍କ ଉଚ୍ଚାଭିଳାଷ ନାଇଜେରିଆର ନିଆରା ଖାଦ୍ୟ ପ୍ରତି ଲୋକଙ୍କର ଧ୍ୟାନ ଆକର୍ଷଣ କରିପାରିଛି । ତାଙ୍କ ପୂର୍ବରୁ ଭାରତର ଲତା ଟଣ୍ଡନଙ୍କ ନାମରେ ଏହି ରେକର୍ଡ ଥିଲା ଯିଏ ୨୦୧୯ରେ ୮୭ ଘଣ୍ଟା, ୪୫ ମିନିଟ୍‌ ରାନ୍ଧି ଏହି ରେକର୍ଡର ଅଧିକାରିଣୀ ହୋଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.